ବାଙ୍କୀର ମା’ ଚର୍ଚ୍ଚିକା ପୀଠ

ବାଙ୍କୀର ମା’ ଚର୍ଚ୍ଚିକା ପୀଠ

କେମିତି ଯିବେ ଚର୍ଚ୍ଚିକା ପୀଠ?
ଭୁବନେଶ୍ୱର ଠାରୁ ପ୍ରାୟ ୫୪ କିଲୋମିଟର ଦୂରରେ ବାଙ୍କୀ ଅବସ୍ଥିତ  । ବାଙ୍କୀକୁ ସବୁଦିନିଆ ଭଲ ରାସ୍ତା ରହିଛି  । ପ୍ରତିଦିନ ଭୁବନେଶ୍ୱର ଓ କଟକରୁ ସିଧାସଳଖ ବସ୍ ମଧ୍ୟ ଚଳାଚଳ କରୁଛି  ।ଓଡ଼ିଶାର ଶକ୍ତିପୀଠ ମଧ୍ୟରେ ମା’ ଚର୍ଚ୍ଚିକାଙ୍କ ପୀଠ ବେଶ୍ ପ୍ରସିଦ୍ଧ  । ପୀଠର ପଶ୍ଚିମ ପାର୍ଶ୍ୱରେ ପବିତ୍ର ମହାନଦୀ ପ୍ରବାହିତ ହେଉଛି  । ରଚିକ ପର୍ବତର ଶୀର୍ଷ ଭାଗରେ ମା’ଙ୍କର ଏହି ପବିତ୍ର ପୀଠ ଅବସ୍ଥିତ  ।
ମା’ଙ୍କ ମହିମା : ଆରାଧ୍ୟା ଦେବୀ ମା’ ଚର୍ଚ୍ଚିକାଙ୍କର ଆବିର୍ଭାବ କିଭଳି ହୋଇଥିଲା ସେ ସମ୍ପର୍କରେ ସଠିକ ଭାବରେ କୌଣସି ତଥ୍ୟ ମିଳିନାହିଁ  । ଏହାକୁ ନେଇ କେତେକ  ଐତିହାସିକ, ପୌରାଣିକ, ଲୋକମତ ବି ରହିଛି  । ବାଙ୍କୀର ଇତିହାସ ଓ ଚର୍ଚ୍ଚିକା  ସମ୍ବନ୍ଧରେ ପୁରାଣରେ ବର୍ଣ୍ଣିତ ହୋଇଛି  । କୁହାଯାଏ ଯେ, ସର୍ବଶକ୍ତିମୟୀ ମା’ ଚର୍ଚ୍ଚିକା ଦେବୀ ବୈଦିକ ଯୁଗରେ ଋଚିକ ମହର୍ଷିଙ୍କ ଆଶ୍ରମରେ ଗୃହଦେବୀଭାବେ ପୂଜା ପାଇଥିଲେ  । ଋଚିକ ମହର୍ଷିଙ୍କର ନାତି ତଥା ଜମଦଗ୍ନିଙ୍କର ପୁତ୍ର ବୀର ପର୍ଶୁରାମ ମା' ଚର୍ଚ୍ଚିକାଙ୍କ ପାଖରେ ତପସ୍ୟା କରି ଆଶୀର୍ବାଦ ଲାଭ କରିଥିଲେ  । ଏହିଠାରେ ତପସ୍ୟା କରି ବୀର ପର୍ଶୁରାମ ମା' ଚର୍ଚ୍ଚିକାଙ୍କ କୃପାରୁ ମାତୃ ହତ୍ୟା ପାପରୁ ମୁକ୍ତି ପାଇବା ସଙ୍ଗେସଙ୍ଗେ ପୁରାଣ ପୁରୁଷ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ  । ସେଥିପାଇଁ ଏହି ପୀଠର ଅନ୍ୟନାମ ହେଉଛି ପର୍ଶୁରାମ ପୀଠ  । 
ତ୍ରେତୟା ଯୁଗରେ ମହିଷାସୁରକୁ ବଧ କରିବା ପାଇଁ ମା' ଦୁର୍ଗାଙ୍କର  ଆବିର୍ଭାବ ହୋଇଥିଲା  । ମହିଷାସୁରର ଦୁଇ ବୀର ଯୋଦ୍ଧା ରକ୍ତବୀର୍ଯ୍ୟ ଓ ଋଣାସୁରଙ୍କ ସହିତ ଯୁଦ୍ଧ କରିବା ଅବସରରେ ଯୋଗମାୟା ଦେବୀ ଦୁର୍ଗାଙ୍କର ନିଶ୍ୱାସରୁ ଏକ ଦିବ୍ୟ ଜ୍ୟୋତି ସୃଷ୍ଟି ହୋଇଥିଲା । ସେହି ଜ୍ୟୋତିରୁ ଆବିର୍ଭାବ ହୋଇଥିଲେ ଜଗତ ଜନନୀ ମା’ ଚର୍ଚ୍ଚିକା  । ଶିବ ପୁରାଣ ଅନୁଯାୟୀ, ଦକ୍ଷ ଯଜ୍ଞ ସମୟରେ ସତୀଙ୍କ ଦଗ୍ଧ ଶରୀରକୁ ଧାରଣ କରି ମହାଦେବ ପାଗଳ ହୋଇ ଚତୁର୍ଦ୍ଦିଗ ଭ୍ରମଣ କରିଥିଲେ  । ସ୍ୱୟଂ ବିଷ୍ଣୁ ଚକ୍ର ଦ୍ୱାରା ସତୀଙ୍କ ମୃତ ଶରୀରକୁ  ଖଣ୍ଡ ବିଖଣ୍ଡିତ କରିଦେଇଥିଲେ । ସତୀଙ୍କର ଶରୀରର ଯେଉଁ ଅଂଶ ଯେଉଁଠାରେ ପଡ଼ିଲା, ତାହା ଏକ ଶକ୍ତିପୀଠରେ ପରିଣତ ହୋଇଥିଲା  । ସେହି ପୀଠମାନଙ୍କ ମଧ୍ୟରେ ବାଙ୍କୀର ମା’ ଚର୍ଚ୍ଚିକାଙ୍କ ପୀଠ ହେଉଛି ଅନ୍ୟତମ । 
ମା’ଙ୍କ ପୀଠରେ ଦର୍ଶନ ଓ ପୂଜାର୍ଚ୍ଚନା
ମା' ଚର୍ଚ୍ଚିକାଙ୍କ ମନ୍ଦିର ପ୍ରତିଦିନ ସକାଳ ୫ଟାରେ ଖୋଲା ହୋଇ ଦିନ ଦୁଇଟାରେ ପହଡ଼ ପଡ଼ିଥାଏ  ।   ଏହାପରେ ପୁନର୍ବାର ଅପରାହ୍ଣ ୪ଟାରେ ଖୋଲା ହୋଇ ରାତି ୯ଟାରେ ପହଡ଼ ପଡ଼ିବାର ବିଧି ରହିଛି  । ପ୍ରତିଦିନ ୪ ଥର ଦେବୀଙ୍କ ପାଖରେ ଭୋଗ ଲାଗି ହୋଇଥାଏ  । ସକାଳ ୧୦ଟାରେ ଦେବୀଙ୍କ ପାଖରେ ଖେଚୁଡ଼ି, ଡାଲମା, ତରକାରୀ, ଶାଗ ଓ ଖଟା ଭୋଗ ଅର୍ପଣ ହୋଇଥାଏ  ।  ଦ୍ୱିପହର ଭୋଗରେ ମା’ଙ୍କୁ ଲାଗିହୁଏ ଖେଚୁଡ଼ି, ଆମିଷ ତରକାରୀ, କାକରା ଓ ଖଜା  । ସନ୍ଧ୍ୟା ଆଳତୀ ପରେ ପରେ ଦେବୀଙ୍କୁ କେବଳ ସାଧା ଅନ୍ନ ଅର୍ପଣ ହୋଇଥାଏ  । ୪ର୍ଥ ଭୋଗଟି ରାତିରେ ଦହି ପଖାଳ, ତରକାରୀ ଓ ଖଜା ଭୋଗ ଲାଗି ହୋଇଥାଏ  । 
ରିପୋର୍ଟ : ହେନାମଞ୍ଜରୀ ସ୍ୱାଇଁ