ଅପରେସନ ଶକ୍ତି : ପୁଞ୍ଚରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର : ବୁଧବାର ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର କସାଲିଆନ୍ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଏକ ସଫଳ ଅନୁପ୍ରବେଶ ବିରୋଧୀ ଅଭିଯାନରେ ସେନାର ସତର୍କ ସୈନିକମାନେ ନିୟନ୍ତ୍ରଣ ରେଖା ପାର କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଦ୍ରୁତ କାର୍ଯ୍ୟାନୁଷ୍ଠାନ ଏବଂ ସଠିକ୍ ଗୁଳିଚାଳନା ଯୋଗୁଁ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିଛି ଭାରତୀୟ ସେନା । ଜମ୍ମୁ ସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ ପକ୍ଷରୁ ଏନେଇ ଏକ୍ସରେ ପୋଷ୍ଟ କରାଯାଇଛି । ପୁଞ୍ଚର କସାଲିଆନ୍ ନିକଟରେ ନିୟନ୍ତ୍ରଣ ରେଖା (ଏଲଓସି) ପାର କରି ୨ ରୁ ୩ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଗତକାଲି ବିଳମ୍ବିତ ରାତିରେ ସେନା ଏବଂ ପୁଲିସ ଦ୍ୱାରା ‘ଅପରେସନ୍ ଶକ୍ତି' ନାମକ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା । ଅପରେସନ୍ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଘେରାବନ୍ଦୀକୁ ସୁଦୃଢ଼ କରିବା ପାଇଁ ଅତିରିକ୍ତ ସୈନିକଙ୍କୁ ପଠାଯାଇଥିଲା । ସେନା କହିଛି ସୁରକ୍ଷା ବାହିନୀ ଆକାଶ ମାର୍ଗରେ ନିରୀକ୍ଷଣ ମାଧ୍ୟମରେ ଆତଙ୍କବାଦୀମାନଙ୍କୁ ଠାବ କରିଥିଲେ । ଶ୍ରୀନଗରରେ ଏକ ଗୁଳିବିନିମୟ ସମୟରେ ଏପ୍ରିଲ ୨୨ ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ମୃତୁ୍ୟ ପରେ ଜମ୍ମୁ ଓ କାଶ୍ମୀରର ଏଲଓସି ଏବଂ ଅନ୍ତର୍ଜାତୀୟ ସୀମା ରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଆଉ କୌଣସି ଅନୁପ୍ରବେଶ ପ୍ରୟାସକୁ ରୋକିବା ପାଇଁ ସୈନ୍ୟମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି ।