୧୩ ମାସର ଶାସନରେ ମହିଳା ଅସୁରକ୍ଷିତ : ଶାଳୀନତା ଓ ଶିଷ୍ଟାଚାର ଭୁଲିଗଲେଣି କି ଅଭିଳାଷ ?

 ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ଶାଖା ଦ୍ୱାରା ଗତ କାଲି ରାଜରାସ୍ତାରେ କରାଯାଇଥିବା ପ୍ରତିବାଦ କାର୍ୟ୍ୟକ୍ରମ ଉପରେ କଡା ପ୍ରତିକ୍ରିୟା ଦେଇଛି ବିଜୁ ଜନତା ଦଳ । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ବିଜେପିର ଯୁବ ଓ ମହିଳା ଶାଖାକୁ ରାଜରାସ୍ତାରେ ଦେଖି ସ୍ୱାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଆସିଛି ଯେ, ସେମାନେ ରାଜ୍ୟ ବିଜେପି ସରକାରଙ୍କ ଉପରେ ଆସ୍ଥା ହରାଇଲେଣି କି? ତେର ମାସର ବିଜେପି ଶାସନରେ ମହିଳା ଓ ଛାତ୍ରୀଙ୍କ ବିରୋଧରେ ଅପରାଧ ବୃଦ୍ଧି ଘଟିବା ଯୋଗୁ ରାଜ୍ୟବାସୀ ଅତିଷ୍ଠ ହୋଇ ପଡିଛନ୍ତି । ଯେତେବେଳେ ବିଜେପି କର୍ମକର୍ତ୍ତା ମାନେ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଉଛନ୍ତି, ସେତେବେଳେ ବିଜେପି ମୁହଁ ଚୁପ ରଖୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ବୟସକୁ ନେଇ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭଗ୍ୟ ଜନକ । ଯେଉଁ ଦଳର ସଭାପତିଙ୍କୁ ୨୦୦୮ ମସିହାରେ ଓଡିଶା ନିବାସରେ ଗୋଟିଏ ରୁମରେ ତାଲା ପକାଇ ଅଟକାଯାଇଥିଲା, ସେହି ଦଳର ଯୁବ ସଭାପତି ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି କହିଛନ୍ତି ।  ବିଜେପି ଯୁବ ମୋର୍ଚ୍ଚାର ସଭାପତି ଶିଷ୍ଟାଚାର ଓ ଶାଳୀନତା ଭୁଲି ଯାଉଛନ୍ତି ଯେ ରାଜ୍ୟର ସର୍ବାଧିକ କଲେଜ କ୍ୟାମ୍ପସର ନିର୍ବାଚିତ କର୍ମକର୍ତ୍ତା ବିଜୁ ଛାତ୍ର ଜନତା ଦଳ ସହ ସଂପୃକ୍ତ । ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀର ଆତ୍ମଦାହ ଘଟଣାରେ, ଦୀର୍ଘ ଛଅ ମାସ କାଳ ସେ ନ୍ୟାୟ ପାଇବା ପାଇଁ ସଙ୍ଘର୍ଷ କରିଥିଲେ । ବିଜେପିର ଛାତ୍ର ସଂଗଠନ ଏବିଭିପିର ଜଣେ ସଦସ୍ୟ ହୋଇଥିବା ସତ୍ୱେ,  ସୌମ୍ୟାଶ୍ରୀଙ୍କୁ ସରକାର ନ୍ୟାୟ ଦେବା ପାଇଁ ବିଫଳ ହୋଇଛନ୍ତି ।