ମଉଳିଯାଉଛି ଅମ୍ଳାନ ଯୋଜନା : ରକ୍ତହୀନତା କବଳରୁ ମୁକୁଳିପାରୁନି ନବରଙ୍ଗପୁର
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରକ୍ତହୀନତା ଭଳି ଅଭାବନୀୟ ଅବସ୍ଥାରୁ ମୁକୁଳିବାକୁ କସରତ ଚଳାଇଥିଲେ ମଧ୍ୟ ସଫଳତା ଲକ୍ଷ୍ୟରୁ ବହୁ ଦୂରରେ ରହିଯାଉଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବକ୍ଷେଣ -୫ (ଏନଏଫଏଚଏସ) ଅନୁଯାୟୀ ଜିଲ୍ଲାରେ ୬ ମାସରୁ ୫୯ ମାସ ମଧ୍ୟରେ ରହିଥିବା ଶିଶୁଙ୍କ ମଧ୍ୟରେ ୭୦. ୮ ପ୍ରତିଶତ ରକ୍ତହୀନତାରେ ପୀଡିତ ଥିବାବେଳେ ୧୫ ରୁ ୧୯ ବର୍ଷ ପର୍ଯ୍ୟନ୍ତ କିଶୋରୀଙ୍କ ମଧ୍ୟରେ ମଧ୍ୟରେ ୭୦. ୮ ପ୍ରତିଶତ ରକ୍ତହୀନତା ଶୀକାର ହୋଇଛନ୍ତି । ସେହିଭଳି ୧୫ରୁ ୪୯ ବର୍ଷ ଗର୍ଭବତୀ ମହିଳାଙ୍କ ମଧ୍ୟରେ ୬୯, ୩ ପ୍ରତିଶତ ରକ୍ତହୀନତା ଶୀକାର ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପରିସଂଖ୍ୟାନ ଅନୁଯାୟୀ ଗତ ୫ ବର୍ଷରେ ୨୦ ହଜାରରୁ ଅଧିକ ନାବାଳିକା ଗର୍ଭବତୀ ହୋଇଥିବା ସାମନାକୁ ଆସିଥିଲା । ରକ୍ତହୀନତା ସମସ୍ୟାରୁ ମୁକୁଳିବାକୁ ୨୦୨୨ ମସିହାରୁ ସରକାରଙ୍କ ପକ୍ଷରୁ ଅନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଳାନ) ଆରମ୍ଭ ହୋଇଛି । ତେବେ ଏହି ଯୋଜନା ନିରକ୍ଷରତା ଓ ଗର୍ଭବତୀଙ୍କ ମୁଣ୍ଡବଥା କାର୍ଯ୍ୟକାରୀ ପରେ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ସର୍ଭେ ରିପୋର୍ଟ କହୁଥିବାବେଳେ ସେମିତି ଆଖିଦୃଶିଆ ସଫଳତା ହାସଲ ସମ୍ଭବ ହୋଇପାରିନାହିଁ । ଯୋଜନା ଫସର ଫାଟିବା ପ୍ରମୁଖ କାରଣ ରହିଛି ମହିଳା ସାକ୍ଷରତା ହାରରେ ଅବନତି, ବାଲ୍ୟ ବିବାହ ଓ ନାବାଳିକା ଗର୍ଭବତୀ ଓ ମାତୃତ୍ୱ ଭଳି ସାମାଜିକ ବଧୂ । ୨୦୨୪ ଏପ୍ରିଲ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ୯ ମାସ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏବେବି ରକ୍ତହୀନତା ସ୍ଥିତି ଉଦବେଗଜନକ ଅବସ୍ଥାରେ ରହିଛି । ଏହି ସମୟ ମଧ୍ୟରେ ମୋଟ ୭୬, ୪୪୫ ରକ୍ତ ନମୂନା ପରୀକ୍ଷଣ ହୋଇଥିବା ବେଳେ ୪୦, ୨୯୮ ମହିଳା ରକ୍ତହୀନତା ଶୀକାର ଥିବା ଜଣାପଡିଛି । ଅର୍ଥାତ ୫୨, ୭୧ ପ୍ରତିଶତ ମହିଳା ରକ୍ତହୀନତା କବଳିତ ହୋଇଛନ୍ତି । ୫ରୁ ୯ ବର୍ଷ ମଧ୍ୟରେ ୪୩, ୬୬୫ ଶିଶୁଙ୍କ ମଧ୍ୟରୁ ୨୪, ୦୯୭ ଶିଶୁ ଅର୍ଥାତ ୫୫, ୧୮ ପ୍ରତିଶତ ରକ୍ତହୀନତା ଶୀକାର ହୋଇଛନ୍ତି । ୧୦ ରୁ ୧୯ ବର୍ଷ କିଶୋରୀଙ୍କ ୪୪, ୧୧୦ ରକ୍ତ ନମୁନା ପରୀକ୍ଷଣରୁ ୨୧, ୫୯୯ ଅର୍ଥାତ ୪୯ ପ୍ରତିଶତ ରକ୍ତହୀନତା ଶୀକାର ରହିଛନ୍ତି । ସେହିଭଳି ସ୍କୁଲ ଯାଉନଥିବା ଏହି ବର୍ଗର ୧୮, ୮୫୦ କିଶୋରୀଙ୍କ ମଧ୍ୟରେ ୧୨, ୫୪୯ ଅର୍ଥାତ ୬୬, ୫୭ ପ୍ରତିଶତ ରକ୍ତହୀନତା ଶୀକାର ରହିଛନ୍ତି । ୧୯, ୫୪୪ ଗର୍ଭବତୀଙ୍କ ମଧ୍ୟରେ ୧୩, ୦୦୦ ଅର୍ଥାତ ୬୬, ୫୨ ପ୍ରତିଶତ ଓ ୧୪, ୧୯୫ ସ୍ତନ୍ୟପାନ କରାଉଥିବା ପ୍ରସୂତିଙ୍କ ମଧ୍ୟରେ ୮୯୫୯ ଅର୍ଥାତ ୬୦ ପ୍ରତିଶତ ରକ୍ତହୀନତା ଶୀକାର ମହିଳା ରହିଥିବା ସୂଚନା ମିଳିଛି । ଜିଲ୍ଲାରେ ପ୍ରତିବର୍ଷ ୩୯ ପ୍ରତିଶତ ବାଲ୍ୟ ବିବାହ ହେଉଥିବା ଜାତୀୟ ସର୍ଭେ ରିପୋର୍ଟ କହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏଥିରେ କିଛି ପରିମାଣରେ ଅଙ୍କୁଶ ଲଗାଇବା ସମ୍ଭବ ହୋଇଛି । ତେବେ ହାତକୁ ନିଆଯାଉଥିବା ସଚେତନତା ଅଭିଯାନ ଆନେ୍ଦାଳନ ରୂପ ନେଲେ ଏମିତି ସମସ୍ୟାର ସମାଧାନ ସମ୍ଭବ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।