ଦିଲ୍ଲୀରୁ ରାଜ୍ୟ ବିଜେପି ନେତାଙ୍କୁ ନିଦେ୍ର୍ଦଶ : ‘ଗୋଷ୍ଠୀ କନ୍ଦଳ ଛାଡ଼, ଏକାଠି ଲଢ଼'

ଭୁବନେଶ୍ୱର : ସରକାରକୁ ଆସିବା ପାଇଁ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଦିନରାତି ଏକ କରିଦେଇଥିଲେ । ସଂଗଠନ ବଢ଼ାଇବା ପାଇଁ କେନ୍ଦ୍ରୀୟ ବିଜେପି ଓ କେନ୍ଦ୍ର ସରକାର ସବୁ ରକମ ସହାୟତା ବି କରିଥିଲେ । ଯାହାର ସୁଫଳ ଚବିଶ ନିର୍ବାଚନରେ ରାଜ୍ୟ ବିଜେପି ପାଇଛି । ପ୍ରଥମ ଥର ପାଇଁ ଦଳ ନିଜ ଦମ୍ରେ ସରକାର ଗଢ଼ିଛି । କିନ୍ତୁ ଏବେ ଗୋଷ୍ଠୀକନ୍ଦଳ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ କାର୍ଯ୍ୟକର୍ତ୍ତାଙ୍କ ମନରେ ଆତ୍ମବିଶ୍ୱାସ ବି କମିଯାଇଛି । ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ପରିଶ୍ରମକୁ ଆଖି ଆଗରେ ରଖି ଆଗଧାଡ଼ିର ନେତାମାନେ ଗୋଷ୍ଠୀ କନ୍ଦଳ ଛାଡ଼ି ଏକାଠି ଲଢ଼ିବାକୁ ଦିଲ୍ଲୀରୁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
ବିଜେପି ଅଳିନ୍ଦରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ କିମ୍ବା ବିଜେଡ଼ି ଭଳି ରାଜ୍ୟ ବିଜେପିରେ ବି ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି । ସେମାନେ ବିରୋଧୀ ଦଳରେ ଥିବାରୁ କଂଗ୍ରେସ କିମ୍ବା ବିଜେଡ଼ି ନେତାମାନେ ଗଣମାଧ୍ୟମରେ ଅସନ୍ତୋଷ ଝାଡୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଥିବାରୁ ରାଜ୍ୟ ବିଜେପି ନେତାମାନେ ଗଣମାଧ୍ୟମରେ ଅସନ୍ତୋଷ ଝାଡ଼ିପାରୁନାହାନ୍ତି । କିନ୍ତୁ ଅନେକ ନେତାଙ୍କ ମନ ଭିତରେ ଫାଟ ପରିଲକ୍ଷିତ ହୋଇଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ବରିଷ୍ଠ ନେତାଙ୍କ ଭିତରେ ଏକମତ ପ୍ରକାଶ ପାଇପାରୁନଥିବାରୁ ଏହା ଝୁଲିରହିଛି । ବାରବାର କେନ୍ଦ୍ରୀୟ ପଦାଧିକାରୀମାନେ ଓଡ଼ିଶା ଆସି ଏନେଇ ଘନଘନ ଆଲୋଚନା କରୁଥିଲେବି କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ରାଜ୍ୟ ବିଜେପିରେ ସମସ୍ତେ ଏକାଠି ନାହାନ୍ତି ବୋଲି କେନ୍ଦ୍ରୀୟ ବିଜେପିକୁ ରିପୋର୍ଟ ଦିଆଯାଇଛି ।
ଏନେଇ କେନ୍ଦ୍ରୀୟ ବିଜେପି ପକ୍ଷରୁ କୁହାଯାଇଛିଯେ, ସମ୍ପ୍ରତି ବିଜେଡ଼ି ବିରୋଧୀ ଦଳରେ ଥିବାବେଳେ ନବୀନ ପଟ୍ଟନାୟକଙ୍କର କ୍ରେଜକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଦଳ ଓ ସରକାର ଭଲ ପ୍ରଦର୍ଶନ କଲେ ବିଜେପି ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ବଢ଼ିପାରିବ । ଓଡ଼ିଶାରେ ଏକାଦିକ୍ରମେ ଶାସନ କରିବାର ପରମ୍ପରା ରହିଛି । ଓଡ଼ିଶାବାସୀ ଥରେ ଆସ୍ଥା ପ୍ରକଟ କଲେ ଏକାଧିକବାର ଶାସନକୁ ଫେରି ହୋଇପାରିବ । ସଂଗଠନ ଓ ସରକାର ମଧ୍ୟରେ ସୁସମନ୍ୱୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସେହିପରି ଯେଉଁସବୁ ବରିଷ୍ଠ ନେତାଙ୍କ ମଧ୍ୟରେ ମନ ଫଟାଫଟି ରହିଛି ସେହିସବୁ ନେତାଙ୍କୁ ଦିଲ୍ଲୀ ଡକାଯାଇ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସମାଧାନ କରାଯିବ । ଯିଏ ଭଲ କାମ କରୁଛି ତାକୁ ହିଁ ପଦପଦବୀ ମିଳିବ । କୌଣସି ଗୋଷ୍ଠୀ ବା ମେଳି ନକରିବାକୁ ସ୍ପଷ୍ଟ ନିଦେ୍ର୍ଦଶ ଦିଆଯାଇଛି । ସରକାରଙ୍କୁ ଅକଳରେ ପକାଇବାକୁ ଯେଉଁ ନେତାମାନେ ଉଦ୍ୟମ କରୁଥିବା ଜଣାପଡ଼ିବ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଦଶହରା ପରେ ସରକାରଙ୍କ ପ୍ରଦର୍ଶନ, ମନ୍ତ୍ରୀମାନଙ୍କ ପ୍ରଦର୍ଶନ, ସଂଗଠନ ଆଦି ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସର୍ଭେ କରାଯିବ ବୋଲି ଜାଣିବାକୁ ମିଳିଛି । ସେହିପରି କେନ୍ଦ୍ର ସରକାର ଆଉ କି କି ସହଯୋଗ କରିବାର ଆବଶ୍ୟକତା ରହିଛି ସେନେଇ ବି ଅନୁଧ୍ୟାନ ହେବ । ଦଳର ସବୁ ଆଗଧାଡ଼ିର ନେତାମାନଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇ ଲକ୍ଷ୍ମଣରେଖା ସ୍ଥିର କରାଯିବ । ବିଶେଷକରି ସରକାରଙ୍କ କାମରେ ନିହାତି ଆବଶ୍ୟକ ନହେଲେ ହସ୍ତକ୍ଷେପ ନକରିବାକୁ ପରାମର୍ଶ ଦିଆଯାଇଛି । ଯେଉଁଠି ସମସ୍ୟା ହେବ ତୁରନ୍ତ ସେନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅବଗତ କରାଯିବ । ଖାଲିସେତିକି ନୁହେଁ ସମନ୍ୱୟ ପାଇଁ ଜାତୀୟସ୍ତରର ଜଣେ ନେତାଙ୍କୁ ଦାୟିତ୍ୱ ଦିଆଯିବ । ଯିଏକି କେବଳ ଓଡ଼ିଶାର ସଂଗଠନ, ସରକାର ମଧ୍ୟରେ ସମନ୍ୱୟ ହିଁ ରକ୍ଷାକରିବେ । ସମସ୍ତଙ୍କ ଆପତ୍ତି ଅଭିଯୋଗ ସେ ଶୁଣି ସମାଧାନର ବାଟ ବାହାର କରିବେ ବୋଲି ଜାଣିବାକୁ ମିଳିଛି ।