ଯୌନ ନିର୍ଯାତନା ଅଭିଯୋଗ ପରେ ଫେରାର ଚୈତନ୍ୟାନନ୍ଦ ସରସ୍ୱତୀ

ଯୌନ ନିର୍ଯାତନା ଅଭିଯୋଗ ପରେ ଫେରାର  ଚୈତନ୍ୟାନନ୍ଦ ସରସ୍ୱତୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଟ୍ୟୁଟ୍‌ ଅଫ୍‌ ଇଣ୍ଡିଆନ ମ୍ୟାନେଜମେଣ୍ଟର ନିର୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ (ପାର୍ଥ ସାରଥୀ) ବିରୋଧରେ ୧୭ ଜଣ ଛାତ୍ରୀ ଯୌନ ନିର୍ଯାତନ, ଅଶୋଭନୀୟ ମେସେଜ୍‌ ଓ ଧମକ ଅଭିଯୋଗ କରିଛନ୍ତି। ଓଡ଼ିଶାରେ ଜନ୍ମିତ ୫୨ ବର୍ଷୀୟ ଏହି ଆଧ୍ୟାତ୍ମିକ ନେତା ଛାତ୍ରୀମାନଙ୍କୁ “ବେବୀ”, “ଆଇ ଲଭ ୟୁ” ଭଳି ମେସେଜ୍‌ ପଠାଇଥିବା ଓ ଅନୁଚିତ ଆଚରଣ କରିଥିବା ଅଭିଯୋଗ ହୋଇଛି।ତାଙ୍କ ଅଫିସକୁ “ନିର୍ଯାତନ କକ୍ଷ” ଭାବେ ବ୍ୟବହାର କରାଯାଉଥିବା ଓ ଛାତ୍ରୀମାନଙ୍କ ମୂଳ ପ୍ରମାଣପତ୍ର ଜବତ କରି ସେମାନଙ୍କୁ ନୀରବ ରହିବାକୁ ବାଧ୍ୟ କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ହରିଦ୍ୱାର ଗସ୍ତ ଓ ଧାର୍ମିକ ଅନୁଷ୍ଠାନ ନାଁରେ ଛାତ୍ରୀମାନଙ୍କୁ ନିର୍ଯାତନ କରାଯାଇଥିବା ଅଭିଯୋଗ ରହିଛି। ଇନଷ୍ଟିଟ୍ୟୁଟର ଡିନ୍‌ ଓ ଦୁଇ ମହିଳା କର୍ମଚାରୀ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଛି। ଅଗଷ୍ଟ ୨୦୨୫ରେ ଡିଫେନ୍ସ କଲୋନୀ ଥାନାରେ ଏଫଆଇଆର ଦାୟର ହୋଇଛି। ୩୦୦ ପୃଷ୍ଠାରୁ ଅଧିକ ପ୍ରମାଣ ଓ ଛାତ୍ରୀମାନଙ୍କ ବୟାନ ଆଧାରରେ ଅନ୍ୟ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ସରସ୍ୱତୀ ବର୍ତମାନ ଫେରାର ଅଛନ୍ତି। ଦିଲ୍ଲୀ ପୁଲିସ ତାଙ୍କୁ ଖୋଜିବା ପାଇଁ ବିଭିନ୍ନ ରାଜ୍ୟରେ ଚଢ଼ାଉ କରୁଛି ଓ ଲୁକଆଉଟ ସର୍କୁଲାର ଜାରି କରିଛି।