ସମ୍ବଲପୁରକୁ ଧର୍ମେନ୍ଦ୍ର କରିବେ ବିଜେପି ଗଡ଼

Dharmendra Pradhan

ସମ୍ବଲପୁରକୁ ଧର୍ମେନ୍ଦ୍ର କରିବେ ବିଜେପି ଗଡ଼

ଭୁବନେଶ୍ୱର : ୨୦୨୯ ପାଇଁ ଏବେଠାରୁ ଗୋଟି ଚଳାଇବା ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ୨୦୨୪ ନିର୍ବାଚନରେ ଲକ୍ଷାଧିକ ଭୋଟରେ ଜିତିଥିବା ଧର୍ମେନ୍ଦ୍ର ବିଜେପିର ଶକ୍ତିକୁ ମଜବୁତ୍‌ କରି ଚାଲିଛନ୍ତି  । ଏବେ ତାଙ୍କ ଫୋକସରେ ରହିଛି ସମ୍ବଲପୁର ସଂସଦୀୟ କ୍ଷେତ୍ର  । ଏହାକୁ ବିଜେପିର ଗଡ଼ରେ ପରିଣତ କରିବା ପାଇଁ ସେ ମେହନତ ଆରମ୍ଭ କରିଦେଇଛନ୍ତି  ।

ସମ୍ବଲପୁର ଜିଲ୍ଲାରେ ୪ଟି ବିଧାନସଭା କ୍ଷେତ୍ର ରହିଛି  । ଗତ ନିର୍ବାଚନରେ ସମ୍ବଲପୁରରେ ବିଜେପି ନେତା ଜୟ ନାରାୟଣ ମିଶ୍ର ଓ କୁଚିଣ୍ଡାରେ ମନ୍ତ୍ରୀ ରବି ନାରାୟଣ ନାୟକ ବାଜିମାତ୍‌ କରିଥିଲେ  । ତେବେ ରେଢ଼ାଖୋଲରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରେଙ୍ଗାଲୀରେ ସୁଦର୍ଶନ ହରିପାଲ୍‌ ବିଜୟୀ ହୋଇଛନ୍ତି  । ରେଢାଖୋଲ ଓ ରେଙ୍ଗାଲୀରେ ବିଜେପିକୁ ମଜବୁତ୍‌ କରିବା ପାଇଁ ବିଜେଡ଼ି ନେତାଙ୍କ ଉପରେ ଧର୍ମେନ୍ଦ୍ର ଆଖି ପକାଇଛନ୍ତି  । ନିକଟରେ ରେଢ଼ାଖୋଲର ପ୍ରାୟ ଦି ଡଜନ ସରପଞ୍ଚ, ସମିତି ସଭ୍ୟ ଓ ଆଗଧାଡ଼ିର ବିଜେଡ଼ି ନେତା ବିଜେପିରେ ସାମିଲ୍‌ ହୋଇଛନ୍ତି  ।

ଧର୍ମେନ୍ଦ୍ରଙ୍କ ଏହି ରଣନୀତି ଖାଲି ସମ୍ବଲପୁର ନୁହେଁ ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ବି ବିଜେପିକୁ ସଶକ୍ତ କରିବ  । ସମ୍ବଲପୁର ହେଉଛି ଏମିତି ଏକ ଲୋକସଭା କ୍ଷେତ୍ର ଯାହା ତିନୋଟି ଜିଲ୍ଲାକୁ ବ୍ୟାପିଛି  । ଦେବଗଡ଼ରେ ଏଥର ବିଜେଡ଼ିର ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବାଜିମାତ୍‌ କରିଥିବାବେଳେ ଅନୁଗୁଳର ଆଠମଲ୍ଲିକରେ ନଳିନୀକାନ୍ତ ପ୍ରଧାନ ବିଜୟୀ ହୋଇଛନ୍ତି  । ଅପରପକ୍ଷରେ ଛେଣ୍ଡିପଦାରେ ବିଜେପି ନେତା ଅଗସ୍ତି ବେହେରା ବାଜିମାତ୍‌ କରିଥିଲେ  । ତେଣୁ ଦେବଗଡ଼ ଓ ଆଠମଲ୍ଲିକ ଉପରେ ଧର୍ମେନ୍ଦ୍ର ମଧ୍ୟ ଫୋକସ୍‌ କରିବା ଆରମ୍ଭ କରିଛନ୍ତି  । ଦେବଗଡ଼ରେ ବିଜେପିର ଭଲ ଭୋଟ୍‌ ବ୍ୟାଙ୍କ ଥିଲା  । ତେବେ ପ୍ରାର୍ଥୀତ୍ୱକୁ ନେଇ ସମସ୍ୟା ଯୋଗୁଁ ବିଜେପି ସେଠାରେ ହାରିଯାଇଥିଲା  । ଧର୍ମେନ୍ଦ୍ର ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଥିବାବେଳେ ରାଜ୍ୟରେ ବିଜେପି ସରକାର ରହିଛି  । ସେ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେବି ବିଜେପି ସରକାରରେ ତାଙ୍କର ଦବଦବା ସବୁଠୁ ଅଧିକ ଅଛି  ।

୨୦୨୯ରେ ଯେମିତି ପୁଣି ଥରେ ସମ୍ବଲପୁରରୁ ସେ ଜିତିପାରିବେ, ସେଥିପାଇଁ ଦଳକୁ ମଜବୁତ୍‌ କରିବା ପାଇଁ ମୋଦି ସରକାର ଓ ମୋହନ ସରକାରଙ୍କୁ ସହଯୋଗ ବି ନେଉଛନ୍ତି  । ଆଗାମୀ ଦିନରେ ସମ୍ବଲପୁରରେ ନୂଆ ନୂଆ ପ୍ରକଳ୍ପ ମଧ୍ୟ ଆସିବାକୁ ଯାଉଛି  । ଜାତୀୟସ୍ତରରେ ତାଙ୍କର କ୍ରେଜ୍‌ ଥିବାରୁ ଅନେକ ବିଜେଡ଼ି ନେତା ଓ କର୍ମୀ ତାଙ୍କ ସହ ଯୋଗସୂତ୍ରରେ ରହିଛନ୍ତି  । କାହିଁକିନା ସେ ଖାଲି ସାଧାରଣ ସାଂସଦ ନୁହଁନ୍ତି ଦଳର ପୋଷ୍ଟର ବୟ ମଧ୍ୟ  । ଧର୍ମେନ୍ଦ୍ରଙ୍କ ସହ ରହିଲେ ରାଜନୀତିର ଶିଡ଼ି ଚଢ଼ିବା ସହଜ ବୋଲି ଅନେକ ବିଜେଡ଼ି ନେତା ବୁଝି ସାରିଛନ୍ତି  । ଆଗାମୀ ଦିନରେ  ସମ୍ବଲପୁର ସଂସଦୀୟ କ୍ଷେତ୍ରର ଅନେକ ବିଜେଡ଼ି ନେତା ପଦ୍ମ ଧରିବା ନିଶ୍ଚିତ ହୋଇଯାଇଛି  । ୨୦୨୭ ପଞ୍ଚାୟତ ନିର୍ବାଚନରେ ନିଜ ନିର୍ବାଚନମଣ୍ଡଳୀରେ ବିଜେପିକୁ ଏକପାଖିଆ ବିଜୟ କରିବା ପାଇଁ ସେ ରଣନୀତି କରିଛନ୍ତି  । ସେଥିପାଇଁ ଦିଲ୍ଲୀରୁ ଓଡ଼ିଶା ଆସିବା ମାତ୍ରେ ସେ ସମ୍ବଲପୁର ଗସ୍ତ କରୁଛନ୍ତି  । ସେପଟେ ଧର୍ମେନ୍ଦ୍ରଙ୍କୁ ଅଟକାଇବା ପାଇଁ ବିଜେଡ଼ି ମଧ୍ୟ ସମ୍ବଲପୁର ଉପରେ ଫୋକସ କରୁଛି  । କିନ୍ତୁ ଲୋକେ ବିଜେପି ମୁହାଁ ହେଉଥିବାରୁ ତାହା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇ ଦେଇଛି  ।