ଆଳୁ ଦର ଏବେବି କିଲୋ ପିଛା ୫୦ରୁ ୬୦

ଆଳୁ ଦର ଏବେବି କିଲୋ ପିଛା ୫୦ରୁ ୬୦

ଭୁବନେଶ୍ବର: ଆଳୁ ସଙ୍କଟ । କେବେ ନିୟନ୍ତ୍ରଣ ହେବ ଦରଦାମ ନାହିଁ କାହାକୁ ଜଣା। କ୍ଷତିରେ ବ୍ୟବସାୟୀ । ଭଡା ବାବଦରେ ଟନ ପିଛା ଗଣୁଛନ୍ତି ୩ ଗୁଣା ।ଖାଉଟି ଚଢା ଦରରେ କିଣୁଛନ୍ତି ଆଳୁ । ମାସେ ହେଲାଣି ଦର ନିୟନ୍ତ୍ରଣ ହେଉନି  ରାଜ୍ୟରେ ଆଳୁକୁ ନେଇ ବଢିଛି ଗ୍ରାହକଙ୍କ ଚିନ୍ତା । ଦର ଏବେବି କିଲୋ ପିଛା ୫୦ରୁ ୬୦ । ସରକାରଙ୍କ ସମସ୍ତ ଉଦ୍ୟମ ଫେଲ୍, ନିୟନ୍ତ୍ରଣକୁ ଆସୁନି ଦର । ପଶ୍ଚିମବଙ୍ଗ ଆଳୁ ଦେବାକୁ ମନା କରିବାକୁ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ଆଣୁଛନ୍ତି ବ୍ୟବସାୟୀ । ହେଲେ ଭଡ଼ା ବାବଦକୁ ଦେବାକୁ ପଡୁଛି ୩ ଗୁଣା ଅଧିକ ଟଙ୍କା । ଯାହା ଆସୁଛି ସେଥିରୁ ପ୍ରାୟ ୨୦ ପ୍ରତିଶତ ବାହାରି ଯାଉଛି ପଚା । ଏଭଳି ସ୍ଥିତିରେ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ଆଳୁ ଭଳି ପିଆଜ ଦର ମଧ୍ୟ ହାପ୍ ସେଞ୍ଚୁରୀ ମାରିଛି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଦର ବଢୁଥିବା ଅଭିଯୋଗ କରିଛି ବ୍ୟବସାୟୀ ସଂଘ । ଏବେ ପଶ୍ଚିମବଙ୍ଗ, ୟୁପି ଓ ପଞ୍ଜାବରୁ ଓଡିଶାକୁ ଦୈନିକ ୨୦୦ ଗାଡି ଆଳୁ ଆସୁଛି । ପଶ୍ଚିମବଙ୍ଗରୁ ଗୋଟିଏ ଦିନ ଲାଗୁଥିଲା । ଅନ୍ୟ ରାଜ୍ୟରୁ ଆସିବାକୁ ୩ ଦିନ ଲାଗୁଛି । ପଶ୍ଚିମବଙ୍ଗରୁ ଟନ ପିଛା ୩୦ ହଜାର ଭଡା ପଡୁଥିବାବେଳେ ୟୁପି ଓ ପଞ୍ଜାବରୁ ୧ ଲକ୍ଷ ୨୦ ହଜାର ଭଡା ପଡୁଛି । ୟୁପି ଓ ପଞ୍ଜାବରୁ ଆସୁଥିବା ଆଳୁରୁ ଅଧିକ ପଚା ବାହାରୁଛି । ଏଥିଲାଗି ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡୁଛି । ଯେଉଁଠି ୧୦୦ ପକେଟ ଆଳୁ ଯାଉଛି, ସେଠାରେ ୧୨ ପକେଟ ପଚା ବାହାରୁଛି । ୟୁପି ଓ ପଞ୍ଜାମ ଆଳୁକୁ ଲୋକେ ମଧ୍ୟ ପସନ୍ଦ କରୁନାହାନ୍ତି । ସେଥିରୁ ବି ପଚା ବାହାରୁଛି । ପାଇକାରୀ ଦର ୨୨ରୁ ୨୬ ଟଙ୍କା ଥିବାବେଳେ ସୁପର ଆଳୁର ଦର ୨୭ ଟଙ୍କା ରହିଛି । ହେଲେ ଖୁଚୁରା ବିକ୍ରି ଦର ୩୫ରୁ ୪୦ ଟଙ୍କା ରହୁଛି । ଯାହା ଫଳରେ ବଜାରରୁ ଖାଉଟି ବି ଚଢା ଦରରେ ଆଳୁ କିଣୁଛନ୍ତି । ଲୋକ ଦେଖାଣିଆ ରାଜଧାନୀରେ ୧୦୦ ଟଙ୍କାରେ ୩ କିଲୋ ଆଳୁ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେଶୋଇ ଯାଇଛନ୍ତି ସରକାର ।

ସେପଟେ ଆଳୁ ପରେ ଓଡିଶାରେ ପିଆଜ ମାରିଛି ଅର୍ଦ୍ଧ ଶତକ । ଗରିବ ଓ ମଧ୍ୟବିତ୍ତଙ୍କୁ ଆଳୁ ପରେ କନ୍ଦାଉଛି ପିଆଜ । ପଖାଳ କଂସାରୁ ଆଳୁ ପରି ଗାଏବ ହେଉଛି ପିଆଜ । ବାଲେଶ୍ବରର ନୂଆବଜାରରେ ଆଳୁ ଓ ପିଆଜ ଦରରେ ସତେ ଯେମିତି ଲାଗିଛି ରେସ୍ । ଆଳୁ ୪୦କୁ ପିଆଜ ୫୦ ହେଲେ କିଣିବାକୁ ନାହାନ୍ତି ଗ୍ରାହକ । କେବଳ ବାଲେଶ୍ବର ନୁହେଁ, ଓଡିଶାରେ ପିଆଜ ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।