ଯେଉଁଠି କେଳେଙ୍କାରୀ ସେଠାକୁ ବଦଳି : ତହସିଲଦାରଙ୍କ ପାଇଁ ଅସୁବିଧା ଭୋଗୁଛନ୍ତି ଜନତା


ଚିଲିକାରୁ ଭବାନୀ ଶଙ୍କର ନାୟକ : ଗୋଟେ ଅଞ୍ଚଳରେ ଜଣେ ସରକାରୀ ଅଧିକାରୀ ନିଜର କାର୍ଯ୍ୟଶୈଳୀଙ୍କୁ ନେଇ ବଦନାମ ହେବା ପରେ ପୁନର୍ବାର ପୁଣି ସେହି କଳଙ୍କିତ ଅଧିକାରୀଙ୍କୁ ନିଜ ଜିଲାରେ ଆଉ ସେହି ଅଞ୍ଚଳରେ ନିଯୁକ୍ତି ଦେଲା କିଏ? ପୂର୍ବରୁ ଅନେକ ଦାଗ ଲାଗି ରହିଛି, ଏବେ ବି ଛାଡି ନାହିଁ । ଜଣେ ପ୍ରଶାସନିକ ଅଧିକାରୀ ଲୋକଙ୍କ ସେବା କରିବା ପରିବର୍ତ୍ତେ ଲୋକଙ୍କୁ ଖରାପ ବ୍ୟବହାର ଦେଖାଉଛନ୍ତି । ଯେକୌଣସି କାର୍ଯ୍ୟରେ ତହସିଲ କାର୍ଯ୍ୟାଳୟକୁ ଗଲେ ବିନା ହାତ ଗୁଂଜାରେ କାମ ହେଇପାରୁନି । ଯେ ପର୍ଯ୍ୟନ୍ତ ଆପଣ ପଇସା ଦେଇ ନାହାନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କୁ ଅଫିସ ଧାଇଁବାକୁ ପଡିବ । ସେ ମାସେ ଲାଗୁ, ଦୁଇ ମାସ ଲାଗୁ କିମ୍ବା ବର୍ଷେ ଏ ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ନାଚୁଣୀ ଥାନା ଅନ୍ତର୍ଗତ ତହସିଲ କାର୍ଯ୍ୟାଳୟର । ସାଧାରଣ ଲୋକଙ୍କ ଗୋଟାଏ ଅଭିଯୋଗ ବିନା ହାତ ଗୁଂଜାରେ ତହସିଲଦାର ଓ ଆଡିଶନାଲ ତହସିଲଦାର କୌଣସି କାର୍ଯ୍ୟ କରୁ ନାହାନ୍ତି । ଲୋକଙ୍କୁ ନାହିଁ ନ ଥିବା ହଇରାଣ କରୁଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି ଅଫିସରେ କାର୍ଯ୍ୟରତ ଜଣେ ପିଅନଙ୍କ ମାଧ୍ୟମରେ କୁଆଡେ ସବୁ କାରବାର ହେଉଛି । ଯଦି କିଛି ପୁରୁଣା କଥା ମନେ ପକେଇବା ବାଲୁଗାଁ ଜଗଉ ର ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସମୟରେ ମସ୍ୟଜୀବୀ ମାନଙ୍କର ସାମଗ୍ରୀ ଆଉ କିଛି ସରକାରୀ ଅର୍ଥ ହଡପ୍ କରିଥିବାର ସୂଚନା ରହିଥିଲା । ତେବେ ବାଣପୁରରେ ଯେତେବେଳେ କାହ୍ନୁଚରଣ ଘଡେଇ ସବ୍ରେଜିଷ୍ଟାର ଥିଲେ କିଛି ଜମି ମାଫିଆଙ୍କ ସହିତ ମିଶି ଠାକୁରଙ୍କ ଜମି କେଳେଙ୍କାରୀ କରି ବିଲଡରଙ୍କ ପ୍ରିୟପାତ୍ର ପାଲଟି ଥିଲେ । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲ । ଖବର ପ୍ରକାଶ ପରେ ସେଠାରୁ ବାବୁ ବ୍ରହ୍ମଗିରି ତହସିଲ ଅଫିସରେ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ । ବିଜେପି ସରକାର ଶାସନକୁ ଆସିବା ପରେ ବାବୁ କୁଆଡେ ଚାରି ଦିନ ଆଉ ଚାରି ରାତି ଅଧିଆ ପଡ଼ିଥିଲେ ନାଚୁଣୀସ୍ଥିତ ଛାମୁଙ୍କ ବାସଭବନରେ । ଲୋକଟିର ଏପରି ହାବ ଭାବ ଦେଖି ଛାମୁଙ୍କର ହୃଦୟ ତରଳି ଯାଇଥିଲା । ଦୁଇ ଦିନ ଭିତରେ ଘଡେଇ ବାବୁଙ୍କର ଭୁବନେଶ୍ୱର ରପ୍ତାନି ଭବନରୁ ସିଧା ବଦଳି ହୋଇଗଲା ଚିଲିକା ତହସିଲ କାର୍ଯ୍ୟାଳୟକୁ । କ’ଣ ପାଇଁ ଏତେ ଅନୁକମ୍ପା ଦିଆଗଲା ଜଣେ କଳଙ୍କିତ ଅଧିକାରୀଙ୍କୁ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । କ’ଣ ଚୁକ୍ତି ରଖିଲେ ଘଡେଇ ବାବୁ ଯେଉଁଥିପାଇଁ ତାଙ୍କୁ ରାତି ରାତି ବଦଳି କରି ଦିଆ ଗଲା । ତହସିଲ କାର୍ଯ୍ୟାଳୟରେ ଲୋକଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ହଇରାଣ ହରକତ ଅଧିକ କରୁଛନ୍ତି । ନିଜ କାର୍ଯ୍ୟାଳୟରେ ଯଦି କୌଣସି ବ୍ୟକ୍ତି ନିଜର ସମସ୍ୟା ବିଷୟରେ ବୁଝିବାକୁ ଚେଷ୍ଟା କରୁଛନ୍ତି, ସମସ୍ୟା ଶୁଣିବା ତ ଦୂରର କଥା ସିଧା ସିଧା କହୁଛନ୍ତି ମୁଁ କ’ଣ ଏଠି ବସିଛି ତୁମର କାମ କରିବା ପାଇଁ, ତାହା ହେଲେ ଘଡେଇ ବାବୁ ଏଠିକି କଣ ପାଇଁ ଅଛନ୍ତି । ଯଦି ଘଡେଇ ବାବୁଙ୍କର ଏପରି ଆଚରଣ ରହିବ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ସହିତ ରାଜରାସ୍ତାରେ ଆନେ୍ଦାଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ଜନତା । ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଘଟଣାକୁ ଗମ୍ଭୀରତାର ସହ ବିଚାର କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।