ସ୍ୱାଧୀନତା ପୂର୍ବର ଓଡିଶା ଇତିହାସ ଲେଖାର ଧାରା
ଡ. ରଜତ କାନ୍ତ ଦାଶ :
ଓଡିଶାରେ ଇତିହାସ ଲେଖାର ପରମ୍ପରା ଥିଲା କି ନାହିଁ ? ଓଡିଶାର ଇତିହାସ ଲେଖା କେବେଠାରୁ ଆରମ୍ଭ ହେଲା? ଏହି ଦୁଇଟି ପ୍ରଶ୍ନର ଉତ୍ତର ଓଡିଶା ଇତିହାସ ଲେଖାର ଧାରା ବୁଝିବା ପାଇଁ ସହାୟକ ହୋଇଥାଏ । ଉପନିବେଶବାଦ ଶାସନ କାଳରେ ଏହି ପ୍ରଶ୍ନର ଉତ୍ତର ଥିଲା ଯେ ଓଡିଶାରେ ଇତିହାସ ଲେଖାର ପରମ୍ପରା ବ୍ରିଟିଶରଙ୍କ ଓଡିଶା ଆଗମନ ପରେ ଆରମ୍ଭ ହୋଇଥିଲା । ଆଣ୍ଡ୍ରୁ ଷ୍ଟ୍ରଲିଂ ପ୍ରଥମେ ଓଡିଶାର ଇତିହାସ ଲେଖିବାର ପ୍ରଥା ଆରମ୍ଭ କରିଥିଲେ ଓ ପରେ ଅନ୍ୟମାନଙ୍କ ଦ୍ୱାରା ଏହି ପରମ୍ପରା ଆଗକୁ ବଢିଥିଲା । ପ୍ରାଚୀନ କାଳରେ ଓଡିଶାର ଇତିହାସ ଲେଖାର କୌଣସି ପ୍ରମାଣ ମିଳେ ନାହିଁ । ଭାରତରେ ମୁସଲମାନ ଶାସନ ସମୟରେ ଲିଖିତ ପୁସ୍ତକରେ ଓଡିଶା ସମ୍ପର୍କରେ ଯଦିଓ କିଛିଟା ତଥ୍ୟ ମିଳେ ତଥାପି ସମ୍ପୂର୍ଣ୍ଣ ଭାବେ ଓଡିଶା ଆଧାରିତ କୌଣସି ଲେଖା ନାହିଁ । ତେବେ ଓଡିଶାର ଇତିହାସ ଲେଖାର ଧାରାକୁ ୨ଟି ପର୍ଯ୍ୟାୟରେ ଆଲୋଚନା କରାଯାଇପାରେ । ପ୍ରଥମ ପର୍ଯ୍ୟାୟରେ ଓଡିଶାର ପ୍ରାଚୀନ ଓ ମଧ୍ୟଯୁଗର ଇତିହାସ ଲେଖା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆଧୁନିକ ଯୁଗରେ ଓଡିଶାର ଇତିହାସ ଲେଖା ।
ପ୍ରାଚୀନ ଓଡିଶାରେ ଇତିହାସ ଲେଖାର ପରମ୍ପରା ନଥିଲେ ମଧ୍ୟ ଖାରବେଳଙ୍କ ହାତୀଗୁମ୍ଫା ଶିଳାଳେଖକୁ ପ୍ରଥମ ଇତିହାସ ଭାବନା ଆଧାରିତ ଲେଖା ବୋଲି କୁହାଯାଇ ପାରେ । ଏହି ଲେଖାକୁ ଆଣ୍ଡ୍ରୁ ଷ୍ଟ୍ରଲିଂ ୧୮୨୦ରେ ଖୋଜି ବାହାର କରିଥିଲେ । ଜେମ୍ସ ପ୍ରିନସେପ ୧୮୩୭ରେ ବ୍ରାହ୍ମି ଲିପି ପଢିବାରେ ସଫଳ ହେବା ପରେ ହାତୀଗୁମ୍ଫା ଶିଳା ଲେଖକୁ ପଠନ କରାଯାଇଥିଲା ଓ ଏସିଆଟିକ ସୋସାଇଟ ଅଫ ବେଙ୍ଗଲର ପତ୍ରିକାରେ ଏହାର ବିବରଣୀ ପ୍ରକାଶ ପାଇଥିଲା । ଏହି ଶିଳାଲେଖରେ ୧୭ଟି ଧାଡିରେ ଚେଦୀବଂଶ ତଥା ମହାମେଘବାହାନ ରାଜବଂଶର ରାଜା ଖାରବେଳଙ୍କ ୧୩ ବର୍ଷ ଶାସନ କାଳ ସମ୍ପର୍କରେ ଉଲ୍ଲେଖ ଥିଲା । ଏହି ଲେଖାରୁ ସେ ସମୟର ସମସାମୟିକ ରାଜ୍ୟ ଓ ରାଜାଙ୍କ ସମ୍ପର୍କରେ କିଛିଟା ତଥ୍ୟ ମିଳେ । ଆଧୁନିକ ଇତିହାସ ଲେଖାର ସମ୍ପୂର୍ଣ୍ଣ ଭାବନା ଏବଂ ଆଧାର ଏଥିରେ ଥିଲେ ମଧ୍ୟ ଓପନିବେଶବାଦ ଐତିହାସକମାନେ ଏହାକୁ ଏକ ପ୍ରଶସ୍ତି ବା ଗୁଣଗାନର ଲେଖା ବୋଲି ଅଭିହିତ କରି ଏହାର ଐତିହାସିକତାକୁ ଅଣଦେଖା କରିଥିଲେ । କେତେକ ଐତିହାସିକଙ୍କ ମତରେ ମଧ୍ୟଯୁଗରେ ପୁରୀ ଜଗନ୍ନାଥ ମନ୍ଦିରକୁ ଆଧାର କରି ଆରମ୍ଭ ହୋଇଥିବା ମାଦଳା ପାଞ୍ଜି ଲେଖାରୁ ଓଡିଶାର ଇତିହାସ ଲେଖା ଆରମ୍ଭ ହୋଇଛି । କେତେକ ଐତିହାସିକ ମାଦଳା ପାଞ୍ଜିକୁ ଇତିହାସ ଭାବେ ଗ୍ରହଣ କରନ୍ତି ନାହିଁ । ଅନ୍ୟ କେତେକଙ୍କ ମତରେ ଯଦିଓ ମାଦଳାପାଞ୍ଜି ଇତିହାସ ନୁହେଁ; ମାତ୍ର ଏଥିରେ ବର୍ଣ୍ଣିତ ଘଟଣାବଳୀରେ ଐତିହାସିକ ସତ୍ୟତା ଅଛି । ସେହିପରି ଗଜପତି କପିଳେନ୍ଦ୍ର ଦେବଙ୍କ ସମସାମୟିକ ସାରଳା ଦାସଙ୍କ ଦ୍ୱାରା ଲିଖିତ ଓଡିଆ ମହାଭାରତରେ ଓଡିଶାର ଚିତ୍ର ଦେଖିବାକୁ ମିଳେ । ଗଙ୍ଗାଧର ମିଶ୍ରଙ୍କ ଦ୍ୱାରା ୧୬୬୪ରେ ଲିଖିତ କୋଶଳାନନ୍ଦ କାବ୍ୟରେ ପଶ୍ଚିମ ଓଡିଶାରେ ଚୌହାନ ରାଜବଂଶ ଏବଂ ଭୋଇ ଏବଂ ମୁସଲମାନଙ୍କ ଆକ୍ରମଣର ଇତିହାସ ରହିଛି । ଏତଦବ୍ୟତୀତ ୧୭୮୧ରେ ପ୍ରହଲ୍ଲାଦଙ୍କ ଲିଖିତ ଜୟଚନ୍ଦ୍ରିକା, ବାସୁଦେବ ରଥଙ୍କ ଲିଖିତ ଗଙ୍ଗବଂଶାନୁଚରିତ, ଉନବିଂଶ ଶତାବ୍ଦୀରେ ଲିଖିତ କଟକରାଜବଂଶାବଳୀ, ୧୮୩୦ରେ ଘୁମୁସରର ଛାୟୋ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଭଞ୍ଜବଂଶାବଳୀ, ୧୮୦୧ ଏବଂ ୧୮୦୭ରେ ଅଜଣା ଲେଖକଙ୍କ ଦ୍ୱାରା ମୟୁରଭଞ୍ଜର ଭଞ୍ଜ ଶାସକଙ୍କୁ ନେଇ ଲିଖିତ ଭଞ୍ଜବଂଶ ମାଳିକା ଏବଂ ରାଜକୁଳ ବଂଶାନୁରେ ଐତିହାସିକ ତତ୍ତ୍ୱ ମିଳିଥାଏ । ମାତ୍ର ଏସବୁରେ ସମ୍ପୂର୍ଣ୍ଣ ଓଡିଶାର ଇତିହାସ ଦେଖିବାକୁ ମିଳେ ନାହିଁ ।
ତେବେ ଇଂରେଜଙ୍କ ଆଗମନ ସହ ଓଡିଶାରେ ଆଧୁନିକ ଇତିହାସ ଲେଖାର ପରମ୍ପରା ଆରମ୍ଭ ହୋଇଥିଲାବୋଲି କୁହାଯାଏ । ଭାରତରେ ବ୍ରିଟିଶ ସରକାରଙ୍କ ପର୍ସିଆନ ସମ୍ପାଦକ ଭାବେ କାର୍ଯ୍ୟରତ ଆଣ୍ଡ୍ରୁ ଷ୍ଟର୍ଲିଂ ପ୍ରଥମେ ‘ଆନ୍ ଆକାଉଣ୍ଟ, ଜୋଗ୍ରାଫିକାଲ, ଷ୍ଟାଟିଷ୍ଟିକାଲ ଆଣ୍ଡ ହିଷ୍ଟୋରିକାଲ ଅଫ ଓରିସା ପ୍ରପର, ଅର କଟକ’ ନାମକ ପୁସ୍ତକ ରଚନା କରିଥିଲେ ଓ ଏହା ୧୮୨୫ରେ ପ୍ରକାଶ ପାଇଥିଲା । ଐତିହାସିକ ଉସôର ଘୋର ଅଭାବ ହେତୁ ସେ ମାଦଳା ପାଞ୍ଜିକୁ ଆଧାର କରି ଓଡିଶାର ଇତିହାସ ଲେଖିବାକୁ ପ୍ରୟାସ କରିଥିଲେ । ଫଳରେ ଏହି ପୁସ୍ତକର ଲେଖାରେ ଅସଙ୍ଗତି ରହିଗଲା । ଏହାପରେ ୧୮୭୨ରେ ପରିସଂଖ୍ୟାନ ସଂସ୍ଥାର ନିର୍ଦେଶକ ୱଲିୟମ ୱିଲସନ ହଣ୍ଟରଙ୍କ ଦ୍ୱାରା ଲିଖିତ ‘ଓରିସା’ର ଦୁଇ ଖଣ୍ଡ ପୁସ୍ତକ ପ୍ରକାଶ ପାଇଥିଲା । ହଣ୍ଟର ମାଦଳା ପାଞ୍ଜି ଏବଂ ଲୋକକଥାରୁ ପ୍ରାପ୍ତ ତଥ୍ୟକୁ ଏହି ପୁସ୍ତକରେ ସ୍ଥାନ ଦେଇଥିଲେ । ଏହାସହ ସେ ଓଡିଶାର ସଂସ୍କୃତି, ବ୍ରିଟିଶ ପ୍ରଶାସନ, ମନ୍ଦିରର କଳା ଏବଂ କାରୁକାର୍ଯ୍ୟ ଆଦି ବିଷୟ ଉପରେ ଆଲୋଚନା କରିଥିଲେ । ତେବେ ଭାରତୀୟ କଳାକୁ ସେ ଗ୍ରୀସ ଦେଶର ପ୍ରାଚୀନ କଳା ଶୈଳୀର ଅନୁକରଣ ବୋଲି ବର୍ଣ୍ଣନା କରି ୟୁରୋପୀୟଙ୍କ ବର୍ଣ୍ଣଗତ ଶ୍ରେଷ୍ଠତାକୁ ଦେଖାଇବାକୁ ଚେଷ୍ଟା କରିଥିଲେ । ଏପରିକି କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ, କଳା ଏବଂ ସ୍ଥାପତ୍ୟ ଅତ୍ୟନ୍ତ ସୁନ୍ଦର ବୋଲି ବର୍ଣ୍ଣନା କରିବା ସମୟରେ ଏହା ସ୍ୱଦେଶୀ ସ୍ଥାପତ୍ୟ ଏବଂ ଏହାର ଉତ୍ପତ୍ତି ଓଡିଶାରୁ ବୋଲି ସେ ସ୍ୱୀକାର କରିନଥିଲେ । ହଣ୍ଟରଙ୍କ ସମସାମୟିକ ତଥା ଓଡିଶାର କମିଶନର ଜର୍ଜ ଟଏନବିଙ୍କ ଲିଖିତ ଏ ସ୍କେଚ ଅଫ ଦ ହିଷ୍ଟ୍ରି ଅଫ ଓରିସା (୧୮୦୩-୧୮୨୮) ୧୮୭୩ରେ ପ୍ରକାଶ ପାଇଥିଲା । ଏହି ପୁସ୍ତକରେ ବିଶେଷ କରି ବ୍ରିଟିଶରଙ୍କ ଦ୍ୱାରା ଓଡିଶାକୁ ଅକ୍ତିଆର ଏବଂ ସେ ସମୟରେ ସୃଷ୍ଟି ଆନେ୍ଦାଳନ ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା । ତେବେ ୧୮୮୩ରେ ଏସିଆଟିକ ସୋସାଇଟ୍ ଅଫ ବେଙ୍ଗଲର ପତ୍ରିକାରେ ପ୍ରକାଶିତ ଜନ ବିମ୍ସଙ୍କ ଲିଖିତ ‘ମହମଦାନ, ମରାଠା ଏବଂ ବ୍ରିଟିଶ ଶାସନ ଅଧୀନରେ ଓଡିଶାର ଇତିହାସ’ ଏକ ଗୁରୁତ୍ୱପୂର୍ଣ୍ଣ ଲେଖା । ବିଚାରଗତ ଭିନ୍ନତା ସତ୍ତ୍ୱେ ବିମ୍ସଙ୍କ ଲେଖାଗୁଡିକ ଓଡିଶାର ଇତିହାସ ଅଧ୍ୟୟନରେ ବିଶେଷ ସହାୟକ ହୋଇଥିଲେ । ଏହାସହ ବିମ୍ସ ଓଡିଶାର ପ୍ରନôତତ୍ତ୍ୱ ଉପରେ କେତେକ ଲେଖା ପ୍ରକାଶ କରିଥିଲେ । ଓଡିଶାର ଇତିହାସ ଏବଂ ସଂସ୍କୃତି ଉପରେ ଲେଖିବା ସମୟରେ ଏହି ୟୁରୋପୀୟ ଐତିହାସିକମାନେ ବହୁଳ ମାତ୍ରାରେ ଅଭିଲେଖାଗାରସ୍ଥିତ ନଥିପତ୍ର ସହ ଆଞ୍ଚଳିକ ଭାଷାକୁ ଅନୁବାଦ ଏବଂ ବାଖ୍ୟା କରୁଥିବା ପଣ୍ଡିତମାନଙ୍କ ଉପରେ ନିର୍ଭର କରୁଥିଲେ । ପଣ୍ଡିତମାନେ କିମ୍ବଦନ୍ତୀ, ପୁରାଣ,ମାଦଳା ପାଞ୍ଜିକୁ ଆଧାର କରି ନିଜ ଇତିହାସର ବର୍ଣ୍ଣନା କରିଥିବାରୁ ଏହି ଲେଖାଗୁଡିକରେ ବିଜ୍ଞାନସମ୍ମତ ଐତିହାସିକ ତର୍ଜମା ହୋଇପାରିନଥିଲା ଏବଂ ଅନେକ କ୍ଷେତ୍ରରେ ସୀମିତତା ପରିଲକ୍ଷିତ ହେଉଥିଲା ।
ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତୀୟ ଐତିହାସିକମାନେ ଓଡିଶାର ଇତିହାସ ଲେଖା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିଥିଲେ । ଏହି କ୍ରମରେ ରାଜେନ୍ଦ୍ର ଲାଲ ମିତ୍ରଙ୍କ ଦ୍ୱାରା ଲିଖିତ ‘ଆଣ୍ଟିକ୍ୱିଟିଜ୍ ଅଫ ଓରିସା’ର ଦୁଇଟି ଖଣ୍ଡ ଯଥାକ୍ରମେ ୧୮୭୫ ଏବଂ ୧୮୮୦ରେ ପ୍ରକାଶ ପାଇଥିଲା । ଓଡିଶା ଭାଷା ବିଲୋପ ଆନେ୍ଦାଳନରେ ମିତ୍ରଙ୍କ ଭୂମିକା ଯୋଗୁ ତାଙ୍କର ଏହି ଦୁଇଟି ପୁସ୍ତକ ଓଡିଆ ଜନମାନସରେ ଗୁରୁତ୍ୱ ହାସଲ କରିପାରିନଥିଲା । ଫଳରେ ଏହି ପୁସ୍ତକ ବିରୋଧରେ ଓଡିଶାର ଲୋକମାନେ ନିଜ ମତବ୍ୟକ୍ତ କରିଥିଲେ । ପ୍ରଥମ ଓଡିଆ ଭାବେ ପ୍ୟାରୀମୋହନ ଆଚାର୍ଯ୍ୟ ‘ଓଡିଶାର ଇତିହାସ’ ନାମକ ପୁସ୍ତକ ଲେଖିଥିଲେ ଓ ଏହା ୧୮୭୯ରେ ପ୍ରକାଶ ପାଇଥିଲା । ପ୍ୟାରୀମୋହନ ଆଚାର୍ଯ୍ୟ ମାଦଳା ପାଞ୍ଜିକୁ ପ୍ରତ୍ୟାଖ୍ୟାନ କରିବା ପୂର୍ବକ ଓଡିଆ ଲୋକଙ୍କ ଜୀବନୀ, ସଂସ୍କୃତି, ବସ୍ତ୍ର, ଅଳଙ୍କାର, ଖାଦ୍ୟ, ସାମାଜିକ ଏବଂ ଧାର୍ମିକ ରୀତିନୀତିକୁ ସଠିକ ଭାବେ ବର୍ଣ୍ଣନା କରିଥିଲେ । ଏହି ପୁସ୍ତକ ସେ ସମୟରେ ଓଡିଶା ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ଭାବେ ବ୍ୟବହୃତ ହେଉଥିଲା । ଓଡିଶାର ଶିଳାଲିପି ଅଧ୍ୟୟନ କ୍ଷେତ୍ରରେ ୧୯୦୩ରେ ପ୍ରକାଶିତ ମଦନ ମୋହନ ଚକ୍ରବର୍ତ୍ତୀଙ୍କ ଲିଖିତ ପୁସ୍ତକ ‘କ୍ରୋନୋଲୋଜି ଅଫ ଦ ଇଷ୍ଟର୍ଣ୍ଣ ଗଙ୍ଗ କିଙ୍ଗ ଅଫ ଓରିସା’ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।
ଉପନିବେଶବାଦ ଦ୍ୱାରା ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତିରୁ ଗୋଷ୍ଠୀ ଏବଂ ଅଞ୍ଚଳକୁ ନେଇ ଲାଗିରହିଥିବା ଆଇନଗତ ବିବାଦ, ନିଜସ୍ୱ ରାଜ୍ୟ, ବଂଶ ଏବଂ ଶାସନର ସ୍ୱୀକୃତିର ଆବଶ୍ୟକତା ଦୃଷ୍ଟିରୁ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଏବଂ ବିଂଶ ଶତାବ୍ଦୀରେ ଓଡିଶାର ବିଭିନ୍ନ ଗଡଜାତଗୁଡିକରେ ଇତିହାସ ଲେଖାର ଧାରା ଆରମ୍ଭ ହୋଇଥିଲା । ଗଡଜାତଗୁଡିକରେ ଆଞ୍ଚଳିକ ଭାଷାରେ ଉପନିବେଶବାଦ ଇତିହାସ ଲେଖାର ଢାଞ୍ଚାକୁ ଆଧାର କରି ରାଜବଂଶର ଇତିହାସ ଲେଖା ହୋଇଥିଲା । ଏହି ଇତିହାସରେ ଲୋକନୃତ୍ୟ, କିମ୍ବଦନ୍ତୀ, କାହାଣୀ ଏବଂ ଦୈନନ୍ଦିନ କାର୍ଯ୍ୟକାଳାପକୁ ମଧ୍ୟ ସ୍ଥାନ ଦିଆଯାଇଥିଲା । ଗଡଜାତ ରାଜ୍ୟଗୁଡିକର ରାଜାମାନେ ନିଜ ପରିବାରର ସଂକ୍ଷିପ୍ତ ଐତିହାସିକ ପରିଚୟ ପ୍ରଦାନ ନିମନ୍ତେ ଇତିହାସ ଲେଖିବା ପାଇଁ ଐତିହାସିକମାନଙ୍କୁ ନିଯୁକ୍ତ କରିଥିଲେ । ନିଜ ଆଞ୍ଚଳିକ ପରିଚୟ, ସ୍ୱତନ୍ତ୍ରତା ଓ ମହାନତାକୁ ଦେଖାଇବା ପାଇଁ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଗଡଜାତଗୁଡିକରେ ଏଭଳି ଅନେକ ଇତିହାସ ଉତ୍ପାଦିତ ହୋଇଥିଲା । ପ୍ରାୟତଃ ପୁରାତନ ସାମାଜିକ ଇତିହାସ ଢାଞ୍ଚା ଏବଂ ବିଜ୍ଞାନସମ୍ମତ ଇତିହାସର ଲେଖାକୁ ମିଶାଇ ଆଞ୍ଚଳିକ ଭାଷାରେ ଲେଖା ହୋଇଥିବା ଏହି ଇତିହାସ ଗୁଡିକ ଏକ ନୂତନ ମିଶ୍ରିତ ଧାରା ସୃଷ୍ଟି କରିଥିଲେ । ଏହି ବଂଶାନୁଚରିତ, ରାଜ ବଂଶାବଳୀ ଗୁଡିକ ସ୍କୁଲ ଏବଂ କଲେଜରେ ପଢାଯାଉଥିବା ଇତିହାସ ଲେଖିବା ପାଇଁ ଉସô ରୂପେ ବ୍ୟବହୃତ ହୋଇ ଆସୁଛନ୍ତି । ଉଦାହାରଣ ସ୍ୱରୁପ ୧୯୧୦ରେ କୋବଡେନ ରାମାସେ ଓଡିଶାର ଗଡଜାତଗୁଡିକର ଗେଜେଟ ଲେଖିବା ନିମନ୍ତେ ବଂଶାବଳୀକୁ ବ୍ୟବହାର କରିବା ହିଁ ଏହି ଉସôଗୁଡିକୁ ବୈଧତା ପ୍ରଦାନ କରିଛି ।
ବିଂଶ ଶତାବ୍ଦୀରେ ଭାରତରେ ଜାତୀୟ ଆନେ୍ଦାଳନ ବୃଦ୍ଧି ସହ ଓଡିଶା ଉପରେ ଲିଖିତ ଇତିହାସ ପୁସ୍ତକ ସଂଖାରେ ବୃଦ୍ଧି ଘଟିଥିଲା । କେପି ଜୟସ୍ୱାଲ ଏବଂ ଆରଡି ବାନାର୍ଜୀଙ୍କ ଦ୍ୱାରା ଲିଖିଥ ସ୍ତମ୍ଭ ‘ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ’ (୧୭୩ରୁ ୧୬୦ ଖୀଷ୍ଟପୂର୍ବ) ୧୯୧୭ରେ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ୧୯୨୯ରେ ପ୍ରକାଶିତ ବେଣିମାଧବ ବରୁଆଙ୍କ ଲିଖିତ ‘ଉଦୟଗିରି ଏବଂ ଖଣ୍ଡଗିରି ପାହାଡରେ ପ୍ରାଚୀନ ବ୍ରାହ୍ମୀ ଶିଳାଲେଖ’ ଏହା ଉପରେ ଅଧିକ ତଥ୍ୟ ପ୍ରଦାନ କରିଥିଲା । ବିଶେନ ସ୍ୱରୂପଙ୍କ ଲିଖିତ ପୁସ୍ତକ ‘କୋଣାର୍କ: ବ୍ଲାକ୍ ପାଗୋଡା ଅଫ ଓରିସା’ ୧୯୧୦ରେ ପ୍ରକାଶ ପାଇବାର ୨ ବର୍ଷ ପରେ ୧୯୧୨ରେ ଜାତୀୟବାଦୀ ଐତିହାସିକ ମନମୋହନ ଗାଙ୍ଗୁଲିଙ୍କ ଲିଖିତ ପୁସ୍ତକ ‘ଓରିସା ଆଣ୍ଡ ହର ରିମେନ୍ସ’ ପ୍ରକାଶ ପାଇଥିଲା । ସେହିପରି ୧୯୧୨ରେ ନଗେନ୍ଦ୍ରନାଥ ବାସୁଙ୍କ ଲିଖିତ ଆର୍କିଓଲଜିକାଲ ସର୍ଭେ ଅଫ ମୟୁରଭଞ୍ଜ ପ୍ରକାଶ ପାଇଥିଲା । ଏହାପରେ ୧୯୨୯ରେ ଜଗବନ୍ଧୁ ସିଂହଙ୍କ ଲିଖିତ ପ୍ରାଚୀନ ଉକ୍ରଳ ପ୍ରକାଶ ପାଇଲା । ଏହି ସମୟ ମଧ୍ୟରେ ନୀଳକଣ୍ଠ ଦାଶ ଏବଂ ବିରୁପାକ୍ଷ କରଙ୍କ ଦ୍ୱାରା ଓଡିଶା ଇତିହାସ ଉପରେ ଲିଖିତ କେତେକ ସ୍ତମ୍ଭ ପ୍ରକାଶ ପାଇଥିଲା । ୧୯୨୫ରେ ପ୍ରକାଶିତ ବିଜୟଚନ୍ଦ୍ର ମଜୁମଦାରଙ୍କ ‘ଓରିଆ ଇନ ଦ ମେକିଙ୍ଗ’ ଓଡିଆଙ୍କ କ୍ଷେତ୍ରରେ ପକ୍ଷପାତ ବିଚାରଧାରାରେ ଲିଖିତ ହୋଇଥିଲା । ରାଖାଲ ଦାସ ବାନାର୍ଜୀଙ୍କ ଲିଖିତ ‘ଓଡିଶା ଇତିହାସ’ର ଦୁଇଟି ଖଣ୍ଡ ଯଥାକ୍ରମେ ୧୯୩୦ ଏବଂ ୧୯୩୧ରେ ପ୍ରକାଶ ପାଇଥିଲାବେଳେ ନିର୍ମଳ କୁମାର ବୋଷଙ୍କ ଲିଖିତ ‘ଓରିସାର ସ୍ଥାପତ୍ୟ’ ୧୯୩୨ରେ ପ୍ରକାଶ ପାଇଥିଲା । ଜାତୀୟ ଚେତନାରୁ ଅନୁପ୍ରାଣିତ ହୋଇ କୃପାସିନ୍ଧୁ ମିଶ୍ର ଉକôଳ ଇତିହାସ ରଚନା କରିଥିଲେ ଓ ଏହା ୧୯୩୩ରେ ପ୍ରକାଶ ପାଇଥିଲା । ବିନାୟକ ମିଶ୍ରଙ୍କ ଲିଖିତ ‘ଭୌମ ଶାସନରେ ଓଡିଶା’ ଏବଂ ‘ଡାଇନଷ୍ଟିଜ ଅଫ ମେଡିଆଭାଲ ଓରିସା’ ଯଥାକ୍ରମେ ୧୯୩୪ ଏବଂ ୧୯୩୬ରେ ପ୍ରକାଶ ପାଇଥିଲାବେଳେ ୧୯୩୯ରେ ପ୍ରକାଶିତ ତାଙ୍କ ଲିଖିତ ଓଡିଶାର ନୂତନ ଇତିହାସ ସ୍କୁଲରେ ପାଠ୍ୟପୁସ୍ତକ ଭାବେ ବ୍ୟବହୃତ ହୋଇଥିଲା ।
ସ୍ୱାଧୀନତା ପରେ ସତ୍ୟନାରାୟଣ ରାଜଗୁରୁ, ପି. ଆଚାର୍ଯ୍ୟ, କେ.ଏନ୍ ମହାପାତ୍ର, ହରେକୃଷ୍ଣ ମହତାବ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ନବୀନ କୁମାର ସାହୁ, ହରମାନ କୁଲକେ, ଜିସି ତ୍ରିପାଠୀ, ଥୋମାସ ଇ ଡୋନାଲ୍ଡସନଙ୍କ ପରି ଐତିହାସିକଙ୍କ ଦ୍ୱାରା ଓଡିଶା ଉପରେ ଲିଖିତ ଇତିହାସ ଅନେକ ବିଷୟକୁ ଲୋକଲୋଚନକୁ ଆଣି ପାରିଥିଲା ।
ଅଧ୍ୟାପକ, ଇତିହାସ ବିଭାଗ
ବ୍ୟାସନଗର ସ୍ୱଂୟଶାସିତ ମହାବିଦ୍ୟାଳୟ, ଯାଜପୁର ରୋଡ, ଯାଜପୁର
ଫୋନ ନମ୍ବର: ୯୪୩୯୮୧୮୬୧୯