ଯୁଗ୍ମ ଇନୋଭେସନ୍ କନକ୍ଲେଭ, ଶିକ୍ଷା ବ୍ୟବସ୍ଥାରେ ହେଉଛି ପରିବର୍ତ୍ତନ : ପିଏମ
ନୂଆଦିଲ୍ଲୀ/ଭୁବନେଶ୍ୱର : ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଆମେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରୁଛୁ ବୋଲି ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମରେ ୟୁଗମ ଇନୋଭେସନ କନକ୍ଲେଭ - ୨୦୨୫ରେ ଯୋଗଦେବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶିକ୍ଷା ମନ୍ତ୍ରଣାଳୟ ଏବଂ ୱାଧୱାନୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିଥିଲେ । ଦେଶର ଭବିଷ୍ୟତ ଦେଶର ଯୁବପିଢିଙ୍କ ଉପରେ ନିର୍ଭରଶୀଳ । ଏଥିପାଇଁ ଆମେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଆଧୁନିକୀକରଣ କରୁଛୁ । ଦେଶରେ ନୂଆ ଶିକ୍ଷା ନୀତି ମଧ୍ୟ ପ୍ରଣୟନ କରାଯାଇଛି, ଯେଉଁ ନୀତିରେ ଶିକ୍ଷାକୁ ବିଶ୍ୱମାନର ମାପଦଣ୍ଡକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହା ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ । ନ୍ୟାସନାଲ କରିକୁଲମ ଫ୍ରେମୱାର୍କ, ଲର୍ଣ୍ଣିଂ ଟିଚିଂ ମ୍ୟାଟେରିଆଲ ଏବଂ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକର ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ଏହି କନକ୍ଲେଭରେ ଉପସ୍ଥିତ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୟୁଗମ କନକ୍ଲେଭ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ନବପ୍ରବର୍ତ୍ତକଙ୍କୁ ଗୋଟିଏ ମଞ୍ଚରେ ଆଣିବାର ପ୍ରୟାସ । ଏକାଡେମିଆ, ଇଣ୍ଡଷ୍ଟ୍ରି ଏବଂ ଇନୋଭେଟର୍ସ ମଧ୍ୟରେ ସମନ୍ୱୟ, ସହଯୋଗ ଏବଂ ସମାନତା ବଢାଇବା ପାଇଁ ୧୪୦୦ କୋଟି ଟଙ୍କାର ଯେଉଁ ନୂଆ ପ୍ରକଳ୍ପର ମୂଳଦୁଆ ପଡିଛି, ତାହାର ସବୁଠୁ ଅଧିକ ଲାଭ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ(ଏଏନଆରଏଫ୍), ଆମର ଆଇଇଟି, ଆଇଆଇଏସସି ଏବଂ ଆମର ଯୁବା ଇନୋଭେଟରଙ୍କୁ ମିଳିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନାକୁ ଆଗକୁ ବଢାଇବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି କହିଛନ୍ତି ।