୨୪ରୁ ଆବାସ ସର୍ଭେ : କୋହଳ ହେଲା ମାନଦଣ୍ଡ

 ଭୁବନେଶ୍ୱର : ଏଣିକି ମୋଟର ସାଇକେଲ କି ଫ୍ରିଜ୍ ଥିଲେବି ଜଣେ ପିଏମଏୱାଇ ଯୋଜନାର ହିତାଧିକାରୀ ହୋଇପାରିବେ  । ଭିନ୍ନ ହୋଇଥିବା ପୁଅ ବି ତାଲିକାରେ ନାଁ ଯୋଡ଼ିପାରିବ  । ଏହିପରି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ମାନଦଣ୍ଡ କୋହଳ କରାଯାଇଛି  । ଅନେକ ଦିନର ବ୍ୟବଧାନ ପରେ ଆସନ୍ତା ୨୪ରୁ ପିଏମଏୱାଇ ସର୍ଭେ ଆରମ୍ଭ ହେଉଛି  । ଉଭୟ ଅଫଲାଇନ୍ ଓ ଅନଲାଇନରେ ଲୋକମାନେ ହିତାଧିକାରୀ ତାଲିକାରେ ସାମିଲ୍ ହେବାକୁ ଆବେଦନ କରିପାରିବେ  । 
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସୂଚନା ଅନୁଯାୟୀ, ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ଆସନ୍ତା ୨୪ରୁ ସାରା ରାଜ୍ୟରେ ସର୍ଭେ ଆରମ୍ଭ ହେବ  । ମାସିକ ୧୫ ହଜାର ରୋଜଗାର, ମୋଟର ସାଇକେଲ, ଫି୍ରଜ ଥିଲେବି ପିଏମଏୱାଇ ପାଇଁ ଆବେଦନ କରିହେବ  । ସେହିପରି ଭିନ୍ନ ହୋଇଥିବା ପୁଅ, ସ୍ୱାମୀଠୁ ଅଲଗା ଥିବା ସ୍ତ୍ରୀ, ବିକଳାଙ୍ଗ, ବିଧବା ଆଦି ମଧ୍ୟ ଏଥିପାଇଁ ଆବେଦନ କରିପାରିବେ  । ଉଭୟ ଅନଲାଇନ୍ ଓ ଅଫଲାଇନ୍ରେ ସର୍ଭେ କରାଯିବ  । ଲୋକମାନେ ଚାହିଁଲେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟରେ ବି ଆବେଦନ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି  । ଖୁବଶୀଘ୍ର ଏଥିପାଇଁ ପୋର୍ଟାଲର ବି ଶୁଭାରମ୍ଭ କରାଯିବ  । ଦେଢ଼ରୁ ଦୁଇ ମାସ ମଧ୍ୟରେ ଏହି ସର୍ଭେ ଶେଷ ହେବ  । ପଞ୍ଚାୟତମାନଙ୍କରେ ଏନେଇ ସଚେତନତା କାର୍ଯ୍ୟକ୍ରମମାନ ବି ହେବ  । ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେବି ଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ୍ ହୋଇପାରିନାହାନ୍ତି ସେମାନେ ପୁନଃ ଆବେଦନ କରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି  । 
ଗତ କିଛି ବର୍ଷ ଧରି ପିଏମଏୱାଇକୁ ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିବାଦ ଲାଗି ରହିଥିଲା  । ବିଜେଡ଼ି ସରକାର ଅମଳରେ ମନଇଚ୍ଛା ହିତାଧିକାରୀ ଚୟନ କରାଯାଇଥିବାରୁ ତାହାକୁ ନେଇ ବିଜେପି ଆପତ୍ତି ଉଠାଇଥିଲା  । ସେହିପରି ପିଏମଏୱାଇ ଘରେ ବିଜୁ ପକ୍କାଘରର ଲୋଗୋ ଲାଗୁଥିବାରୁ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ  ।