ଗଞ୍ଜାମର ୫ ଆସନ ଉପରେ ନଜର
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ୫ ବିଧାନସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହିସବୁ ଆସନଗୁଡ଼ିକ ହେଉଛି ବ୍ରହ୍ମପୁର, ଗୋପାଳପୁର, ଦିଗପହଣ୍ଡି, ଭଞ୍ଜନଗର ଓ ସାନଖେମୁଣ୍ଡି । ବ୍ରହ୍ମପୁରରୁ ପୁରୁଖା ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଲଢୁଥିବାବେଳେ ଗୋପାଳପୁରରୁ ଲଢୁଛନ୍ତି ବିକ୍ରମ ପଣ୍ଡା । ସେହିପରି ଦିଗପହଣ୍ଡିରେ ବ୍ରହ୍ମପୁରର ଦିଥରିଆ ସାଂସଦ ତଥା ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ମଇଦାନକୁ ଓହ୍ଲାଇଛନ୍ତି । ଭଞ୍ଜନଗରରେ ହେଭିୱେଟ ନେତା ବିକ୍ରମ କେଶରୀ ଆରୁଖ ଲଢୁଥିବାବେଳେ ସାନଖେମୁଣ୍ଡିରୁ ଲଢୁଛନ୍ତି କଂଗ୍ରେସ ନେତା ରମେଶ ଚନ୍ଦ୍ର ଜେନା ।
ବ୍ରହ୍ମପୁରରେ ଚ୍ୟାଉ ପଟ୍ଟନାୟକ ୫ ଥର ବିଧାୟକ ହୋଇଛନ୍ତି । ବିଜେପି ନେତା କେ ଅନୀଲ କୁମାର ଏବେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପୂର୍ବରୁ ଅନୀଲ ବିଜୁ ଜନତା ଦଳରେ ଥିଲେ । ତେଣୁ ସେଠାରେ ରୋଚକ ଲଢେ଼ଇ ହେବବୋଲି ଆକଳନ କରାଯାଉଛି । ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛି ଗୋପାଳପୁର । ବିଜେଡ଼ି ଟାର୍ଗେଟରେ ଏବେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଯଦିଓ ସେ ବ୍ରହ୍ମପୁର ଲୋକସଭା ଆସନରୁ ଲଢୁଛନ୍ତି, ତଥାପିବି ଗୋପାଳପୁରରେ ବିଜେଡ଼ି ଜିତିବାକୁ ଖୁବ ଦମରେ ଲାଗିପଡ଼ିଛି । କାହିଁକିନା ସେଠାରେ ବିଜେଡ଼ି ହାରିଲେ ପ୍ରଦୀପ ବାହାଦୂରୀ ନେଇଯିବେ । ତେଣୁ ଦଳ ଟାଣୁଆ ନେତା ବିକ୍ରମ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ସେଠାରୁ ବିଜେପି ଟିକେଟରେ ବିଭୂତି ଜେନା ଲଢୁଛନ୍ତି ।
ସେହିପରି ଦିଗପହଣ୍ଡି ଥିଲା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗଡ଼ । ତାଙ୍କର ବିୟୋଗ ପରେ ପୁଅ ବିପ୍ଳବ ପାତ୍ର ଏବେ ମଙ୍ଗ ସମ୍ଭାଳିଛନ୍ତି । କିନ୍ତୁ ସେଠାରେ ବିଜେପି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ ଦେଇଛି । ସିଦ୍ଧାନ୍ତ ପୂର୍ବରୁ ବ୍ରହ୍ମପୁରରେ ଦୁଇ ଦୁଇଥର ସାଂସଦ ହେବାର ସୌଭାଗ୍ୟ ପାଇଛନ୍ତି । ବିଜେଡ଼ି ଛାଡ଼ିବା ପରେ ଏବେ ସେ ଦଳକୁ ଶାଣିତ ଆକ୍ରମଣ ବି କରୁଛନ୍ତି ।
ଆଜିକା ଦିନରେ ଗଞ୍ଜାମର ସବୁଠାରୁ ଟାଣୁଆ ନେତା ହେଉଛନ୍ତି ବିକ୍ରମ କେଶରୀ ଆରୁଖ୍ । ସେ ସପ୍ତମ ଥର ପାଇଁ ଭଞ୍ଜନଗରରୁ ଲଢୁଛନ୍ତି । ୬ ଥର ବିଧାୟକ ହୋଇଥିବା ବିକ୍ରମ ସବୁବେଳେ ନବୀନଙ୍କ ଗୁଡ଼ବୁକରେ ରହି ଆସିଛନ୍ତି । ବିଜେପିର ପ୍ରଦ୍ୟୁମ୍ନ ନାୟକଙ୍କ ସହ ତାଙ୍କର ଜୋରଦାର ଲଢେ଼ଇ ହେବ । ତେବେ ଗତଥର ବିଜେପି ସେଠାରେ ଭଲ ଭୋଟ ଟାଣିଥିବାରୁ ଏହା ମଧ୍ୟ ବିକ୍ରମଙ୍କ ପାଇଁ ଆହ୍ୱାନ ସୃଷ୍ଟିକରିଛି ।
ଗଞ୍ଜାମ ଏବେ ବିଜେଡ଼ିର ଗଡ଼ ହୋଇଥିଲେବି ସାନଖେମୁଣ୍ଡି ରାଜନୀତିରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସେଠାରେ ବିଜେଡ଼ି ସହ କଂଗ୍ରେସର ଲଢେ଼ଇ ହେଉଛି । ୨୦୦୯ ଓ ୨୦୧୯ରେ ବାଜିମାତ କରି ରମେଶ ଜେନା ନିଜର ଦବଦବା ଦେଖାଇ ଆସୁଛନ୍ତି । ଏଥର ସେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କ ସହ ଲଢୁଛନ୍ତି । ଚତୁର୍ଥ ଥର ମଇଦାନକୁ ଓହ୍ଲାଇଥିବା ରମେଶଙ୍କ ଉପରେ ଏବେ ନଜର ରହିଛି ।