ବଲାଙ୍ଗୀର : ପୁଅଙ୍କୁ ଜିତାଇପାରିବେ ବି ବାପା ?
ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଲଢୁଥିବାରୁ ସେଠାକାର ରାଜନୀତିକ ମାହୋଲ ଏବେ ତତଲା ରହିଛି । ଏସବୁ ଭିତରେ ବଲାଙ୍ଗୀର ଓ ଲୋଇସିଂହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ବିଶେଷକରି ପୁଅଙ୍କ ପାଇଁ ବାପା ଏବେ ଦିନରାତି ଏକ କରିଦେଇଛନ୍ତି ।
ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛି ବଲାଙ୍ଗୀର ବିଧାନସଭା ଆସନ । ସିଂହଦେଓ ପରିବାର ବନାମ ମିଶ୍ର ପରିବାରଙ୍କ ମଧ୍ୟରେ ଚାଲିଛି ବଳ କଷାକଷି । ଅନଙ୍ଗ ଉଦୟ ସିଂହଦେଓ ଏବେ ପୁଅ କଳିକେଶଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ଗତଥର ଏୟୁଙ୍କ ଦୁଇ ପୁଅ ନିର୍ବାଚନ ହାରିଯାଇଥିବାରୁ ଚବିଶ ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଯାଇଛି । କଳିକେଶ ଦୁଇ ଦୁଇ ଥର ସାଂସଦ ହୋଇଥିବାବେଳେ ଥରେ ସଇଁତଳାରୁ ବିଧାୟକ ମଧ୍ୟ ହୋଇଥିଲେ । ତେବେ ନରସିଂହ ମିଶ୍ରଙ୍କ ଠାରୁ ଏୟୁ ଓ ସାନପୁଅ ଅର୍କେଶ ପରାସ୍ତ ହୋଇସାରିଥିବାରୁ ଏହି ଟ୍ରେଣ୍ଡ ଭାଙ୍ଗିବାକୁ ସେମାନେ ଅଙ୍କ କଷୁଛନ୍ତି । କଣ୍ଟାବାଞ୍ଜିରୁ ନବୀନ ଲଢୁଥିବାରୁ ଏୟୁ ଏବେ ଉତ୍ସାହିତ ହୋଇଯାଇଛନ୍ତି । ଅପରପକ୍ଷରେ ରାଜ ପରିବାରର ଆଣ୍ଟକୁ ଦୁଇ ଦୁଇ ଥର ଭାଙ୍ଗିଥିବା ନରସିଂହ ଏଥର ନିର୍ବାଚନ ଲଢୁନାହାନ୍ତି । ପୁଅ ସମରେନ୍ଦ୍ରଙ୍କୁ ଏଥର ମଇଦାନକୁ ଓହ୍ଲାଇଛନ୍ତି । ଗତଥର କଂଗ୍ରେସରୁ ସାଂସଦ ପ୍ରାର୍ଥୀ ହୋଇଥିବା ସମରେନ୍ଦ୍ର ତୃତୀୟ ସ୍ଥାନରେ ରହିଥିଲେ । ଆଜି ପର୍ଯ୍ୟନ୍ତ ସେ ବିଜୟର ସ୍ୱାଦ ଚାଖିନଥିବାରୁ ନରସିଂହ ବିଜେଡ଼ି ଓ ବିଜେପିର ଭୋଟ ଭାଙ୍ଗିବା ପାଇଁ ହରଦମ୍ ମେହନତ କରୁଛନ୍ତି । ତେବେ ନବୀନଙ୍କ ହାୱା ତାଙ୍କୁ ଚିନ୍ତାରେ ପକାଇଦେଇଛି । ପୁଅମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେବି ଅସଲ ଲଢେ଼ଇ ଏୟୁ ଓ ନରସିଂହଙ୍କ ମଧ୍ୟରେ ହିଁ ହେଉଛି ।
ସେହିପରି ବଲାଙ୍ଗୀରର ଆଉ ଜଣେ ଟାଣୁଆ ନେତା ହେଉଛନ୍ତି ଯୋଗେନ୍ଦ୍ର ବେହେରା । ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ରେ ସେ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ । ୨୦୧୪ରେ ସେ ଲୋଇସିଂହାରୁ ବିଧାୟକ ହେବା ସହ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ଗତ ନିର୍ବାଚନରେ ସେ ପୁଅ ନିହାରଙ୍କ ପାଇଁ ଟିକେଟ ଚାହିଁଥିଲେବି ନିରାଶ ହୋଇଥିଲେ । ଫଳରେ ସେଠାରୁ ବିଜେପି ବାଜିମାତ୍ କରିଥିଲା । ଏଥର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ପୁରୁଣା ସହଯୋଗୀଙ୍କୁ ଏକାଠି କରି ଯୋଗେନ୍ଦ୍ର ପୁଅଙ୍କ ପାଇଁ ଅଙ୍କ କଷା ଜାରି ରଖିଛନ୍ତି । ପୁଅଙ୍କୁ ଜିତାଇବାରେ ବାପା ସମର୍ଥ ହେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।