ଅକଳରେ ବିରୋଧୀ ମୁଖିଆ

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗାଦିଚୁ୍ୟତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଜେପି ଓ କଂଗ୍ରେସ । ଏଥର ସରକାର ଗଢ଼ିବୁ ବୋଲି ବିଜେପି ସଭାପତି ମନମୋହନ ସାମଲ କହୁଥିବାବେଳେ ପିସିସି ସଭାପତି ୯ରୁ ୯୦ର ଅଙ୍କ କଷିଛନ୍ତି । କିନ୍ତୁ ରାଜନୀତିକ ସ୍ଥିତି ଏମିତି ହୋଇଛିଯେ, ନିଜ ନିର୍ବାଚନମଣ୍ଡଳୀରେ ହିଁ ଏହି ଦୁଇ ନେତା ଏଥର ବାନ୍ଧି ହୋଇଯିବେ । ଅନ୍ୟ ନେତାଙ୍କ ପାଇଁ ପ୍ରଚାର କରିବାକୁ ବି ସମୟ ଦେଇପାରିବେ ନାହିଁ । ଅନ୍ୟ ନିର୍ବାଚନମଣ୍ଡଳୀରେ ଦୁଇ ସେନାପତିଙ୍କ ଅନୁପସ୍ଥିତିରେ ଦଳ କିଭଳି ପ୍ରଦର୍ଶନ କରିବ ତାହା ଉପରେ ବି ପ୍ରଶ୍ନବାଚୀ ଲାଗିବା ସ୍ୱାଭାବିକ ।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ହିଞ୍ଜିଳିରୁ ଲକ୍ଷେ ଭୋଟରେ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୦୦ରୁ ଏଯାବତ ସେ ହିଞ୍ଜିଳିରୁ ୫ ଥର ଜିତି ସାରିଲେଣି । ତେବେ ଏଥିପାଇଁ ତାଙ୍କୁ ବ୍ୟକ୍ତିଗତ ଭାବେ ପରିଶ୍ରମ କରିବାକୁ ପଡ଼େନାହିଁ । ସେ ଦି ଚାରିଥର ପ୍ରଚାର କରୁଥିବାବେଳେ ବାକି କାର୍ଯ୍ୟ ତାଙ୍କର ପ୍ରତିନିଧି ଓ ଦଳୀୟ କର୍ମୀମାନେ କରିଥା’ନ୍ତି । ଯାହାଫଳରେ ନବୀନ ସାରା ରାଜ୍ୟ ବୁଲି ପ୍ରଚାର କରିପାରୁଛନ୍ତି । କିନ୍ତୁ ବିଜେପି ଓ କଂଗ୍ରେସ ମୁଖିଆଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବ ।
୨୦୦୪ରେ ମାତ୍ର ଗୋଟିଏ ଥର ଜିତିଥିଲେ ମନମୋହନ ସାମଲ । ୨୦୦୯ରେ ସେ ଭଣ୍ଡାରୀପୋଖରୀରୁ ଓ ୨୦୧୪ ଏବଂ ୨୦୧୯ରେ ସେ ଚାନ୍ଦବାଲିରେ ବ୍ୟୋମକେଶ ରାୟଙ୍କ ଠାରୁ ହାରି ଯାଇଥିଲେ । ତେଣୁ ବାରବାର ପରାଜୟ
ବରଣ କରୁଥିବା ମନମୋହନ ଏଥର ଜିତିବା ପାଇଁ ଦିନରାତି ଏକ କରିଦେବେ । ଚାନ୍ଦବାଲିରେ ବି ବିଜେଡ଼ିର ଟାଣୁଆ ନେତା ତଥା ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ ନିର୍ବାଚନ ଲଢୁଛନ୍ତି । ବାପିଙ୍କର ମଜବୁତ ସଂଗଠନ ରହିଥିବାରୁ ତାଙ୍କୁ ମନମୋହନ ହାଲକାରେ ନେଇପାରିବେ ନାହିଁ । ଫଳରେ ସେ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ରହି ପ୍ରଚାର କରିବାକୁ ବାଧ୍ୟ ହେବେ । ଅନ୍ୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସେ ସମୟ ପାଇବେ ନାହିଁ ବୋଲି କହିଲେ ଭୁଲ ହେବନାହିଁ । ସେପଟେ ଶରତ ପଟ୍ଟନାୟକ ଦୁଇ ଦୁଇ ଥର ଲୋକସଭା ସାଂସଦ ହେବାର ସୁଯୋଗ ପାଇଛନ୍ତି । କିନ୍ତୁ ୧୯୯୦ ଦଶକ ପରେ ସେ ବିଜୟର ସ୍ୱାଦ ଚାଖି ପାରିନାହାନ୍ତି । ସେହିପରି ସେ କେବେବି ବିଧାନସଭା ମାଟି ମାଡ଼ି ପାରିନାହାନ୍ତି । ଏଭଳି ସ୍ଥିତିରେ ତାଙ୍କର ଫୋକସ ନୂଆପଡ଼ା ଉପରେ ହିଁ ରହିବ । ଆଜିକା ଦିନରେ କଂଗ୍ରେସର ସ୍ଥିତି ଯାହା ବିଶେଷ ଲାଭ ମିଳିବା ଭଳି ଲାଗୁନାହିଁ ।ଗୋଟିଏ ପଟେ ନବୀନ ୧୪୭ ବିଧାନସଭା ଓ ୨୧ ଲୋକସଭାର ମଙ୍ଗ ଏକାକୀ ଧରିବେ । ହାଇଟେକ ବସରେ ସେ ପ୍ରଚାର କରିବାକୁ ଯିବେ । ସାରା ଓଡ଼ିଶାରେ ନବୀନ ଏକ ବାତାବରଣ ସୃଷ୍ଟିକରିବେ । କିନ୍ତୁ ଅପରପକ୍ଷରେ ଦୁଇ ବିରୋଧୀ ଦଳର ମଙ୍ଗୁଆଳ ନିଜ କ୍ଷେତ୍ର ଜଗିବାକୁ ହିଁ ବାଧ୍ୟ ହେବେ । ଉଭୟଙ୍କ ପାଇଁ ନିଶ୍ଚିତ ବିଜୟର ସମ୍ଭାବନା ନଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ହିଁ ବାନ୍ଧି ହୋଇରହିବେ ବୋଲି କହିଲେ ଭୁଲ ହେବନାହିଁ ।