ଫଟା ଥିଲେ ଗୋଟା ହେଲେ

କଥାରେ କହନ୍ତି ମଇଁଷି ଶିଙ୍ଘ ଫଟା, ହେଲେ ଯୁଝିଲା ବେଳକୁ ଗୋଟା । ମାନେ ମଇଁଷି ପଲରୁ ବାଘ ବି ମୁକୁଳିବା ମୁସ୍କିଲ । ଏବେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ବିଜେଡ଼ିକୁ ଟାର୍ଗେଟ କରିବା ଆଳରେ ଏକାଠି ବୋଲି ବାର୍ତ୍ତା ଦେଇଛନ୍ତି । ପୂର୍ବର ଫାଟରେ ଏବେ
ସେମାନେ ବି ଯାହିତାହି ନେତା ନୁହଁନ୍ତି, ଏକୁ ଆରକେ ବଳି । ସମସ୍ତେ ସିଏମ ମ୍ୟାଟେରିଆଲ୍ । ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀ । ଏମାନେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ବୋଲି ସମସ୍ତେ ଜାଣନ୍ତି । ନିର୍ବାଚନ ପୂର୍ବରୁ ଯିଏ ଯାହା ବାଟରେ ଶକ୍ତି ପ୍ରଦର୍ଶନ କରୁଥିଲେ । ଅନ୍ୟକୁ ନୀଚ୍ଚା ଦେଖାଇବା ପାଇଁ କୌଣସି ପ୍ରକାର ସୁଯୋଗକୁ ହାତଛଡ଼ା କରୁନଥିଲେ । ମନ ଫଟାଫଟି କାରଣରୁ ବିଜେପି ଆଗେଇ ପାରୁନାହିଁ ବୋଲି ବାର୍ତ୍ତା ଯାଉଥିଲା ।
କିନ୍ତୁ ଏବେ ସମସ୍ତେ ଅଠାକାଠିରେ ପଡ଼ିଯାଇଥିବାରୁ ଏକାଠି ହେବାକୁ ବାଧ୍ୟ ହୋଇଛନ୍ତି । ଧର୍ମେନ୍ଦ୍ର ଏବେ ସମ୍ବଲପୁରରୁ ଲଢୁଛନ୍ତି । ତାଙ୍କୁ ସେଠାରେ ଟକ୍କର ଦେଉଛନ୍ତି ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁରର ହାଇଭୋଲଟେଜ ଲଢେ଼ଇ ଉପରେ ଏବେ ସାରା ଓଡ଼ିଶାର ବି ନଜର ରହିଛି । ବୈଜୟନ୍ତ ପଣ୍ଡା ଗତଥର କେନ୍ଦ୍ରାପଡ଼ାରୁ ହାରିଥିବାବେଳେ ଏଥର ହଁ ନାହିଁ ଭିତରେ ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଗଣେଶ୍ୱର ବେହେରା ଓ ପ୍ରକାଶ ବେହେରା ବିଜେଡ଼ିକୁ ଆସିଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମଧ୍ୟ ବିଜେଡ଼ିରେ । ଫଳରେ ବୈଜୟନ୍ତ ଏବେ ପ୍ରତିକୂଳ ସ୍ଥିତିରେ ନିର୍ବାଚନ ଲଢୁଛନ୍ତି ।
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବି ଏଥର ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁନଥିଲେ । ସେ ବିଧାୟକ ହେବାକୁ ଚାହୁଁଥିବାବେଳେ ଦଳ ତାଙ୍କୁ ଏମପି ଟିକେଟ ଧରେଇଦେଲା । ବାଲେଶ୍ୱରରୁ ଏଥର ତାଙ୍କୁ କଡ଼ା ଟକ୍କରର ସାମ୍ନା କରିବାକୁ ପଡୁଛି । ଅପରାଜିତା ଷଡ଼ଙ୍ଗୀ ଗତଥର ବାଜିମାତ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ପରେପରେ ସେ ନିଜକୁ ସିଏମ ଚେହେରା ଭାବେ ଉପସ୍ଥାପିତ କରିବାରେ ଲାଗିଥିଲେ । ଏବେ ବିଜେଡ଼ି ସମୀକରଣ ତାଙ୍କର ଟେନସନ ବଢାଇଦେଇଛି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏଥର ଧର୍ମେନ୍ଦ୍ରଙ୍କୁ ଚକମା ଦେଇ ସଭାପତି ହୋଇଯାଇଥିଲେ । ଏହାପରେ ମନମୋହନ ନିଜର କୋଟରୀ ଗଢ଼ିବା ସହ ଧର୍ମେନ୍ଦ୍ରଙ୍କ କୋଟରୀକୁ କୋଣଠେସା କରି ଦେଇଥିଲେ । ତିନି ତିନି ଥର ହାରିବା ପରେ ଏଥର ସେ ବିଜୟର ସ୍ୱପ୍ନ ଦେଖୁଛନ୍ତି । ତେବେ ଚାନ୍ଦାବାଲିରେ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟଙ୍କ ସହ ତାଙ୍କର କଡ଼ା ଲଢେ଼ଇ ହେବ । ନିର୍ବାଚନ ପୂର୍ବରୁ ଏହି ନେତାମାନେ ଯଦି ଏକାଠି ହୋଇଥା’ନ୍ତେ ଆଜି ବିଜେପି ଆହୁରି ମଜବୁତ ହୋଇପାରିଥା’ନ୍ତା । ତେବେ ବାହାଘର ବେଳେ ବାଇଗଣ ରୋଇଲେ କି ଫଳ ମିଳିବ ତାହା ଜୁନ ୪ରେ ଜଣାପଡ଼ିବ ।