ବିଜେଡ଼ିର ଗଡ଼, ଅଣ୍ଟା ଭିଡୁଛି ବିଜେପ

କଟକରୁ ପ୍ରଣବ କୁମାର ନନ୍ଦି
ମେ ୨୫ ତାରିଖରେ ମତଦାନ ହେବାକୁ ଥିବା ଚୌଦ୍ୱାର-କଟକ ବିଧାନସଭା ଆସନରୁ ସବୁ ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଲାଣି ।  ଭୋଟରଙ୍କୁ ଭେଟିବା ପାଇଁ ସମସ୍ତ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ଏବେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଗାଡି ଏହି ନର୍ବାଚନମଣ୍ଡଳୀ ସାରା ବୁଲୁଥିବା ଦେଖିବାକୁ ମିଳୁଛି । ପ୍ରାର୍ଥୀଙ୍କ ପୋଷ୍ଟର ମଧ୍ୟ ସହର ସାରା ଛାଇ ହୋଇଗଲାଣି । ଚଳିତ ଥର ବିଜେଡି ପକ୍ଷରୁ ଦ୍ୱିତୀୟ ଥର ପାଇଁ ସୈାଭିକ ବିଶ୍ୱାଳ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି  । ବିଜେପି ପକ୍ଷରୁ ନୟନ କିଶୋର ମହାନ୍ତି ଓ କଂଗ୍ରେସ ପକ୍ଷରୁ ମୀରା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ପ୍ରଚାରରେ ବିଜେଡି ଓ ବିଜେପି ଆଗୁଆ ରହିଥିବା କୁହାଯାଉଛି । ଅନ୍ୟପକ୍ଷରେ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପକ୍ଷରୁ ନିଜ ନିଜର ସମର୍ଥକଙ୍କ ସହ ବୁଲି ଭୋଟ ଭିକ୍ଷା କରୁଛନ୍ତି । ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀ କଟକ ମହାନଗର ନିଗମ ଅନ୍ତର୍ଗତ ୧୯ଟି ୱାର୍ଡ, ଚୈାଦ୍ୱାର ମୁ୍ୟନିସିପାଲିଟି ଓ ୬ଟି ପଞ୍ଚାୟତକୁ ନେଇ ଗଠିତ । ଏହି ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୩୩ ହଜାର ୨୯୭ । ୨୦୦୯ରୁ ଅର୍ଥାତ୍ ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ଓ ନୂଆ ନାମକରଣ ପରଠାରୁ ଚୈାଦ୍ୱାର-କଟକ ବିଧାନସଭା ଆସନ ବିଜେଡିର ଗଡ଼ ଭାବେ ରହିଛି । ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରଭାତ ରଂଜନ ବିଶ୍ୱାଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ଦୀପକ କୁମାର ବାରିକଙ୍କୁ ୩୩ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ବିଜେପି ପ୍ରାର୍ଥୀ ନୟନ ମହାନ୍ତି ୮ ହଜାର ୯୯୮ ଓ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ଚୈାଧୁରୀ ୮ ହଜାର ୪୯୮  ଖଣ୍ଡ ଭୋଟ ପାଇଥିଲେ । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ଶ୍ରୀ ବିଶ୍ୱାଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କୁ ୫୧ ହଜାରରୁ ଊଦ୍ଧ୍ୱର୍ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ବିଜେପି ପ୍ରାର୍ଥୀ ନୟନ ମହାନ୍ତିଙ୍କୁ ୨୪ ହଜାର ୨୫୧ ଖଣ୍ଡ ଭୋଟ ମିଳିଥିଲା । ୨୦୧୯ରେ ବିଜେଡି ପ୍ରଭାତଙ୍କ ବଦଳରେ ତାଙ୍କ ପୁତ୍ର ସୈାଭିକଙ୍କୁ ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୈାଭିକ ୬୬ ହଜାର ୩୬୫ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ନୟନ ମହାନ୍ତି ୪୪ ହଜାର ୨୮୩ ଖଣ୍ଡ ଭୋଟ ପାଇଥିଲେ । ଏହାଛଡା ସ୍ୱାଧୀନ ପ୍ରାର୍ଥୀ ଦୀପକ ବାରିକ ୧୪ ହଜାର ୬୫୨ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଜଗଦୀଶ ମହାନ୍ତି ୬ ହଜାର ୭୬୮ ଖଣ୍ଡ ଭୋଟ ପାଇଥିଲେ । ଚଳିତ ନିର୍ବାଚନରେ ଏହି ଗଡ଼ ରକ୍ଷା କରିବା ବିଜେଡି ପ୍ରାର୍ଥୀ ସୈାଭିକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ୨୦୧୯ରେ ସୈାଭିକ ପ୍ରାୟ ୨୨ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ନୟନ ମହାନ୍ତିଙ୍କୁ ପରାସ୍ତ କରିଥିଲେ । ଏହି ନିର୍ବାଚନରେ ସ୍ୱଧୀନ ପ୍ରାର୍ଥୀ ତଥା ଚୈାଦ୍ୱାର ଅଞ୍ଚଳର ଟାଣୁଆ ଶ୍ରମିକ ନେତା ଦୀପକ ବାରିକ ପାଖାପାଖି ୧୫ ହଜାର ଭୋଟ ପାଇଥିଲେ । ଚଳିତ ଥର ଦୀପକ ସ୍ୱାଧୀନ ପ୍ରାର୍ଥୀ ହୋଇ ପରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ୨୦୧୯ ନିର୍ବାଚନରେ ଦୀପକ ପାଇଥିବା ପାଖାପାଖି ୧୫ ହଜାର ଭୋଟ ଚଳିତ ଥର ଯାହା ସପକ୍ଷରେ ଯିବ, ଏହା ବିଜୟ ଓ ପରାଜୟର ଫଳାଫଳକୁ ଅନେକ ଭାବରେ ପ୍ରଭାବିତ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ସୈାଭିକ ସଂପ୍ରତି ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ସୁପ୍ରିମୋଙ୍କ ନିର୍ମଳ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାନ୍ତରୀକରଣ ଓ ବିଜେଡିର ଦୃଢ ସଂଗଠନକୁ ପୁଞ୍ଜି କରି ସେ ନିର୍ବାଚନ ଲଢୁଛନ୍ତି । ବିଜେଡି ଷ୍ଟାର ପ୍ରଚାରକ ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କଟକରେ ପ୍ରଚାର ପରେ ଏବେ ବିଜେଡି ଶିବିର ଚଳଚଞ୍ଚଳ ହୋଇପଡିଛି । ଦଳ ପକ୍ଷରୁ ସଭା, ସମାବେଶ, ବାଇକ୍ ରାଲି, କର୍ମୀ ସମ୍ମିଳନୀ, ପଦଯାତ୍ରା ଓ ମିଶ୍ରଣ ପର୍ବ ଆଦି କରି ସୈାଭିକ ପ୍ରଚାର ଚଳାଇଛନ୍ତି । ଏଥିସହିତ ପୂର୍ବତନ ବିଧାୟକ ତଥା ସୈାଭିକଙ୍କ ପିତା ପ୍ରଭାତ ବିଶ୍ୱାଳ ମୁଖ୍ୟ ପୃଷ୍ଠପୋଷକ ଭାବେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ବିଜେପି ପ୍ରାର୍ଥୀ ନୟନ ମହାନ୍ତି ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଲୋକଙ୍କ ସାମନାକୁ ଆଣି ଭୋଟରଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା ଚଳାଇଛନ୍ତି । ଶ୍ରୀ ମହାନ୍ତି ଡବଲ ଇଞ୍ଜିନ ସରକାର ଓ ମୋଦି ଗ୍ୟାରେଣ୍ଟିର ନାରା ଦେଇ ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି । ଏତଦବ୍ୟତୀତ ବିଜେପି ଦଳର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା  ଗସ୍ତ ବିଜେପି କ୍ୟାମ୍ପରେ ଜୋଶ୍ ଭରି ଦେଇଛି । ଏହାଛଡା ଶ୍ରୀ ମହାନ୍ତି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ସଭା, ସମାବେଶ, କର୍ମୀ ସମ୍ମିଳନୀ, ବାଇକ ରାଲି ଓ ମିଶ୍ରଣ ପର୍ବ ଆଦି କରି ନିଜ ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମୀରା ମଲ୍ଲିକ ତାଙ୍କର ପ୍ରଚାର କାର୍ଯ୍ୟକୁ ଜୋର୍ଦାର କରିଛନ୍ତି । କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧିଙ୍କ ବାରମ୍ବାର ଓଡିଶା ଗସ୍ତ ରାଜ୍ୟ କଂଗ୍ରେସ ଶିବିରରେ ଉସôାହ ଭରିଦେଇଛି । ଏହାର ପ୍ରଭାବ ମଧ୍ୟ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀଙ୍କ ଉପରେ ପଡିଛି । ମୀରା ମଲ୍ଲିକ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା, ସମାବେଶ, କର୍ମୀ ସମ୍ମିଳନୀ ଆଦି କରି ନିଜ ପ୍ରଚାର ଚଳାଇଛନ୍ତି । ଚଳିତ ଥର ଚୈାଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ମୁକାବିଲା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।