ମାହାଙ୍ଗା: ବିଜେଡ଼ି ଓ ସ୍ୱାଧୀନ ମଧ୍ୟରେ କଡା ଟକ୍କର  

ନିଶ୍ଚିନ୍ତକୋଇଲିରୁ ରତ୍ନାକର ବାରିକ :
ମାହାଙ୍ଗା  ୯୫ ନମ୍ବର ଅସଂରକ୍ଷିତ ବିଧାନସଭା କ୍ଷେତ୍ର ମାହାଙ୍ଗା ବ୍ଲକର ୩୭ ଗୋଟି ପଞ୍ଚାୟତ ଓ ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଗୋଟି ପଞ୍ଚାୟତକୁ ନେଇ ଗଠିତ  । ଏଥିରେ ମାହାଙ୍ଗା ବ୍ଲକର ୧୮୫ଟି ମତଦାନ କେନ୍ଦ୍ର ଓ ନିଶ୍ଚିନ୍ତକୋଇଲି ବ୍ଲକର ୧୨୪ଟି ମତଦାନ କେନ୍ଦ୍ରରେ ୨ଲକ୍ଷ ୭୦ ହଜାର ୮୭୦ ଜଣ ଭୋଟରଙ୍କ ମଧ୍ୟରେ ୧ଲକ୍ଷ ୪୦ ହଜାର ୭ଜଣ ପୁରୁଷ, ୧ ଲକ୍ଷ ୩୦ ହଜାର ୮୪୭ଜଣ ମହିଳା ଓ ୧୬ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ଆଗାମୀ ଜୁନ୍ ୧ ତାରିଖରେ ହେବାକୁ ଥିବା ସାଧାରଣରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ହେଲେ ଆମ୍ଆଦମୀ ପାର୍ଟିର ଶାରଦା ପ୍ରସାଦ ଦାସ, ବିଜୁ ଜନତା ଦଳର ଅଙ୍କିତ ପ୍ରତାପ ଜେନା, ଭାରତୀୟ ଜନତା ପାର୍ଟିର ସୁମନ୍ତ ଘଡାଇ, ଭାରତୀୟ ଜାତୀୟ କଂଗ୍ରେସ ଦେବେନ୍ଦ୍ର କୁମାର ସାହୁ , ସ୍ୱାଧୀନ ଭାବେ ଶାରଦା ପ୍ରଧାନ, ପ୍ରଶାସକ ଜୟନ୍ତ ଦାସ, ଆଇନଜୀବୀ ଡ. ଦୁର୍ଗାଚରଣ ନାୟକ, ଶାରଳାପୁତ୍ର ବିଦୋନ ଷଢଙ୍ଗୀ ପ୍ରମୁଖ ଅଛନ୍ତି ।  ଏଥିମଧ୍ୟରୁ ନବାଗତ ପ୍ରାର୍ଥୀ ଭାବେ ଚାରି ଜଣ ପ୍ରତିଦ୍ୱନ୍ଦୀ ରହିଛନ୍ତି । ସେଥିମଧ୍ୟରୁ ମାହାଙ୍ଗାର ପ୍ରାକ୍ତନ ମନ୍ତ୍ରୀ ପ୍ରତାପ ଜେନାଙ୍କର ସୁପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କର ଯୋରଦାର ପ୍ରଚାର ଏବଂ ସଂଗଠନ ରହିଛି । ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ପ୍ରତିଶୃତି ଦେବା ଓ ଜଣେ ବରିଷ୍ଠ ପ୍ରାକ୍ତନ ମନ୍ତ୍ରୀଙ୍କ ପୁଅ ହିସାବରେ ତାଙ୍କର ବାପାଙ୍କର ବିକାଶଧାରାକୁ ତ୍ୱରାନ୍ୱିତ କିଭଳି ଭାବେ କରାଯାଇ ମାହାଙ୍ଗାକୁ ୧ ନମ୍ବର କରାଯାଇ ପାରିବ ସେଥିପାଇଁ ଉଦ୍ୟମ ଜାରୀ ରଖିବେ ବୋଲି ପ୍ରତିଶୃତି ଦେଉଛନ୍ତି ।  କଂଗ୍ରେସର ନେତା ଦେବେନ୍ଦ୍ର କୁମାର ସାହୁ ବୁଲି ବୁଲି କର୍ମୀଙ୍କ ସହ ଭୋଟ ହାତେଇବା ପାଇଁ ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ସଂପର୍କରେ ଅବଗତ କରୁଛନ୍ତି । ହେଲେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ଦେବେନ୍ଦ୍ର ସାହୁ ଯଦିବା ଦୀର୍ଘ ଦିନ ହେଲା ମାହାଙ୍ଗାରେ ଦଳୀୟସ୍ଥିତ ବଜାୟୀ ରଖିଥିଲେ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦଙ୍କ ପକ୍ଷରୁ ପ୍ରାର୍ଥୀ ଚୟନରେ ବିଳମ୍ବ ହେତୁ ବହୁ ସ୍ଥାନରେ ସଂଗଠନ ଦୁର୍ବଳ ଥିବା ଜଣାପଡିଛି । ତେବେ କେନ୍ଦ୍ରର ନେତୃତ୍ୱ ଓଡିଶାକୁ ବାରମ୍ବର ଗ୍ରସ୍ତପରେ କିଛି ମାତ୍ରାରେ ପରିବର୍ତ୍ତନର ଆଶା ରଖାଯାଉଛି । ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଓ ଗତ ନିର୍ବାଚନରେ ବିଜେପି ଦଳରୁ ପ୍ରତିଦ୍ୱନ୍ଦିତା କରୁଥିବା ମାହାଙ୍ଗା ମାଟିର ପୁଅ  ଶାରଦା ପ୍ରଧାନ(ବୁଲୁ)  ଦୁଃଖୀ ଦରିଦ୍ରଙ୍କ ବନ୍ଧୁ ଭାବେ ବିଭିନ୍ନ ସମୟରେ ମାହାଙ୍ଗା ଅଞ୍ଚଳରେ ଘରପୋଡି, ବନ୍ୟା,ବାତ୍ୟା,  ଦୁର୍ବିପାକରେ କ୍ଷତିଗ୍ରସ୍ତଙ୍କ  ପହଞ୍ଚô ସୁଖ ଦୁଃଖରେ ସାଥି ହୋଇ ସଂପୂର୍ଣ୍ଣ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କର ଆର୍ଶୀବାଦ ନେବା ସହ ବୁଦ୍ଧିଜୀବୀ ମହଲରେ ସିମ୍ପାଥି ଭୋଟ ଯୋଗାଡ କରିବାରେ କମିତିରେ ନାହାଁନ୍ତି ।  ସେ ବର୍ତ୍ତମାନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ବହୁ ଭୋଟରେ ବିଜୟପ୍ରାପ୍ତ ହେବାକୁ ଆଶାବାଦୀ ଅଛନ୍ତି । ତତ୍ସହିତ ସ୍ୱାଧୀନ ପ୍ରାର୍ଥୀ ଭାବେ  ଜୟନ୍ତ ଦାସ ପ୍ରାକ୍ତନ ପ୍ରଶାସକ ହୋଇ ଅବସର ନେବା ପରେ ମାହାଙ୍ଗା ଅଞ୍ଚଳର ପ୍ରତି ପରିବାର ପାଖରେ ପହଞ୍ଚôଥିବା ଦେଖିବାକୁ ମିଳିଛି ।  ସେହିପରି ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ଡ. ଦୁର୍ଗାଚରଣ ନାୟକ ଜଣେ ସୁଶିକ୍ଷାବିତ୍ ଓ ମଣ୍ଡଳ ଶିକ୍ଷାଅଧିକାରୀ ଭାବେ କାର୍ଯ୍ୟ କରି ଅବସର ନେବା ପରେ ମାହାଙ୍ଗା ଅଞ୍ଚଳର ଚଷା ପୁଅ ଭାବେ କୃଷକ ନେତା ହିସାବରେ  ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ କର୍ମକର୍ତ୍ତା ହିସାବରେ ସୁମନ୍ତ ଘଡାଇ ଚଳିତ ନିର୍ବାଚନରେ ନୂତନ ଭାବେ ଯୁବ ପିଢୀଙ୍କୁ ମନେଇ ନିଜ ସମର୍ଥନରେ ନବ ନିର୍ମାଣ ମାହାଙ୍ଗା ଗଠନ କରିବା ପାଇଁ ବିଜେପି ଦଳ ପ୍ରାର୍ଥୀ ହୋଇ ପ୍ରଚାର ପ୍ରସାର ଚଳାଇଛନ୍ତି । ଦେଶରେ ମୋଦି ହାୱା ଚାଲିଥିଲା ବେଳେ ମାହାଙ୍ଗା ମାଟିରେ ନୂତନ ପ୍ରାର୍ଥୀ  ପାଇଁ କେନ୍ଦ୍ର ନେତୃ ମଣ୍ଡଳୀଙ୍କର କେତେଦୂର ପ୍ରଭାବ ପଡିବ ତାହା ସମୟ କହିବ  । ଶାରଦା ପ୍ରସାଦ ଦାସ ଆମ୍ଆଦ୍ମୀ ଦଳର ପ୍ରତିନିଧି ଭାବେ ମାହାଙ୍ଗାରୁ ନିର୍ବାଚନରେ ଅବତୀର୍ଣ୍ଣ ହେବା ପାଇଁ ନାମାଙ୍କନପତ୍ର ଦାଖଲ କରି ଦଳର କାର୍ଯ୍ୟଧାରା ଉପରେ ଲୋକମାନଙ୍କୁ ଅବଗତ କରି ସମାଜସେବା କ୍ଷେତ୍ରରେ ଦୁଃଖୀ ଦରିଦ୍ରଙ୍କ ସେବାରେ ନିଜକୁ ସମର୍ପିତ କରିଥିବା କଥା କହି ବିଭିନ୍ନ ରାଜ୍ୟରେ ଆପ୍ ସରକାରର ବିକାଶର ଝଲକକୁ ମାହାଙ୍ଗାର ଭୋଟରଙ୍କୁ ବୁଝାଇ ନିଜ ସପକ୍ଷରେ ମତଦାନ କରିବା ପାଇଁ ନିବେଦନ କରୁଛନ୍ତି । ସଂସ୍କୃତି ସଂପନ୍ନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଜଣେ ଯୋଗ୍ୟ ବିଧାୟକ ପାଇଁ ମତଦାତାମାନେ ସେମାନଙ୍କର ମତଦାନ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।