୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ, ୬ ସ୍ଥାନରେ ବଦଳିଲେ ପ୍ରାର୍ଥୀ

୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ,  ୬ ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଉ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି  । ବୀରମିତ୍ରପୁରରୁ ରୋହିତ ଯୋଶେଫ ତିର୍କୀ, ବାରବାଟୀ କଟକରୁ ପ୍ରକାଶ ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା, ବାଲେଶ୍ୱରରୁ ସ୍ୱରୂପ ଦାସ, କେନ୍ଦୁଝରରୁ ମୀନା ମାଝୀ, ରାଉରକେଲାରୁ ଶାରଦା ନାୟକ, ରାଇରଙ୍ଗପୁରରୁ ରାଇସିଂ ମୁର୍ମୁ, ଜୟଦେବରୁ ନବକିଶୋର ମଲ୍ଳିକ ଓ ରେଙ୍ଗାଲିରୁ ସୁଦର୍ଶନ ହରିପାଲ ପ୍ରାର୍ଥୀ ହୋଇଛନ୍ତି  ।
ମୋଟାମୋଟି ଭାବେ ଦେଖିଲେ ଏହି ୯ ଜଣଙ୍କ ମଧ୍ୟରୁ କେବଳ ୩ ବିଧାୟକଙ୍କ ଟିକେଟ ରହିଛି  । ବାକି ୬ ଆସନରେ ପ୍ରାର୍ଥୀ ବଦଳିଛନ୍ତି  । ୨୦୧୯ରେ ବିଜେଡ଼ି ଟିକେଟରେ କେନ୍ଦୁଝରରୁ ମାଧବ ସର୍ଦ୍ଦାର,  ବୀରମିତ୍ରପୁରରୁ ମାଖଲୁ ଏକ୍କା, ବାରବାଟୀ କଟକରୁ ଦେବାଶିଷ ସାମନ୍ତରାୟ, ଜୟଦେବରୁ ଅରବିନ୍ଦ ଢାଲି, ରାଇରଙ୍ଗପୁରରୁ ବାସନ୍ତୀ ମାରାଣ୍ଡି ଓ ରେଙ୍ଗାଲିରୁ ରୀନା ତନ୍ତୀ ନିର୍ବାଚନ ଲଢ଼ିଥିଲେ  ।
ନିକଟରେ ଜର୍ଜ ତିର୍କୀଙ୍କ ପୁଅ ଯୋଶେଫ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ  । ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କର ଭଲ ଭୋଟ ବ୍ୟାଙ୍କ ରହିଥିବାରୁ ବିଜେଡ଼ି ତାଙ୍କୁ ଟିକେଟ ଦେଇଛି  । ବାଲେଶ୍ୱରରେ ସ୍ୱରୂପ ଦାସ, ସାଲେପୁରରେ ପ୍ରଶାନ୍ତ ବେହେରା ଓ ରାଉରକେଲାରେ ପୁଣି ଶାରଦା ପ୍ରସାଦ ନାୟକଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି  । ଅପରପକ୍ଷରେ ବିଜେପି ଛାଡ଼ି ବିଜେଡ଼ିକୁ ଆସିଥିବା ପ୍ରଶାନ୍ତ ବେହେରାକୁ ଦଳ ବାରବାଟୀ-କଟକରୁ ପ୍ରାର୍ଥୀ କରିଛି  । ପୂର୍ବରୁ ପ୍ରଶାନ୍ତ ଉଭୟ କଂଗ୍ରେସ ଓ ବିଜେପିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିବାରୁ ଏହି ନିର୍ବାଚନମଣ୍ଡଳୀର ରାଜନୀତିକ ଅଙ୍କ ସହ ବେଶ୍ ପରିଚିତ  ।
ବୀରମିତ୍ରପୁରରେ ବିଜେଡ଼ି ଗତଥର ମାଖଲୁ ଏକ୍କାଙ୍କୁ ଟିକେଟ ଦେଇଥିଲା  । କିନ୍ତୁ ସେ ବିଜେପି ପ୍ରାର୍ଥୀ ଶଙ୍କର ଓରାମଙ୍କ ଠାରୁ ବହୁ ଭୋଟରେ ପରାସ୍ତ ହୋଇଥିଲେ  । କଂଗ୍ରେସରୁ ଲଢ଼ି ଯୋଶେଫ ୪୪ ହଜାରରୁ ଅଧିକ ଭୋଟ ପାଇଥିଲେ  ।