ଏ ଲଢେଇ ଆନନ୍ଦପୁରବାସୀଙ୍କର: ଜୟଦେବ
ଚଳିତ ନିର୍ବାଚନ ପାଇଁ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ଏହି ପରିପ୍ରେକ୍ଷୀରେ ଆନନ୍ଦପୁରରେ ପୁଣି ଥରେ କଂଗ୍ରେସ ଟିକେଟରୁ ଲଢ଼ୁଛନ୍ତି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା । ୧୯୮୦ ମସିହାରୁ କଂଗ୍ରେସ ଟକେଟରେ ଲଢ଼ି ଆସୁଛନ୍ତି ଜୟଦେବ । ତାଙ୍କୁ ଭେଟିଛନ୍ତି ଆମ ‘ସୂର୍ଯ୍ୟପ୍ରଭା’ ପ୍ରତିନିଧି ଶ୍ରୀକାନ୍ତ କୁମାର ରାଉତ ।
ସୂର୍ଯ୍ୟପ୍ରଭା: ଏକଦା ଆନନ୍ଦପୁର ଥିଲା ଆପଣଙ୍କ ଗଡ଼ । ଆପଣଙ୍କ ସମୟରେ ଅଞ୍ଚଳର କି କି ବିକାଶ କରିଛନ୍ତି ?
ଜୟଦେବ: ଏଠି ଶିକ୍ଷାଠୁ ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ଜଳସେଚନ ସବୁ କଂଗ୍ରେସ ସରକାରରେ ହିଁ ହୋଇଛି । ହାଟଡିହି ତହସିଲ ହେଉ କିମ୍ବା ବ୍ଲକ୍ ହେଉ ସବୁ ଜୟଦେବଙ୍କ ଅମଳରେ ହୋଇଛି । ଏପରିକି ୧୪୭ ନମ୍ବର ସିଟ୍କୁ ଆଣି ମୁଁ ୨୨ ନମ୍ବରରେ ରଖିଛି । ବିକାଶ କ’ଣ ହୋଇଛି? ତାହା ଜନତା ଜାଣିଛନ୍ତି ।
ସୂର୍ଯ୍ୟପ୍ରଭା: ସମ୍ପ୍ରତି କଂଗ୍ରେସ ରାଜ୍ୟରେ ତିନି ନମ୍ବରରେ ପହଞ୍ଚିଛି । ଏଥିପାଇଁ ଦାୟୀ କିଏ ?
ଜୟଦେବ: ଏଥିପାଇଁ ଦାୟୀ କେହି ନୁହନ୍ତି । ଲୋକମାନେ ବୁଝି ଗଲେଣି ପୁଣି କଂଗ୍ରେସ ସପକ୍ଷରେ ଜନମତ ଆସିବ ।
ସୂର୍ଯ୍ୟପ୍ରଭା: ଏଥର ଆପଣ ଶେଷ ନିର୍ବାଚନ ଲଢୁଛନ୍ତି ? ଶେଷ ନିର୍ବାଚନରେ ବିଜୟ ପାଇଁ କ’ଣ ରଣନୀତି କରିଛନ୍ତି ?
ଜୟଦେବ: ରଣନୀତି କିଛି ନାହିଁ । ମୁଁ ଆନନ୍ଦପୁରବାସୀଙ୍କ ସହିତ ଅଛି । ସେମାନଙ୍କ ସୁଖ ଦୁଃଖରେ ଛିଡା ହୋଇଛି । ଏ ରଣନୀତି ମୋର ନୁହଁ । ଏହା ହେଉଛି ଆନନ୍ଦପୁରବାସୀଙ୍କର ।
ସୂର୍ଯ୍ୟପ୍ରଭା: କେଉଁ ପ୍ରସଙ୍ଗକୁ ନେଇ ଆପଣ ନିର୍ବାଚନ ଲଢ଼ୁଛନ୍ତି ? ଆନନ୍ଦପୁର ପାଇଁ ଆପଣ କ’ଣ ସ୍ୱପ୍ନ ଦେଖିଛନ୍ତି ?
ଜୟଦେବ: ଦୀର୍ଘ ୧୫ ଧରି ଆନନ୍ଦପୁର ବିକାଶର ମୁହଁ ଦେଖିନି । ଏଠି ପିସି କାରବାରରେ ସରକାର ଚାଲିଛି । ଲୋକଙ୍କୁ ଜୋର ଜବରଦସ୍ତ କରାଯାଇ ଭୋଟ ଆଦାୟ ହେଉଛି । ଏଠି ସବୁ ଅବହେଳିତ । ବିକାଶ ନାଁରେ ଏଠି ଲୋକଙ୍କୁ ଲୁଣ୍ଠନ କରାଯାଉଛି ।
ସୂର୍ଯ୍ୟପ୍ରଭା: ଏଥର କ’ଣ ଆନନ୍ଦପୁରର ରାଜନୀତିକ ଅଙ୍କ ବଦଳିଯିବ ? ବିଜେଡ଼ି ଓ ବିଜେପିର ଦମଦାର ପ୍ରଚାରର ଆପଣ କିଭଳି ମୁକାବିଲା କରିବେ ?
ଜୟଦେବ: ଏହାର ଜବାବ ମଇ ୨୫ତାରିଖରେ ଆନନ୍ଦପୁରବାସୀ ଦେବେ । ଏଠି ବର୍ତ୍ତମାନ ସବୁ ଜୟଦେବମୟ ହୋଇ ଯାଇଛି । ଲୋକମାନେ ନିଷ୍ପତ୍ତି ନେଇଛନ୍ତି । ଜୟଦେବ ଜେନାଙ୍କୁ ବିପୁଳ ଭୋଟରେ ଜିତାଇବେ ଓ ଭୁବନେଶ୍ୱରରୁ ଶୁଭିବ ଆନନ୍ଦପୁରର ସ୍ୱର ।