ବିଧାୟକ ସନା ଓ ଅରବିନ୍ଦ ବିଜେଡ଼ିରୁ ନିଲମ୍ବିତ
- ବିଜେଡ଼ିର ଲାଭ ନା କ୍ଷତି ?
-
ବଦ୍ରି, ଦେବାଶିଷଙ୍କୁ ନବୀନଙ୍କ ଡର
-
ସନା ଓ ଅରବିନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ କି ନବୀନ ?
ଭୁବନେଶ୍ୱର : ଦୁଇ ଦିନ ଧରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକଙ୍କ ସହ କଥା ହେଉଥିଲେ । ଦୁଇ ଦଫାରେ ୧୯ ବିଧାୟକଙ୍କ ସହ ସେ ଆଲୋଚନା କରିଛନ୍ତି । ସଂଗଠନକୁ ମଜବୁତ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜି ହଠାତ୍ ଦଳର ଦୁଇ ଟାଣୁଆ ବିଧାୟକ ଚମ୍ପୁଆର ସନାତନ ମହାକୁଡ଼ ଓ ପାଟକୁରାର ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରିଛନ୍ତି ନବୀନ । ଏବେ ପ୍ରଶ୍ନ ଉଠୁଛି ଏଥିରେ ବିଜେଡ଼ିର କ୍ଷତି ନା ଲାଭ ? ଦୁଇ ବିଧାୟକ ନିଲମ୍ବିତ ହେଲେ ବି ସେମାନଙ୍କ ପଦ ଯିବ ନାହିଁ । ଅର୍ଥାତ୍ ସେମାନେ ୨୦୨୯ ପର୍ଯ୍ୟନ୍ତ ବିଧାୟକ ହୋଇପାରିବେ । ଏଥିରେ ସନା କି ଅରବିନ୍ଦଙ୍କର କିଛି କ୍ଷତି ହେବାର ନାହିଁ । ବରଂ ବିଜେଡ଼ିର ହିଁ କ୍ଷତି ହେବ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆଉ ଦୁଇ ବିଧାୟକ ବି ଦଳ ସହ ରହିବେ ନାହିଁ । ତେବେ ନବୀନ କାହିଁକି ହଠାତ୍ ଏଭଳି ନିଷ୍ପତ୍ତି ନେଲେ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି ।
ରାଜ୍ୟ ରାଜନୀତିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ସନାଙ୍କୁ ନିଲମ୍ବନ କରିବାର ଅନେକ ଯଥାର୍ଥ କାରଣ ରହିଛି । ବିଜେପି ସରକାରକୁ ଆସିବା ପରଠାରୁ ସନା ବିଜେପି ଆଡ଼କୁ ଢଳିବା ଆରମ୍ଭ କରିଛନ୍ତି । ସବୁବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା ବି କରି ଆସୁଛନ୍ତି । ନିକଟରେ ବି ସେ ବିଜେଡ଼ି କେନ୍ଦୁଝର ପାଇଁ କିଛି କରିନାହିଁ, କେନ୍ଦୁଝରକୁ ବିଜେଡ଼ି ସରକାର ଅବହେଳା କରି ଆସୁଥିଲେ ବୋଲି କହିଥିଲେ । ଖାଲି ସେତିକିନୁହେଁ ସନା ଅତୀତରେ ବିଜେଡ଼ିର ବିଧାୟକ ଦଳ ବୈଠକକୁ ବି ଆସିନଥିଲେ ବୋଲି ନବୀନ ବାବୁ ବିରକ୍ତ ପ୍ରକାଶ କରିଥିଲେ । ସନାଙ୍କ ପୋଷ୍ଟର ଓ ବ୍ୟାନରରେ ବି ଆଉ ନବୀନଙ୍କ ଫଟୋ ରହିନଥିଲା । ଏମିତିକି ବ୍ୟାନରରେ ଗେରୁଆ ରଙ୍ଗ ଲାଗିଥିବାରୁ ତାହାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ହେଉଥିଲା । ଏଭଳି ସ୍ଥିତିରେ ସନାଙ୍କ ବିରୋଧରେ ନବୀନ ଆକ୍ସନ ନେଇପାରନ୍ତି ବୋଲି ଚର୍ଚ୍ଚା ହେବା ସ୍ୱାଭାବିକ । ସନାଙ୍କ ଆଚରଣ ଓ ଉଚ୍ଚାରଣ ଦର୍ଶାଉଥିଲା ସେ ଆଉ ଦଳ ସହ ନାହାନ୍ତି ବୋଲି । ତେଣୁ ସନାଙ୍କ ନିଲମ୍ବନକୁ ନେଇ କେହି ଆଶ୍ଚର୍ଯ୍ୟ ହେଉନାହାନ୍ତି ।କଥା ଅଟକିଛି ଅରବିନ୍ଦଙ୍କ ପାଖରେ । ଅରବିନ୍ଦ ଯୁବ ବିଧାୟକ ଭାବେ ବିଧାନସଭାରେ ଦମଦାର ପ୍ରଦର୍ଶନ କରୁଥିଲେ । ଶାସକ ଦଳ ପ୍ରତି କଡ଼ା ଟିପ୍ପଣୀ ବି ରଖୁଥିଲେ । ଅନ୍ୟମାନଙ୍କ ଭଳି ସେ ଦଳ ବିରୋଧୀ କାମ କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇନାହିଁ । ଅନ୍ୟ ନେତାଙ୍କ ଭଳି ସେ ମେଳି ବା ଭୋଜିରେ ବି ସାମିଲ୍ ହୋଇନଥିଲେ । ସ୍ୱାଭାବିକ ଭାବେ ଅରବିନ୍ଦ କାହିଁକି ନିଲମ୍ବିତ ହେଲେ ସେନେଇ ଚର୍ଚ୍ଚା ହେବା ସ୍ୱାଭାବିକ ।
ସୂଚନାଯୋଗ୍ୟଯେ, ବଦ୍ରି ନାରାୟଣ ପାତ୍ର ଓ ଦେବାଶିଷ ସାମନ୍ତରାୟଙ୍କ ଭଳି ନେତାମାନେ ପୂର୍ବରୁ ଏମିତି ଟୀକା ଟୀପ୍ପଣୀ ଦେଇଛନ୍ତି ଯାହାକୁ ନେଇ ଦଳରେ କମ୍ପନ ସୃଷ୍ଟିହୋଇଛି । ସିଧାସଳଖ ଭାବେ କୋଟରୀ ଗ୍ରୁପ୍ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍ ବି କରିଛନ୍ତି । ଏମିତିକି ଦଳ ପାଇଁ ନୁହେଁ ତାଙ୍କ ଭୋଟ୍ ପାଇଁ ଘସିପୁରାରେ ଜିତିଥିଲେ ବୋଲି ବଦ୍ରି ପରୋକ୍ଷରେ କହିଛନ୍ତି । ଦେବାଶିଷ ବହୁବାର ଦଳୀୟ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି । ଫାର୍ମହାଉସରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ମେଳି ବି କରିଛନ୍ତି । ଛାତ୍ର ଟିମ୍ ଓ ଯୁବ ଟିମକୁ ନେଇ ବି ବର୍ଷିଛନ୍ତି । ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନଙ୍କ ହାତ କାହିଁକି ଥରୁଛି ବୋଲି ବିଜେଡ଼ିର କିଛି ନେତା ନାମ ଗୋପନ ସର୍ତ୍ତରେ ପ୍ରଶ୍ନ କରିଛନ୍ତି ।
ଦଳ ବିରୋଧୀ କାମ କରିନି : ଅରବିନ୍ଦ
ଏନେଇ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତିଯେ, ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି । ଦଳ ପକ୍ଷରୁ ତାଙ୍କୁ କାରଣଦର୍ଶାଅ ନୋଟିସ୍ ବି ଜାରି କରାଯାଇନାହିଁ । ସେ ସୋସିଆଲ ମିଡ଼ିଆରୁ ଏକଥା ଜାଣିବାକୁ ପାଇଲେ । ତାଙ୍କୁ ବି ବିଜେଡ଼ି ସଭାପତିଙ୍କ ନିଷ୍ପତ୍ତି ଚକିତ କରିଛି ବୋଲି ଅରବିନ୍ଦ କହିଛନ୍ତି ।
ସତ କହିଲେ ବୋଲି ସତୀ ବିଗିଡ଼ିଲେ କି ?
‘ନବୀନ ମୋ ନେତା, ପାଣ୍ଡିଆନ ନୁହଁନ୍ତି’
ଗୋଟିଏ ସୂତ୍ର ଅନୁଯାୟୀ, ମଞ୍ଚରେ ହେଉ ବା ଗଣମାଧ୍ୟମରେ, ଅରବିନ୍ଦ କହି ଆସିଛନ୍ତି, ନବୀନ ମୋ ନେତା, ପାଣ୍ଡିଆନ୍ ନୁହଁନ୍ତି । ଯାହାକି ପାଣ୍ଡିଆନଙ୍କୁ ଖୁବ୍ ବାଧିଥିଲା । ଦୁଇ ମାସ ତଳେ ଅରବିନ୍ଦଙ୍କ ଏଭଳି ମନ୍ତବ୍ୟକୁ ପାଣ୍ଡିଆନ୍ ଖୁବ୍ ଗୁରୁତର ସହ ଗ୍ରହଣ କରିଥିଲେ । ସେବେଠାରୁ ପାଣ୍ଡିଆନ୍ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଥିଲେ । ସନାଙ୍କୁ ଦଳରୁ ନିଲମ୍ବିତ କରିବା ପଛରେ ଅନେକ କାରଣ ରହିଥିଲା । ତେଣୁ ନବୀନ ବାବୁ ତାଙ୍କୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ମଉକାରେ ପାଣ୍ଡିଆନଙ୍କ ପ୍ରରୋଚନାରେ ନବୀନ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ଅରବିନ୍ଦଙ୍କ ନିଲମ୍ବନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏପରିକି ଦଳୀୟ ବିଧାୟକ ଓ ନେତାମାନେ ବି ଚକିତ ହୋଇଯାଇଛନ୍ତି । ଅରବିନ୍ଦ ଦଳବିରୋଧୀ କାର୍ଯ୍ୟ କରୁଥିବା ବା ମନ୍ତବ୍ୟ ଦେଉଥିବା ନେଇ କେବେ ଖବର ବି ପ୍ରକାଶ ପାଇନାହିଁ । ବରଂ ବାପା ବିଜୟ ମହାପାତ୍ରଙ୍କ ଭଳି ସେ ମାପଚୁପ ଭାବେ କଥା କୁହନ୍ତି । ବିଜୟ ବି ବହୁବାର ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଥିଲେବି ବିଜେଡ଼ିକୁ ନେଇ ମନ୍ତବ୍ୟ ଦେଇନାହାନ୍ତି । ତଥାପିବି ତାଙ୍କୁ ନିଲମ୍ବନ କରାଯିବା ଘଟଣାକୁ ଦଳର ଅନେକ ନେତା ଭଲରେ ଗ୍ରହଣ କରିପାରିନାହାନ୍ତି । କିଛି ନେତା ଗୁନ୍ଦୁରାଇବାକୁ ଯାଇ ନବୀନଙ୍କ ପାଖରେ କିଛି ଗୁଇନ୍ଦା ତଥ୍ୟ ଥାଇପାରେ ବୋଲି କହିଛନ୍ତି । ହେଲେ ତାହା କ’ଣ ସେ ଉତ୍ତର କିନ୍ତୁ କାହା ପାଖରେ ନାହିଁ ।
Samir Kumar Rout