ତୃତୀୟ ପର୍ଯ୍ୟାୟ ବିଜେଡ଼ିକୁ ଅଟକାଇପାରିବ କି ବିଜେପି ?

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଦଫାରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ୨୦୧୯ରେ ବିଜେଡ଼ି ଏହିସବୁ ନିର୍ବାଚନମଣ୍ଡଳୀରେ ଭଲ ପ୍ରଦର୍ଶନ କରିଥିଲା । ଅନେକ ସ୍ଥାନରେ ବିଜେପି ବି କଡ଼ା ଟକ୍କର ଦେଇଥିଲା । ଏଥର ଯଦି ବିଜେଡ଼ି ନିଜର ଷ୍ଟ୍ରାଇକ ରେଟ ରକ୍ଷା କରିବାରେ ସଫଳ ହୁଏ ତେବେ ସରକାର ଗଢ଼ିବା ନିଶ୍ଚିତ । ଅପରପକ୍ଷରେ ବିଜେପି ଯଦି ଭଲ ପ୍ରଦର୍ଶନ କରେ ତାହା ବିଜେଡ଼ି ପାଇଁ ନିଶ୍ଚିତ ଭାବେ ଆହ୍ୱାନ ସୃଷ୍ଟିକରିବ ।
ଏହି ଦଫାରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନରେ ଭୋଟ ହେବ । ଗତ ନିର୍ବାଚନରେ ସମ୍ବଲପୁର ଓ ଭୁବନେଶ୍ୱର ବିଜେପି ଖାତାକୁ ଯାଇଥିବାବେଳେ ବାକି ସବୁ ଆସନରେ ବିଜେଡ଼ି ବାଜି ମାରିଥିଲା । ସେହିପରି ପୁରୀରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଚଳିତ ନିର୍ବାଚନରେ ଏହି ୬ ଲୋକସଭାରେ ଜୋରଦାର ଲଢେ଼ଇ ହେଉଛି ।
୨୦୧୯ ବିଧାନସଭା ନିର୍ବାଚନରେ ଏହି ଦଫାର ବିଜେଡ଼ି ଷ୍ଟ୍ରାଇକ୍ ରେଟ୍ ଥିଲା ୮୧% । ୪୨ ଆସନ ମଧ୍ୟରୁ ବିଜେଡ଼ି ୩୪ଟି ଆସନ ପାଇଥିବାବେଳେ ବିଜେପି ୬ ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲା । କୁଚିଣ୍ଡା, ରେଢାଖୋଲ, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଳଲହଡ଼ା, ତାଳଚେର, ଅନୁଗୁଳରେ ବିଜେଡ଼ି ବାଜିମାତ କରିଥିଲା । ସେହିପରି ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ଚୌଦ୍ୱାର କଟକ, କଟକ ସଦର, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା ଓ ନୟାଗଡ଼ ମଧ୍ୟ ବିଜେଡ଼ି ଖାତାକୁ ଯାଇଥିଲା । ଅପରପକ୍ଷରେ ରେଙ୍ଗାଲୀ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ପୁରୀ ଓ ବ୍ରହ୍ମଗିରିରେ ବିଜେପି ଜିତିଥିବାବେଳେ ବାରବାଟୀ କଟକ ଓ ଜଟଣୀରେ କଂଗ୍ରେସ ବିଜୟୀ ହୋଇଥିଲା ।
ଏବେ ଅନେକ ସ୍ଥାନରେ ରାଜନୀତିକ ଅଙ୍କ ବଦଳିଯାଇଛି । କେଉଁଠି ବିଜେଡ଼ିର ସ୍ଥିତି ମଜବୁତ ରହିଛି ତ ଆଉ କେଉଁଠି ବିଜେପିର ସ୍ଥିତି ବି ବଢ଼ିବାରେ ଲାଗିଛି । ଗତ ନିର୍ବାଚନରେ ଯେଉଁଠି ବିଜେଡ଼ି ଏକପାଖିଆ ବିଜୟ ହାସଲ କରିଥିଲା ଏବେ ସେଠାରେ କଡ଼ା ଟକ୍କର ହେଉଛି । ପ୍ରଥମ ଦୁଇ ଦଫା ଅପେକ୍ଷା ତୃତୀୟ ଓ ଚତୁର୍ଥ ଦଫା ଅଧିକ ଗୁରୁତ୍ୱପୂର୍ଣ୍ଣ । କାହିଁକିନା ବିଜେଡ଼ି ଏହି ଦୁଇଦଫାରେ ଭଲ ଆସନ ପାଇପାରିଥିଲା ।