ବଢ଼ିଲା ପ୍ରଭାତୀ ଓ ବାଇଧରଙ୍କ ବିଜୟ ଆଶା 

ବଢ଼ିଲା ପ୍ରଭାତୀ ଓ ବାଇଧରଙ୍କ ବିଜୟ ଆଶା 


ଭୁବନେଶ୍ୱର : ରାଜ୍ୟ ବିଜେପିର ଟାଣୁଆ ନେତ୍ରୀ ହେଉଛନ୍ତି ପ୍ରଭାତୀ ପରିଡ଼ା  । କିନ୍ତୁ ନିମାପଡ଼ାରେ ସେ ବାରବାର ପରାଜୟର ସାମ୍ନା କରି ଆସୁଛନ୍ତି  । ସେପଟେ ଦକ୍ଷ ସଂଗଠକ ଭାବେ ବାଇଧର ମଲ୍ଲିକଙ୍କର ମଧ୍ୟ ପରିଚିତି ରହିଛି  । ହେଲେ ବିଜେଡ଼ି ଓ ବିଜେପି ମେଣ୍ଟ ଭାଙ୍ଗିବା ପରେ ସେ ଆଉ ବିଜୟର ସ୍ୱାଦ ଚାଖି ପାରିନାହାନ୍ତି  । ଏଥର କିନ୍ତୁ ଉଭୟଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ହୋଇଛନ୍ତି  । ନିର୍ବାଚନ ପୂର୍ବରୁ ସେମାନଙ୍କ ସ୍ଥିତି ଦୋହଲୁଥିବାବେଳେ ଏବେ ବେଶ୍‌ ବଳୁଆ ହୋଇ ଯାଇଛନ୍ତି  ।
ନିମାପଡ଼ାରୁ ହାଟ୍ରିକ ବିଧାୟକ ହୋଇଛନ୍ତି ସମୀର ରଞ୍ଜନ ଦାସ  । ପ୍ରତିଥର ସେ ଭଲ ଭୋଟରେ ବି ବାଜିମାତ୍‌ କରନ୍ତି  । ନବୀନଙ୍କ ଗୁଡ଼ବୁକରେ ଥିବାରୁ ମନ୍ତ୍ରୀ ହେବାର ବି ସୁଯୋଗ ପାଇଥିଲେ  । କିନ୍ତୁ ଏଥର ଦଳ ତାଙ୍କୁ ଟିକେଟ ଦେଲାନାହିଁ  । ପ୍ରଥମେ ସମୀର ଶକ୍ତି ପ୍ରଦର୍ଶନ କରିବା ସହ ଦଳ ଉପରେ ଚାପ ପକାଇଲେ  । ଆଡ଼ରୁଷା ଦେଇ ଚୁପ୍‌ ବସିଲେ  । ଦଳ ତାଙ୍କୁ ଲଲିପପ ଧରାଇ ବୁଝାଇଥିଲେବି ସମୀର କିନ୍ତୁ ବୁଝିନାହାନ୍ତି  । ଶେଷରେ ସେ ବିଜେପିକୁ ଘରବାହୁଡ଼ା କରିବାକୁ ବାଧ୍ୟ ହୋଇଛନ୍ତି  । ଏବେବି ନିମାପଡ଼ାରେ ସମୀରଙ୍କର ୨୦ରୁ ୩୦ ହଜାର ପକେଟ ଭୋଟ ରହିଛି  । ଏହି ଭୋଟ ବିଜେପି ଆଡ଼କୁ ଅର୍ଥାତ ପ୍ରଭାତୀ ପାଇବାର ଥିବାରୁ ତାଙ୍କର ବିଜୟ ଆଶା ବଢ଼ିଯାଇଛି  । ଅନେକ ବାର ସମୀରଙ୍କ ଠାରୁ ହାରିଥିବା ପ୍ରଭାତୀ ଏବେ ସମୀରଙ୍କ ଭରସାରେ  ନିର୍ବାଚନୀ ବୈତରଣୀ ପାର ହେବାକୁ ଅନେଇ ବସିଛନ୍ତି  ।
ଖାଲି ନିମାପଡ଼ା ନୁହେଁ, କାକଟପୁର ଅଙ୍କ ବି ବଦଳିଯାଇଛି  । ଏକଦା କାକଟପୁର ଥିଲା ସୁରେନ୍ଦ୍ର ନାଥ ନାୟକଙ୍କ ଗଡ଼  । ହେଲେ ୨୦୦୯ରେ ଆସନଟି ସଂରକ୍ଷଣ ହୋଇଯିବାରୁ ସୁରଙ୍କ ରାଜନୀତିକ କ୍ୟାରିୟର ଶେଷ ହୋଇଯାଇଥିଲା  । ସୁର ଓ ତାଙ୍କ ପୁଅ ସ୍ୱାଧୀନ ନାୟକ ନିର୍ବାଚନ ଲଢିପାରୁନଥିଲେବି କାକଟପୁରର ବିଧାୟକ କିଏ ହେତେ ତାହା ନିର୍ଦ୍ଧାରଣ କରୁଥିଲେ  । ଏକଦା ସୁରଙ୍କ ସମର୍ଥନରେ ସୁରେନ୍ଦ୍ର ସେଠୀ କାକଟପୁର ବିଧାୟକ ହୋଇଥିବାବେଳେ ଏବେ ତାଙ୍କର ବ୍ୟକ୍ତିଗତ ସାଂଗଠନିକ ଶକ୍ତି ଢେ଼ର ବଢ଼ିଯାଇଛି  । ଏଥର ନିଶ୍ଚିତ ଟିକେଟ ପାଇବାକୁ ସେ ଆଶା ରଖିଥିଲେବି ବିଜେଡ଼ି ତାଙ୍କୁ ନିରାଶ କରିଥିଲା  । କିଛିଦିନ ନୀରବ ରହିବା ପରେ ସେ ପଦ୍ମପୋଖରୀକୁ ଡିଅାଁ ମାରିଛନ୍ତି  । ଯାହାକି ବିଜେପି ପ୍ରାର୍ଥୀ ବାଇଧରଙ୍କ ପାଇଁ ବୁଷ୍ଟର ଡୋଜ ହୋଇଛି  । ଖାଲି ବାଇଧର କି ପ୍ରଭାତୀ ନୁହଁନ୍ତି ଦୁଇ ଟାଣୁଆ ନେତା ବିଜେପିକୁ ଆସିଥିବାରୁ ଜଗତସିଂହପୁରର ସାଂସଦ ପ୍ରାର୍ଥୀ  ବିଭୂ ପ୍ରସାଦ ତରାଇଙ୍କ ଶକ୍ତି ବି ବଢ଼ିଯାଇଛି  ।