ବାହୁବଳୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ‘ବାଲଟି’

ଖୋର୍ଦ୍ଧା ରାଜନୀତି ଏବେ ରୋଚକ ମୋଡ଼ ନେଇଛି । ଦୁଇ ହେଭିୱେଟ ନେତା ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଖୋର୍ଦ୍ଧାରୁ ଦୁଇଥର ଓ ବେଗୁନିଆରୁ ଥରେ ବିଧାୟକ ହେବାର ସୁଯୋଗ ପାଇଛନ୍ତି । ସେପଟେ ବେଗୁନିଆ ଓ ଚିଲିକାରୁ ଦୁଇଥର ବିଧାୟକ ହେବାର ସୌଭାଗ୍ୟ ପାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ରାଜେନ୍ଦ୍ର ଓ ଗଣେଶ ଗୋଟିଏ ଦଳରେ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସବୁବେଳେ ତିକ୍ତତା ରହି ଆସିଥିଲା । ଏବେ ଉଭୟ ନେତା ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ଖୋର୍ଦ୍ଧାରେ ହାଇଭୋଲଟେଜ ଲଢେ଼ଇ ଦେଖିବାକୁ ମିଳିଛି ।
ପ୍ରଶାନ୍ତ ଓ ରାଜେନ୍ଦ୍ରଙ୍କ ଘର ହେଉଛି ଖୋର୍ଦ୍ଧାରେ । ରାଜେନ୍ଦ୍ର ଖୋର୍ଦ୍ଧା ସହରରେ ରହୁଥିବାବେଳେ ଗଣେଶଙ୍କ ଘର ହେଉଛି ଟାଙ୍ଗୀ ବ୍ଳକ । ଟାଙ୍ଗୀ ବ୍ଳକରୁ ଏଯାଏଁ କେହି ଖୋର୍ଦ୍ଧାର ବିଧାୟକ ହୋଇନାହାନ୍ତି । ତେଣୁ ଗଣେଶ ଟାଙ୍ଗୀ ବ୍ଳକର ଭୋଟରଙ୍କ ଉପରେ ଅଧିକ ଆସ୍ଥା ରଖିଛନ୍ତି । ବାସ୍ତବରେ ଟାଙ୍ଗୀ ବ୍ଳକ ହିଁ ହାରଜିତର ଫଇସଲା କରିଥାଏ । ସେହିପରି ଖୋର୍ଦ୍ଧା ସହରରେ ରାଜେନ୍ଦ୍ରଙ୍କର ଭୋଟ ଥିବାବେଳେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କର ବି ଭଲ ଭୋଟ ବ୍ୟାଙ୍କ ରହିଛି । ପୂର୍ବରୁ ଜିତୁ ଓ ଗଣେଶଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା । ଜିତୁ କିନ୍ତୁ ଗଣେଶଙ୍କୁ ଖୋଲାଖୋଲି ସମର୍ଥନ କରୁନଥିବାରୁ ତାଙ୍କ ଭୋଟ କୁଆଡେ଼ ଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ । ତେବେ ଜିତୁଙ୍କ କେତେକ ଆଗଧାଡ଼ିର କର୍ମୀ ଗଣେଶଙ୍କ ସହ ଅଛନ୍ତି । ଅପରପକ୍ଷରେ ବିଜେଡ଼ିର କିଛି ଅସନ୍ତୁଷ୍ଟ ନେତା ବି ଗଣେଶଙ୍କୁ ଭିତିରିଆ ସମର୍ଥନ କରୁଛନ୍ତି । ଏଭଳି କ୍ଷେତ୍ରରେ ଗଣେଶଙ୍କ ପାଇଁ କିଳା ଖଞ୍ଜିଛନ୍ତି କାଳୁ ଖଣ୍ଡାୟତରାୟ । ସେ ବିଜେପି ଟିକେଟ ନପାଇବାରୁ ଏବେ ‘ବାଲଟି’ ଚିହ୍ନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି । ଯାହାଫଳରେ ବିଜେପି ଭୋଟର କିଛି ଅଂଶ ବାଲଟିକୁ ଯିବା ନିଶ୍ଚିତ । କାଳୁ ଯେତେ ଅଧିକ ଭୋଟ ପାଇବେ ଗଣେଶ ସେତେ କ୍ଷତିଗ୍ରସ୍ତ ହେବେ । ତେଣୁ ବାଲଟି ଉପରେ ହିଁ ଗଣେଶଙ୍କ ଭାଗ୍ୟ ନିର୍ଭର କରେ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ରାଜେନ୍ଦ୍ର ସବୁବେଳେ କମ୍ ଭୋଟରେ ହେଉ ପଛେ ଜିତି ଆସୁଛନ୍ତି । ଏବେ କିନ୍ତୁ ତାଙ୍କୁ ହରାଇବା ପାଇଁ ଦଳ ଭିତରେ ହିଁ ଗୋଟିଚାଳନା କରାଯାଉଛି । କିନ୍ତୁ କାଳୁ ଏବେ ଗଣେଶଙ୍କ ଭୋଟରେ ଭାଗ ବସାଉଥିବାରୁ ତାହା ତାଙ୍କ ପାଇଁ ସୁଯୋଗ ସୃଷ୍ଟିକରିଛି । ତେବେ ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଭଲ ଭୋଟ ରହିଛି । ଏଭଳି ସ୍ଥିତିରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି ।