ଜମିବ ଶେଷ ଲଢ଼େଇ

ଭୁବନେଶ୍ୱର: ତିନି ଦଫା ନିର୍ବାଚନ ଶେଷ ହୋଇଯାଇଛି । ଏବେ ଚତୁର୍ଥ ପର୍ଯ୍ୟାୟ ବା ଶେଷ ଲଢ଼େଇ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତିନି ପ୍ରମୁଖ ଦଳ । ବହୁ ହେଭିୱେଟ ନେତାଙ୍କର ନିର୍ବାଚନ ଶେଷ ହୋଇଯାଇଥିବାରୁ ସେମାନଙ୍କୁ ଶେଷ ଦଫାରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦିଆଯାଇଛି ।
ଚତୁର୍ଥ ପର୍ଯ୍ୟାୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ ୬ ଲୋକସଭା ମଧ୍ୟରୁ ବିଜେଡ଼ି ୪ଟି ଆସନରେ ବାଜିମାତ୍ କରିଥିଲା । ବାଲେଶ୍ୱର ଓ ମୟୂରଭଞ୍ଜ ଆସନ ବିଜେପି ଖାତାକୁ ଯାଇଥିଲା । ସେହିପରି ୪୨ ବିଧାନସଭା ଆସନ ମଧ୍ୟରୁ ବିଜେଡ଼ିକୁ ୩୩ ଓ ବିଜେପିକୁ ୯ ଆସନ ମିଳିଥିଲା । ଜଗତସିଂହପୁରର ୭ଟି ଯାକ ବିଧାନସଭା ଆସନ ବିଜେଡ଼ି ଖାତାକୁ ଯାଇଥିବାବେଳେ ଯାଜପୁରରେ ବି ସମସ୍ତ ୭ ଆସନ ବିଜେଡ଼ି ପୋଛି ନେଇଥିଲା । କେନ୍ଦ୍ରାପଡ଼ାରେ ବି ଅନୁରୂପ ସ୍ଥତିି ସୃଷ୍ଟି ହୋଇଥିଲା । ଏଠାରେ ବି ସବୁ ବିଧାନସଭା ଆସନରେ ଶଙ୍ଖ ବାଜିଥିଲା । ଭଦ୍ରକରେ କିନ୍ତୁ ୬ଟି ବିଜେଡ଼ି ଓ ଗୋଟିଏ ବିଜେପି ଜିତିଥିବାବେଳେ ବାଲେଶ୍ୱରରେ ବିଜେଡ଼ି ୫ ଓ ବିଜେପି ୨ ଆସନରେ ଜିଣିଥିଲା । ମୟୂରଭଞ୍ଜରେ ବିଜେଡ଼ିକୁ ଜୋରଦାର ଝଟକା ଲାଗିଥିଲା । ଗୋଟିଏ ପଟେ ଦଳ ଲୋକସଭା ଜିଣିବା ସହ ୫ ବିଧାନସଭା ଆସନରେ ବିଜେପି ବିଜୟ ହାସଲ କରିଥିଲା ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହିଁ ନିର୍ଣ୍ଣାୟକ ଲଢ଼େଇ ହେବ । ସରକାର ଗଢ଼ିବା ପାଇଁ ଏହି ଚତୁର୍ଥ ପର୍ଯ୍ୟାୟ ଫଳାଫଳ ମଧ୍ୟ ବେଶ୍ ଗୁରୁତ୍ୱବହନ କରିବ । ବିଜୁ ଜନତା ଦଳ ନିଜର ଆସନ ସଂଖ୍ୟା ଆହୁରି ବଢ଼ାଇବା ପାଇଁ ନେତାମାନଙ୍କୁ ଟାସ୍କ ଦେଇସାରିଛି । ଦଳର ହେଭିୱେଟ ନେତାମାନେ ଏବେ ଅନ୍ୟ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହିଛନ୍ତି । ଅନୁରୂପ ଭାବେ ଯେଉଁ ବିଜେପି ନେତାଙ୍କର ନିର୍ବାଚନ ସରିଗଲାଣି ସେମାନେ ମଧ୍ୟ ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ଯିବେ । କଂଗ୍ରେସ ବି ପଛରେ ପଡ଼ିନାହିଁ । ଯାହାଫଳରେ ଚତୁର୍ଥ ପର୍ଯ୍ୟାୟରେ ପ୍ରଚାରର କୋଳାହଳ ଦେଖିବାକୁ ମିଳିବ ।