ଲଢ଼ିବାକୁ ବବିଙ୍କର ସାହସ ଅଛି ତ ?

prabnab prakash das

ଲଢ଼ିବାକୁ ବବିଙ୍କର ସାହସ ଅଛି ତ ?

ସୁଜାତା କହିଲେ, ସେ ଇସ୍ତଫା ଦେବେନି କି ଉପନିର୍ବାଚନ ହେବନି
ଭୁବନେଶ୍ୱର : ଯାଜପୁରରେ ହେବ ଉପନିର୍ବାଚନ  । ବିଧାୟିକା ସୁଜାତା ସାହୁ ଇସ୍ତଫା ଦେବେ, ବବି ଦାସ ଲଢ଼ିବେ  । ଏମିତି କେତେ କଥା, ଯିଏ ଯାହା ବାଟରେ ଅନୁଶୀଳନ କରି ଚାଲିଛନ୍ତି  । ହେଲେ ସତରେ ଉପନିର୍ବାଚନ ପାଇଁ ବବିଙ୍କର ଦମ୍‌ ଅଛି ତ ? ଏକଥା ଉଠିବାର କାରଣ ହେଉଛି, ଆଉ ସେକାଳ ପଖାଳ ନାହିଁ  । ୨୦୧୯ର ବବି ଓ ୨୦୨୪ର ବବିଙ୍କ ଭିତରେ ଆକାଶ ପାତାଳ ଫରକ ହୋଇଯାଇଛି  । ପତିଆରା, ସଂଗଠନ, ଭୋଟ୍‌ ସବୁଥିରେ ବବି ଏବେ ବ୍ୟାକଫୁଟକୁ ଠେଲି ହୋଇଯାଇଛନ୍ତି  । ତେଣୁ ବିଜେଡ଼ି ବିଧାୟିକା ସୁଜାତା ସାହୁ ଇସ୍ତଫା ଦିଅନ୍ତୁ କି ନଦିଅନ୍ତୁ, ସେନେଇ ଯେମିତି ଚର୍ଚ୍ଚା ହେଉଛି ବବିଙ୍କର ଉପନିର୍ବାଚନ ଲଢ଼ିବାକୁ ସାହାସ ଅଛି କି ବୋଲି ବିଜେପି ନେତାମାନେ ସେମିତି ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି  ।

ରାଜ୍ୟ ବିଜେପିର ଜଣେ ଆଗଧାଡ଼ିର ନେତା ଅନୌପଚାରିକ ଆଲୋଚନା କାଳରେ ଏଭଳି ପ୍ରଶ୍ନ ଉଠାଇବା ସହ ଯୁକ୍ତି ମଧ୍ୟ ଉପସ୍ଥାପନ କରିଛନ୍ତି  । ୨୦୦୯, ୨୦୧୪ ଓ ୨୦୧୯  । ଯାଜପୁର ଥିଲା ପ୍ରଣବ ପ୍ରକାଶ ଦାସଙ୍କ ଗଡ଼  । ବବିଙ୍କ ପରାକ୍ରମରେ ବିରୋଧୀ ନିଷ୍କ୍ରିୟ ଓ ନିଷ୍ପ୍ରଭ ହୋଇଯାଇଥିଲେ  । କିନ୍ତୁ ଏବେ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପୂର୍ବଭଳି ବବିଙ୍କର ପ୍ରଭାବ ନାହିଁ  । ୨୦୨୪ରେ ବବିଙ୍କର ଗୋଟିଏ ଭୁଲ ନିଷ୍ପତ୍ତି ତାଙ୍କୁ ରାଜ୍ୟ ରାଜନୀତିରେ ନିଷ୍ପ୍ରଭ କରିଦେଇଛି  । 

୨୦୨୪ରେ ବବି ଯାଜପୁରରୁ ଲଢ଼ିଥିଲେ ନିଶ୍ଚିତ ବାଜିମାତ୍‌ କରିଥା’ନ୍ତେ  । ସୁଜାତା ସାହୁ ଯେତେବେଳେ ଜିତି ପାରିଲେ ବବି ନିଶ୍ଚିତ ଆଉ କିଛି ଭୋଟରେ ଜିତି ପାରିଥା’ନ୍ତେ  । କିନ୍ତୁ ରାଜନୀତିରେ ଭାଗ୍ୟ କର୍ମଠାରୁ ବି ବଡ଼  । ତାନହୋଇଥିଲେ ଯାଜପୁରରୁ ଯାଇ ବବି ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବାକୁ ଚାହିଁନଥା’ନ୍ତେ  । ଯେତେବେଳେକି ୨୦୧୯ରେ ସମ୍ବଲପୁରରେ ବିଜେପି ହିଁ ଜିତିଥିଲା  । ସେହି ଲୋକସଭା କ୍ଷେତ୍ରରେ ଅଧିକାଂଶ ସ୍ଥାନରେ ବିଜେପିର ଭଲ ଭୋଟ୍‌ ବ୍ୟାଙ୍କ ବି ରହିଛି  । ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ଦେବଗଡ଼ର ସାଂସଦ ଥିଲେ  । ସମ୍ବଲପୁରରେ ଦୀର୍ଘଦିନ ଧରି ସେ ଏବିଭିପି ଓ ଯୁବମୋର୍ଚ୍ଚାର ସଂଗଠନ ବି କରୁଥିଲେ  । ଧର୍ମେନ୍ଦ୍ରଙ୍କ ସପକ୍ଷରେ ଏତେ କଥା ଥିଲେବି ବବି ପତଙ୍ଗ ନିଅାଁରେ ଝାସ ଦେବାଭଳି ଡେଇଁପଡ଼ିଲେ  । ଧର୍ମେନ୍ଦ୍ରଙ୍କୁୁ ହରାଇ ବିଜେଡ଼ିରେ ହିରୋ ହେବା ପାଇଁ ସେ ଯେଉଁ ଷ୍ଟଣ୍ଟ ଦେଇଥିଲେ ସେଥିରେ କ୍ଷତବିକ୍ଷତ ହେବା ହିଁ ସାର ହୋଇଛି  ।

ଦ୍ୱିତୀୟ କଥାଟି ହେଉଛି, ୨୦୧୯ରେ ସେ ମନ୍ତ୍ରୀ ହେବାକୁ ଚାହିଁଲେନି  । ନବୀନ ଯଦି ଦଳର ସଭାପତି ହେବା ସହ ମୁଖ୍ୟମନ୍ତ୍ରୀ ହୋଇପାରିଲେ ସାଂଗଠିନକ ସମ୍ପାଦକ ମନ୍ତ୍ରୀ ହେବାରେ ଅସୁବିଧା କ’ଣ ଥିଲା ? କିଛି ଅସୁବିଧା ନଥିଲା, କି ନବୀନ ବି ମନା କରିନଥା’ନ୍ତେ, କିନ୍ତୁ ଅତି ବାହାଦୂରୀ ନେବାକୁ ଯାଇ ମୋର କ୍ଷମତା ନିଶା ନାହିଁ ବୋଲି ସେ ଦେଖାଇବାକୁ ଚାହିଁଲେ  ।

ତୃତୀୟ କଥାଟି ହେଉଛି, ବବି ଏବେ ଛାତି ବାଡେ଼ଇ ଅଶୋକ ଦାସଙ୍କ ପୁଅ ବୋଲି କହୁଛନ୍ତି  । ବାପା ୨୯ ମାସ ଜେଲ୍‌ ଯାଇଥିଲେ ସେ ୪ ବର୍ଷ ଜେଲ୍‌ ଯିବାକୁ ପ୍ରସ୍ତୁତ ବୋଲି କହୁଛନ୍ତି  । ହେଲେ ଅଶୋକ ଦାସ ସବୁବେଳେ ବାଘ ଭଳି ଥିଲେ  । ସେ ସାଲିସ୍‌ ମାଲିସ୍‌ କରୁନଥିଲେ  । ଭିକେ ପାଣ୍ଡିଆନଙ୍କ ପାଇଁ ଟେଣ୍ଟ ବାନ୍ଧିବା, ଟ୍ରାଫିକ୍‌ ପୁଲିସ୍‌ ସାଜିବା, କ୍ରୀତଦାସ ହେବାକୁ ପ୍ରସ୍ତୁତ ବୋଲି କହିବା କ’ଣ ଅଶୋକ ଦାସଙ୍କ ଗରିମାକୁ ବଢେ଼ଇ ଦେଇଥିଲା କି ? ସେ ଯେଉଁ ଉଦ୍ଦେଶ୍ୟରେ କ୍ରୀତଦାସ ହେବାକୁ ପ୍ରସ୍ତୁତ ବୋଲି କୁହନ୍ତୁନା କାହିଁକି ବଦନାମ୍‌ ହୋଇଗଲେ  । ଏହାଦ୍ୱାରା ବବିଙ୍କ ବ୍ୟକ୍ତିତ୍ୱ ଓ ଭୋଟ ଉଭୟ ପ୍ରଭାବିତ ହୋଇଛି କହିଲେ ଭୁଲ୍‌ ହେବନାହିଁ  । ଦଳରେ କ୍ଷମତା ପାଇଁ ବବି ସବୁ ସ୍ତରକୁ ଯାଇପାରିବେ ବୋଲି ବାର୍ତ୍ତା ଦେଇ ଭୁଲ୍‌ କରିଥିଲେ  ।

ଚତୁର୍ଥ କଥାଟି ହେଉଛି, ଯାଜପୁରରେ ପ୍ରଣବ ପ୍ରକାଶ ଦାସ ନିଜର ଏକ କୋଟେରୀ କରିଥିଲେ  । ପ୍ରୀତିରଞ୍ଜନ ଘଡେ଼ଇଙ୍କ ସହ ତାଙ୍କର ଶୀତଳଯୁଦ୍ଧ ଚାଲିଥିଲା  । ସୁକିନ୍ଦାରେ ସେ ଡାନିଙ୍କୁ ହରାଇବା ପାଇଁ ଯେମିତି ଚାହିଁଲେ ଠିକ୍‌ ସେମିତି ଡାନି ମଧ୍ୟ କୋରେଇରେ ବବିଙ୍କ ମା’ଙ୍କୁ ହରାଇବାକୁ ଜାଲ ବିଛାଇଲେ  । ଫଳ ହେଲା, ଡାନି ଓ ବବି ମାଟି କାମୁଡ଼ିଲେ  । 

ପଞ୍ଚମ ସମୀକରଣଟି ହେଉଛି, ୨୦୨୪ରେ ଯାଜପୁରରେ ବିଜେଡ଼ି ମାତ୍ର ୩ ହଜାର ଭୋଟରେ ଜିତିଛି  । ୨୦୧୯ରେ ବ୍ୟବଧାନ ୪୦ ହଜାର ଥିବାବେଳେ ତାହା ୩ ହଜାରକୁ ଖସିଯିବା ଅର୍ଥ ହେଉଛି, ସୁଜାତା ଭାଗ୍ୟ ବଳରେ ହିଁ ନିର୍ବାଚନ ପାର୍‌ ହୋଇଗଲେ  । 
କ୍ଷମତାରେ ଥିବାବେଳେ ବବି କିଭଳି ଆଇନ କାନୁନକୁ ଦଳି ଦେଇ ବିକାଶର ଭେଳିକି ଦେଖାଉଥିଲେ, ତାହାର ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସିଛି  । ଆଜି ବବି ଯାଜପୁର ବିକାଶର ଡିଣ୍ଡିମ ପିଟୁଛନ୍ତି  । ହେଲେ ସେ ୨୦୧୯ରୁ କ୍ଷମତାଶାଳୀ ହେବା ପରେ ତାଙ୍କର ଅଧିକ ବିକାଶ ହୋଇଛି ନା ଯାଜପୁରର ? ତାହାକୁ ନେଇ ରାଜ୍ୟ ରାଜନୀତିରେ ସ୍ୱାଭାବିକ ଭାବେ ଚର୍ଚ୍ଚା ହେଉଛି  । 

ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ  । ଯାଜପୁରରେ ଏବେ ବି ବିଜେଡ଼ି ପାଇଁ ସ୍ଥିତି ସେଭଳି ଅନକୂଳ ନାହିଁ  । ବବିଙ୍କ ବିରୋଧରେ ବି ଜନମତ ରହିଛି  । ତାହା ନହୋଇଥିଲେ ଗୌତମ ରାୟ ଏତେ ଭୋଟ ଭିଡ଼ି ପାରିନଥା’ନ୍ତେ  । ଆଜି ଯଦି ଉପନିର୍ବାଚନ ହୁଏ, ତେବେ ସରକାରୀ କଳ ବିଜେପି ପାଇଁ ହିଁ କାମ କରିବ  । ଯାଜପୁରରେ ଥିବା ବବିଙ୍କ ଶତ୍ରୁମାନେ ବି ତାଙ୍କ ବିରୋଧରେ ଅଣ୍ଟା ଭିଡ଼ିବେ  । ବିଜେପି ବି ହାଇଭୋଲଟେଜ୍‌ ପ୍ରଚାର କରିବ  । ତେଣୁ ହଠାତ୍‌ ବବି ଉପନିର୍ବାଚନକୁ ଓହ୍ଲାଇବେ ମାନେ ନିଶ୍ଚିତ ପରାଜୟର ସାମ୍ନା କରିବେ ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରନ୍ତି  । 

ଏସବୁ ଭିତରେ ଶେଷ କଥାଟି ହେଉଛି, ଯଦି ବବିଙ୍କ ନିର୍ଦ୍ଦେଶରେ ସୁଜାତା ଗଣମାଧ୍ୟମକୁ ନିଜର ମନକଥା କହିଥିବେ ତାହା ବବିଙ୍କ ପାଇଁ ଶୁଭ ସୂଚନା  । ହେଲେ ସୁଜାତା ଯଦି ଆଉ କାହା ବୋଲରେ ଆସି ଏମିତି ସ୍ପଷ୍ଟୀକରଣ ଦେଇଥିବେ ତାହା ନିଶ୍ଚିତ ଭାବେ ବବିଙ୍କୁ ଶକ୍ତ ଧକ୍କା ବୋଲି କୁହାଯାଇପାରିବ  ।