ମଦ ଦର ବୃଦ୍ଧି ନିଷ୍ପତ୍ତି ଉପରେ ସରକାର ବିଚାର କରିବେ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ରାଜ୍ୟରେ ବଢିବ କି ମଦ ଦର? ମଦ ଦର ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଦର ବଢ଼ିବାକୁ ନେଇ ପ୍ରଶ୍ନ ଉଠିଛି। ମଦ ଦର ବୃଦ୍ଧି ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ  କହିଛନ୍ତି, ମଦ ଦର ବୃଦ୍ଧି ନେଇ ପ୍ରାଇସ ଫିକ୍ସେଶନ କମିଟି ରିପୋର୍ଟ ଆସିଛି। ଏହା ଉପରେ ସରକାର ନିଷ୍ପତ୍ତି ନେବେ ।
ସମସ୍ତ ଷ୍ଟେକ୍‌ ହୋଲଡରଙ୍କ ସହ ଆଲୋଚନା କରି ଫିକ୍ସେସନ କମିଟି ନିଷ୍ପତ୍ତି ନିଏ । ୩ଦିନ ତଳେ ଏହି କମିଟି ବସିଥିବା ବେଳେ ମଦ ଦର ବୃଦ୍ଧି ନେଇ ନିଷ୍ପତ୍ତି ଆସିଛି । ଏହା ଉପରେ ରାଜ୍ୟ ସରକାର ବିଚାର କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନ ।

ସେପ୍ଟେମ୍ବର ମାସରେ ବିୟର ବୋତଲ/କେନ୍‌ ପିଛା ୧୦ ଟଙ୍କା ବଢ଼ିଥିଲା ।  ଜାନୁଆରୀ ମାସରୁ ବିୟର ପିଛା ପୁଣି ୧୦ ଟଙ୍କା ବଢ଼ାଇବେ । ସବୁଠାରୁ ଗୁରୁତର କଥା ହେଉଛି ଡିପୋରେ ଗଚ୍ଛିତ ଥିବା ବିୟର ମାର୍କେଟକୁ ନ ଛାଡ଼ି ଦର ବଢ଼ିବା ଯାଏଁ ଚାପିଦେବା ଚକର୍‌ରେ ସରକାର ନିଜେ ସାମିଲ ବୋଲି ଅଭିଯୋଗ ହୋଇଛି । ଯାହା ଖବର ମିଳିଛି ମଦ ନିଗମ ପାଖରେ ୯ ଲକ୍ଷ ପେଟି ବିୟର ଗଚ୍ଛିତ ଅଛି । ଦର ବଢ଼ିଲେ ଏଥିରୁ ଅତି କମ୍‌ରେ ସରକାର ପାଖାପାଖି ୯୦ କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ । ରାଜ୍ୟରେ ଦିନକୁ ଦିନ ବିୟରର ଚାହିଦା ବଢ଼ିବାରେ ଲାଗିଛି । ସରକାର ୧୫ ପ୍ରକାର ବିୟର ବିକ୍ରି କରୁଛନ୍ତି । ସେଥିରୁ କିଙ୍ଗ୍‌ଫିସ୍‌ର, ବଡ୍‌ଭାଇଜର୍‌ ଓ ମହାରାଣୀ ଗ୍ରାହକଙ୍କ ପ୍ରଥମ ପସନ୍ଦ । ଏହି ୩ଟି ବ୍ରାଣ୍ଡ ୮୫% ବିକ୍ରି ହେଉଥିବା ବେଳେ ବାକି ବିୟର ୧୫% ବିକ୍ରି ହେଉଛି । ବିଦେଶୀ ମଦ ଅପେକ୍ଷ ବିୟର ବିକ୍ରି ଅଧିକ ହେଉଥିବାରୁ ବିୟର ବୋତଲ ଓ କେନ୍‌ ପିଛା ୧୦ ଟଙ୍କା ବଢ଼ାଇବାକୁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି । 
ଗତ ସେପ୍ଟେମ୍ବର ମାସରେ ବିୟର ସିନା ୧୦ ଟଙ୍କା ବଢ଼ାଇଲେ, ହେଲେ ବୋତଲ ଓ କେନ୍‌ରେ ପୁରୁଣା ଦାମ୍‌ ରହିଥିଲା । ଏବେବି କିଛି ଦୋକାନରେ ପୁରୁଣା ଦାମ୍‌ ଲେଖାଥିବା ବିୟର ମିଳୁଛି । ଦାମ୍‌ ଦେଖି ବିୟର କିଣୁଥିବା ଗ୍ରାହକଙ୍କୁ ଅଧିକ ୧୦ ଟଙ୍କା ମାଗୁଥିବା ଦୋକାନୀ ପାଇଁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଜାନୁଆରୀ ମାସରେ ପୁଣି ୧୦ ଟଙ୍କା ବଢ଼ାଇବେ ।