ଯୌତୁକ ନିଷେଧ ଓ ଘରୋଇ ହିଂସା ଆଇନ ମହିଳାଙ୍କୁ ସଶକ୍ତ କରୁଛି : ପ୍ରଭାତୀ

ଭୁବନେଶ୍ୱର : ଯୌତୁକ ନିଷେଧ ଆଇନ ୧୯୬୧ ଓ ଘରୋଇ ହିଂସା ଆଇନ ୨୦୦୫ ଦେଶର ମହିଳାମାନଙ୍କୁ ସୁରକ୍ଷା ଦେବା ସହ ସଶକ୍ତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତପ୍ରକାଶ କରିଛନ୍ତି । ଆଜି ଲୋକସେବା ଭବନ ସମ୍ମେଳନ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ ୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ ୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ବିପଦ ସମୟରେ ଯିଏ ପାଖରେ ରହି ଆହା କହେ, ସେ ରକ୍ତ ସମ୍ପର୍କ ଠାରୁ ବି ଅଧିକ ନିଜର । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ପ୍ରଚେଷ୍ଟାରେ ପ୍ରତି ଜିଲ୍ଲାରେ ୫ ଜଣ ନିଃସହାୟ ମହିଳାଙ୍କ ଜୀବନରେ ନୂତନ ଊର୍ଜା ଓ ଉସôାହ ଆଣନ୍ତୁ ବୋଲି ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । କୁଟୀର ଶିଳ୍ପ ଭଳି ବହୁ କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ଆଜି ପୁରୁଷମାନଙ୍କ ଠାରୁ ଅଧିକ । ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ମହିଳାକୈନ୍ଦ୍ରିକ ଅର୍ଥନୀତି ଓ ମହିଳା କୈନ୍ଦ୍ରିକ ବିକଶିତ ଓଡିଶାର ପ୍ରାଥମିକତା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଯୌତୁକ ନିଷେଧ ଆଇନ ୧୯୬୧ ଓ ଘରୋଇ ହିଂସା ଆଇନ ୨୦୦୫ ର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ସେ ସମ୍ପର୍କିତ ମହିଳା ଓ ଶିଶୁ ବିକାଶ ବିଭାଗର ଯୋଜନା ଓ କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିଦେ୍ର୍ଦଶିକା ମୋନିଷକ୍ଷ ବାନାର୍ଜୀ ଓ ଅତିରିକ୍ତ ଶାସନ ସଚିବ ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବିଭାଗୀୟ ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।