ପାଣିରେ ଭାସିଗଲେ ୪ : ୨ ମୃତ, ୧ ନିଖୋଜ
ବାରଙ୍ଗ/ସମ୍ବଲପୁର: ଗାଧୋଉଥିବାବେଳେ ନଦୀରେ ୪ ଜଣ ଭାସି ଯାଇଛନ୍ତି । କୁଆଖାଇରେ ଭାସି ଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ସେହିପରି ଦେଓଝରଣ ଝରଣାରେ ୨ ଡାକ୍ତରୀ ଛାତ୍ରଛାତ୍ରୀ ବୁଡ଼ିଯିବାରୁ ସେମାନଙ୍କର ମୃତୁ୍ୟ ହୋଇଛି ।
ଆମ ସମ୍ବଲପୁର ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ଅନୁଷ୍ଠାନ ଭୀମସାରରେ ଅଧ୍ୟୟନରତ ଏମବିବିଏସ ଶେଷ ବର୍ଷର ଦୁଇଜଣ ଛାତ୍ରଛାତ୍ରୀ ଆଜି ସମ୍ବଲପୁର ଜିଲ୍ଲାର ଜୁଜୁମୁରା ଥାନା ଅନ୍ତର୍ଗତ ଦେଓଝରଣ ଝରଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏମାନଙ୍କୁ ଝରଣାର ଗଭୀର ଜଳାଶୟରୁ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ନୁଆଦିଲ୍ଲୀ ନଜବଗଡ ନାଦଲୋଇ ଥାନାର ସୁନିଲ ପୁରୀଙ୍କ ପୁଅ ସନ୍ଦିପ ପୁରୀ(୨୪) ଏବଂ ରାଜସ୍ଥାନ ମାଉଣ୍ଟଆବୁର ଚତରାମ ମୀନାଙ୍କ ଝିଅ ମୋନିକା ମିନା(୨୪) । ସେଠାରେ ଉଭୟଙ୍କୁ ଡ଼ାକ୍ତରଖାନାରେ ମୃତ ଘୋଷିତ କରାଯାଇଥିଲା । ପରେ ବୁର୍ଲା ଭିମସାର ହସ୍ପିଟାଳକୁ ବ୍ୟବଛେଦ ପାଇଁ ପଠାଯାଇଛି । ଏମାନେ ଆଠଜଣ ସାଥି ହୋଇ କିଛିଟା ଖୁସି ସମୟ ବିତାଇବା ପାଇଁ ଦେଓଝରଣକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଛି । ତେବେ ଦେଓଝରଣରେ ପ୍ରଥମେ ମୋନିକାଙ୍କ ଗୋଡ଼ ଖସି ଯିବାରୁ ସେ ପାଣି ମଧ୍ୟକୁ ଚାଲି ଯାଇଥିଲେ । ମୋନିକାକୁ ଉଦ୍ଧାର କରିବାକୁ ଯାଇ ସନ୍ଦୀପ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ । ମୋନିକା ମିନାଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଖବର ପାଇ ବୁର୍ଲା ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ ଯୁଯୁମୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥିତିର ଅନୁଧ୍ୟାନ କରିଥିଲେ । ଏହି ଦୁଇ ଛାତ୍ରଛାତ୍ରୀ ଝରଣାର ଟିକିଏ ଉପରେ ରହିଥିବା ବେଳେ ଏହି ସମୟରେ ପାହାଡ଼ ଉପରୁ ହଠାତ ପ୍ରବଳ ବେଗରେ ପାଣିର ସ୍ରୋତ ତଳକୁ ନିର୍ଗତ ହୋଇଥିଲା । ଫଳରେ ଉଭୟ ପାଣିର ସ୍ରୋତ ସହିତ ଝରଣାର ଜଳାଶୟରେ ପଡ଼ିଯାଇ ଉପରକୁ ଉଠି ପାରିନଥିଲେ । ଆମ ବାରଙ୍ଗ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ସ୍ଥିତ କୁଆଖାଇ ନଦୀରେ ଅଘଟଣ ଘଟିଛି । ଗାଧୋଇବା ବେଳେ ଦୁଇ ଯୁବକ ନଦୀରେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ । ଭାସିଯାଇଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନଥିବା ସୂଚନା ମିଳିଛି । ଭୁବନେଶ୍ୱର ବରମୁଣ୍ଡା ନିକଟ କୁଆଖାଇ ନଦୀକୁ ୫ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଯୁବକ ଭାସିଯାଇଥିଲେ । ଏହାଦେଖି ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଜଣେ ନିଖୋଜ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।