ନୃତ୍ୟ ବର୍ଣ୍ଣାଳୀ ଉତ୍ସବ
ଭୁବନେଶ୍ୱର : ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଶ୍ରୀ ଦଶାବତାର ନାଟ୍ୟଶାଳା ଆନୁକୂଲ୍ୟରେ ‘ନୃତ୍ୟ ବର୍ଣ୍ଣାଳୀ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିଭାବେ ସୁନାମଧନ୍ୟା ଲେଖିକା ତନୟା ଦାସ ଗୋସ୍ୱାମୀ, ଓଡ଼ିଶୀ ନୃତ୍ୟ ପ୍ରବୀଣା ନମିତା ରାୟ ଏବଂ ଫିଲ୍ମ ଏବଂ ଟେଲି ଆର୍ଟିଷ୍ଟ ହିତେଷା ବାଗ୍ ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଅନୁଷ୍ଠାନର କନିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ସାନ୍ଧ୍ୟ ଅଧିବେଶନରେ ଅତିଥି ଭାବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର, ଜଗନ୍ନାଥ ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟନିର୍ବାହୀ ମେମ୍ବର ଏବଂ ବିଶିଷ୍ଟ ସମାଜସେବକ ଓ ଫିଲ୍ମ ନିର୍ମାତା ଡ଼.ଏଲ୍ଏନ୍ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନନ୍ୟ ପ୍ରତିଭା ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର, ଶୁଭଶ୍ରୀ ପଟ୍ଟନାୟକ, ଡ଼.ପ୍ରକାଶ ଚନ୍ଦ୍ର ମିଶ୍ରଙ୍କୁ ‘ନାଟ୍ୟଶାଳା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ସେହିପରି ଭିନ୍ନକ୍ଷମ ସ୍ମିତା ସୌମ୍ୟା ସ୍ୱାଇଁଙ୍କୁ ‘ନୃତ୍ୟ ବର୍ଣ୍ଣାଳୀ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବରିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସଂପାଦିକା ମମତା ଶତପଥୀ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମାନ୍ ସାଗର କୁମାର ସଂଯୋଜନା କରିଥିଲେ ।