ସମସ୍ୟା ଘେରରେ ଦୁର୍ଗମ ପଡେଇଗୁଡ଼ା ଗାଁ
ବୋରିଗୁମ୍ମାରୁ ଦୟାନିଧି ପଟ୍ଟନାୟକ : ଅଙ୍କାବଙ୍କା ପଥୁରିଆ ରାସ୍ତା ଆଉ ବଣ ଜଙ୍ଗଲ ଘେରା ପାହାଡ ଶିଖରରେ ଗାଁ । ଗାଁକୁ ଚାଲି କି ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ । ପାହାଡ ତଳେ ରାସ୍ତା ନିର୍ମାଣ ପାଇଁ ଟଙ୍କା ବରାଦ ହୋଇ କାମ ସରିଛି କିନ୍ତୁ ରାସ୍ତା ନିର୍ମାଣ ହେବା ତ ଦୂରର କଥା ମାଟି ଟିକିଏ ବି ପଡ଼ି ନାହିଁ । ରାସ୍ତା ନଥିବା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ଗ୍ରାମବାସୀ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଉପାନ୍ତ ପାହାଡି ପଡେଇଗୁଡ଼ା ଗାଁ । ପାହାଡ ଶିଖରରେ ଅବସ୍ଥିତ ଏହି ଗାଁକୁ ଯିବାକୁ ହେଲେ ବଡ ବଡ ପଥର ରାସ୍ତାରେ ଯିବାକୁ ପଡେ । ଗାଁରେ ୩୦ରୁ ଊଦ୍ଧ୍ୱର୍ ଆଦିବାସୀ ସଂପ୍ରଦାୟର ପରିବାର ବସବାସ କରି ଆସୁଥିବା ବେଳେ ରାସ୍ତାଘାଟ ଠାରୁ ଆରମ୍ଭ କରି ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ । ରାସ୍ତା ସମସ୍ୟା ଯୋଗୁ ଗାଁରେ ପହଞ୍ଚି ପାରୁନି ଘର ତିଆରି ସରଞ୍ଜାମ ତେଣୁ ଆବାସ ଯୋଜନାରେ ପକା ଘରଟିଏ ସମ୍ପୂର୍ଣ୍ଣ କରି ପାରାନ୍ତିନି ଲୋକେ । ସେହିପରି ଗାଁରେ ଗୋଟିଏ ବି ନଳକୂପ ନଥିବାରୁ ଅପରିଷ୍କାର କୂଅ ଉପରେ ନିର୍ଭର କରିବାକୁ ପଡେ । ରୋଗରେ ପଡ଼ିଲେ ଖଟିଆ ସାଜେ ଆମ୍ବୁଲାସ ଅନେକ ସମୟରେ ଗର୍ଭବତୀ, ରୋଗିଣା ବୃଦ୍ଧବୃଦ୍ଧାଙ୍କ ଜୀବନ ଅଧା ବାଟରେ ଚାଲିଯାଏ । ଗାଁରେ ଅନେକ ଝୁପଡ଼ି ଘର ଆଜି ଯାଏଁ ମଧ୍ୟ ଅଛି, ପାଇଖାନା ମଧ୍ୟ ମିଳିନାହିଁ । ଅଙ୍ଗନୱାଡି ଗୃହ ନଥିବା ବେଳେ ପର ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ବିଦ୍ୟାଳୟ କୋଠା ଅଛି କିନ୍ତୁ ଶିକ୍ଷକ ସମସ୍ୟା ଯୋଗୁ ସ୍କୁଲ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇଲେ ତେଣୁ ସ୍କୁଲକୁ ଛାତ୍ରଛାତ୍ରୀ ନ ଆସିବା ଦର୍ଶାଇ ସ୍କୁଲ ମଧ୍ୟ ବନ୍ଦ୍ ହୋଇପଡ଼ିଛି ପ୍ରାଥମିକ ଶିକ୍ଷା ନପାଇ ପିଲା ଘରେ ରହିଥିବା ଆମେ ଦେଖିବାକୁ ପାଇଥିଲୁ । ମୋନେରେଗା କାମ ମଧ୍ୟ ଲୋକଙ୍କ ନିକଟକୁ ଠିକ୍ ସେ ପହଞ୍ଚି ପାରୁନାହିଁ । ପାହାଡ ଶିଖରେ ଥିବା ଏହି ଗାଁ ଲୋକେ ପୋଡୁ ଚାଷ କରି ନିଜର ଜୀବନ ଜୀବିକା ନିର୍ବାହ କରୁଛନ୍ତି ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ପରିବାର ଚଳାଉଛନ୍ତି । ପଞ୍ଚାୟତ ସଦର ମହକୁମାକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁ ଥିବା କହିଛନ୍ତି ଗ୍ରାମବାସୀ ।