ରୋଗୀ ଅଛନ୍ତି, ଔଷଧ ଅଛି, ଡାକ୍ତର କି ସହକାରୀ କର୍ମଚାରୀ ନାହାନ୍ତି

ଯଖପୁରା : ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପରି ମୌଳିକ ଅଧିକାର ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ । ଅନେକ ସମୟରେ ଦେଖାଯାଏ ପ୍ରତ୍ୟେକ ଲୋକ ଏହି ତିନୋଟି ମୌଳିକ ଅଧିକାରକୁ ପ୍ରସଙ୍ଗ କରନ୍ତି । ସ୍ୱାସ୍ଥ୍ୟପରି ଅତି ଯତ୍ନଶୀଳ ବ୍ୟବସ୍ଥାକୁ ସାଧାରଣ ଲୋକ ଚାହିଁ ବସିଥାନ୍ତି । ସେଥିପାଇଁ କେନ୍ଦ୍ର ସରକାର ହୁଅନ୍ତୁ ଅଥବା ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ନବୀନ ସରକାର ସମୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ହେଉ କି ରୋଗୀଙ୍କ ପ୍ରାଥମିକତାକୁ ଦେଖି ସ୍ୱାସ୍ଥ୍ୟ ବିଭାଗକୁ ୫-ଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଫଳରେ ସାଧାରଣ ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଥିଲା । ସାଧାରଣ ଲୋକଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାପାଇଁ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଅନେକ ଡ଼ାକ୍ତରଖାନାର ବ୍ୟବସ୍ଥା କରାଯାଇଛି । କିନ୍ତୁ କିଛି ଡ଼ାକ୍ତରଖାନାରେ ସବୁ ବ୍ୟବସ୍ଥା ଥାଇ ମଧ୍ୟ ନଥିଲା ପରି ଦେଖାଯାଉଛି । କାରଣ ଡାକ୍ତରଖାନାରେ ଆବଶ୍ୟକ ପଦ ପଦବୀ ମତେ ଅଧିକାରୀ ନାହାଁନ୍ତି । କେଉଁଠି ଡାକ୍ତର ନାହାଁନ୍ତି ତ କେଉଁଠି ସହଯୋଗୀ କର୍ମଚାରୀ । ଫଳରେ ଡ଼ାକ୍ତରଖାନା ଥାଇ ମଧ୍ୟ ସାଧାରଣ ଲୋକଙ୍କ ଉପକାରରେ ଲାଗିପାରୁନି ।  ଉଦାହରଣ ଭାବେ ଦାନଗଦୀ ବ୍ଲକ୍ ଅଧୀନସ୍ଥ କୁମ୍ଭିରଗଡିଆ ପଞ୍ଚାୟତର କୁମ୍ଭିରଗାଡ଼ିଆ ସରକାରୀ ହୋମିଓପାଥିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇପାରେ । ୧୯୭୨ ମସିହାରୁ ପ୍ରତିଷ୍ଠା ଅର୍ଥାତ ୫୨ ବର୍ଷ ଧରି ଚାଳୁରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର କିମ୍ବା ସହଯୋଗୀ କର୍ମଚାରୀ ନାହାଁନ୍ତି । କହିବାକୁ ଗଲେ କେବଳ ସରକାରୀ ଖାତାରେ ଚାଲୁଛି ସ୍ୱାସ୍ଥ୍ୟ କେନ୍ଦ୍ରଟି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଇଁ ଅବସ୍ଥାପିତ ଥିବା ଡ଼ାକ୍ତର ଆଜକୁ ୧୦ମାସରୁ ଉର୍ଦ୍ଧ୍ୱ ହେବ ଆସୁ ନାହାଁନ୍ତି । କାରଣ ଡାକ୍ତରଙ୍କୁ ଅନ୍ୟତ୍ର ଅସ୍ଥାୟୀ ଭାବରେ ପଠାଇ ଦିଆଯାଇଛି । ଡାକ୍ତର ଶ୍ରୀମା ସରିତା ଶତପଥୀଙ୍କୁ ସମ୍ବଲପୁରର ମୁଖ୍ୟ ହୋମିଓ ପାଥିକ ଚିକିତ୍ସାଳୟକୁ ଅସ୍ଥାୟୀ ଭାବରେ ପଠାଯାଇଛି । ଫଳରେ କୁମ୍ଭିରଗାଡିଆ ହୋମିଓପାଥିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ପରିଲକ୍ଷିତ ହେଉଛି । ତାଙ୍କ ସହିତ ସହ କର୍ମଚାରୀ ଭାବରେ ହୋମିଓ ଆସିଷ୍ଟାଣ୍ଡ ଭାବରେ ଦୁର୍ଗା ପ୍ରସାଦ ଜେନାଙ୍କୁ ନିଯୁକ୍ତି କରାଯାଇଛି । ତାଙ୍କୁ ମଧ୍ୟ ପାଣିକୋଇଲି ମୁଖ୍ୟ ହୋମିଓପଥିକ ଚିକିତ୍ସାଳୟକୁ ରିଲିଭର୍ ଭାବେ ସପ୍ତାହରେ ତିନି ଦିନ ପଠା ଯାଉଛି । ଫଳରେ ଏହି ଚିକିତ୍ସାଳୟରେ ରୋଗୀ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି । କୁମ୍ଭିରଗାଡିଆ ହୋମିଓ ପାଥିକ ଚିକିତ୍ସାଳୟରେ ଆଖ ପାଖ ଅଂଚଳର ଚାରିରୁ ପାଞ୍ଚଟି ପଞ୍ଚାୟତର ପ୍ରାୟ ୧୫-୨୦ହଜାର ଲୋକ ନିର୍ଭର କରନ୍ତି । ପ୍ରତିଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ କୁମ୍ଭିରଗାଡ଼ିଆ, ମାରୁଟିକର, ଟିକର, ଖପୁରିଆପଦା, ବାଲିପଶି, ମାର୍ଥାପୁର, ଚକୁଆ, କେନ୍ଦୁଢିପ, ରାବଣା, ମାଣତୀରା, ଯଖପୁରା, ରାଛିପୁର, ମାନପୂର, ଜେନାପୁର, ପଙ୍କପାଳ ଆଦି ଗ୍ରାମରୁ ଅନେକ ରୋଗୀ ଆସିଥାନ୍ତି । ହୋମିଅ ପାଥିକ୍ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ସର୍ବାଧିକ ବୟସ୍କ ଓ ଶିଶୁ ମାନଙ୍କର ଭିଡ଼ ଦେଖିବାକୁ ମିଳେ । ପ୍ରତିଦିନ ପ୍ରାୟ ଶହେରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ତା ମଧ୍ୟରୁ ଅନେକ ଉଚ୍ଚ ରକ୍ତଚାପ ରୋଗୀ ଓ ଚର୍ମ ରୋଗୀଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥାଏ । ସ୍ଥାନୀୟ ଅଞ୍ଚଳରେ ଏହା ଏକ ମାତ୍ର ହୋମିଓପାଥିକ ଚିକିତ୍ସାଳୟ ହୋଇଥିବାରୁ ବେଶ୍ ଭିଡ଼ ପରିଲକ୍ଷିତ ହୁଏ । ତା ସହିତ ଚିକିତ୍ସାଳୟର ଡାକ୍ତର ଶ୍ରୀମା ସରିତାଙ୍କ ଚିକିତ୍ସା ବେଶ୍ ଉଚ୍ଚ କୋଟୀର ଥିବାରୁ ସ୍ଥାନୀୟ ଅଞ୍ଚଳରୁ ରୋଗୀଙ୍କ ଭିଡ଼ ପରିଲକ୍ଷିତ ହୁଏ । ସବୁଠାରୁ ବଡ ସମସ୍ୟା କଅଁଳ ଶିଶୁ ମାନଙ୍କ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ହୋଇପାରୁଥିଲା । ଡାକ୍ତର ନଥିବାରୁ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତମାନ ଡ଼ାକ୍ତରଖାନାରେ ଔଷଧ ବିପୁଳ ପରିମାଣରେ ଥିବା ସତ୍ୱେ ଏହା ରୋଗୀଙ୍କ ପାଇଁ ଉପଲବ୍ଧ ହୋଇପାରୁ ନାହିଁ । ଫଳରେ ଔଷଧ ଅନେକ ଦିନ ଧରି ପଡି ରହୁଥିବାରୁ ଏହାର ସମୟ ଅବଧି ଶେଷ ହେଉଥିବାରୁ ଔଷଧ ସବୁ ଖତ ଖାଉଛି । ରୋଗୀ ଅଛନ୍ତି ଔଷଧ ଅଛି ମାତ୍ର ଚିକିତ୍ସାଳୟ ପାଇଁ ଆବଶ୍ୟକ ଡାକ୍ତର କିମ୍ବା ତାଙ୍କର ସହକାରୀ କର୍ମଚାରୀ ନଥିବାରୁ ଚିକିତ୍ସାଳୟ ଖାଲି ପଡୁଛି । ଚିକିତ୍ସାଳୟର କର୍ମଚାରୀ ବସିବସି ଘରକୁ ଫେରୁଥିବା ବେଳେ ରୋଗୀ ମାନେ ଚିକିତ୍ସା ପାଇଁ ଆସି ହତାଶ ହୋଇ ଫେରୁଛନ୍ତି । କୁମ୍ଭିରଗାଡିଆ ହୋମିଓ ପାଥିକ ଚିକିତ୍ସାଳୟଟି ଏକ ଅନୁନ୍ନତ ଅଂଚଳରେ ଥିବାରୁ ଏହାର ଗୁରୁତ୍ୱ ଢେର୍ ଅଧିକ । ମାତ୍ର ଡାକ୍ତର ନଥିବାରୁ ରୋଗୀଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି । ତାସହିତ ସରକାରଙ୍କ ପକ୍ଷରୁ ମିଳୁଥିବା ବିନା ମୂଲ୍ୟର ଔଷଧ ସବୁ ରୋଗୀଙ୍କ ଖତ ଖାଉଛି । ଡାକ୍ତରଙ୍କ ଅସ୍ଥାୟୀ ବଦଳକୁ ତୁରନ୍ତ ପ୍ରତ୍ୟାହାର କରି ନିଯୁକ୍ତହୋମିଓ ପାଥିକ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫେରାଇ ଆଣିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ତୁରନ୍ତ ଏହାର ସମାଧାନ କରିବାକୁ ସ୍ଥାନୀୟ ବିଧାୟକଙ୍କୁ ଗ୍ରାମବାସୀ ତରଫରୁ ନିବେଦନ କରାଯାଇଛି । ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରଟି ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।