ହାରିବା ପରେ ବି ହାର୍ ମାନି ନାହାନ୍ତି ଲଲ

ଯାଜପୁର: ନିର୍ବାଚନ ଲଢୁନଥିଲେ । କିନ୍ତୁ ନିଜ ବଡ଼ ମାଆ ତଥା ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କ ନିର୍ବାଚନ ପ୍ରଚାର ମଙ୍ଗ ଧରିଥିଲେ । କୋରେଇ ବିଧାନସଭା ଆସନରୁ ଲଢୁଥିଲେ ସନ୍ଧ୍ୟାରାଣୀ । ହେଲେ ବିଜେପିର ଆକାଶ ଦାସନାୟକଙ୍କ ଠାରୁ ୫ହଜାରରୁ ଅଧିକ ଭୋଟରେ ହାରିଗଲେ । ରାଜ୍ୟରେ ବିଜେଡ଼ି ବିପର୍ଯ୍ୟ ପରି ଯାଜପୁର ଜିଲାରେ ମଧ୍ୟ ସରକାରରେ ଥିବା ଶାସକ ଦଳକୁ ବିପର୍ଯ୍ୟୟ ମୁହଁ ଦେଖିବାକୁ ପଡ଼ିଥିଲା । କୋରେଇ ବି ଏଥିରୁ ବାଦ୍ ପଡ଼ିନଥିଲା । କଡ଼ା ଟକ୍କର ମଧ୍ୟରେ ଆକାଶ ସନ୍ଧ୍ୟାରାଣୀଙ୍କ ଠାରୁ ୫୬୪୬ ଭୋଟ ବ୍ୟବଧାନରେ ବିଜୟୀ ହେଲେ । ବିଜୟୀ ହବା ପରେ ଆକାଶ ଏହା କୋରେଇବାସୀଙ୍କ ବିଜୟ ବୋଲି କହିଥିବା ବେଳେ ସନ୍ଧ୍ୟାରାଣୀ କୋରେଇବାସୀ ଦେଇଥିବା ସ୍ନେହ ସେ ସବୁଦିନ ପାଇଁ ମନେ ରଖିବେ ବୋଲି କହିଥିଲେ । ଆକାଶଙ୍କ ସମର୍ଥକ ଉସôବ ମନାଉଥିବା ବେଳେ ସନ୍ଧ୍ୟାରାଣୀଙ୍କ ସମର୍ଥକ ମନସ୍ଥାପରେ ଦିନ କାଟିବା ସ୍ୱାଭାବିକ । କିନ୍ତୁ ଯାହା ମନେ ହେଉଛି ମନସ୍ଥାପରେ ନାହାନ୍ତି ସନ୍ଧ୍ୟାରାଣୀଙ୍କ ପାଇଁ ମଙ୍ଗ ଧରିଥିବା ପୁୁତୁରା ଲଲ ଦାସଙ୍କ । ନିର୍ବାଚନ ବହୁପୂର୍ବରୁ ଲଲ କୋରେଇରେ ବୁଲି ବୁଲି ସଂଗଠନ କରୁଥିଲେ । ସମସ୍ତଙ୍କ ଭିତରେ ଗୋଟେ ଧାରଣା ସୃଷ୍ଟି ହୋଇଥିଲା ଲଲ ହିଁ କୋରେଇରୁ ପ୍ରାର୍ଥି ହେବେ । ହେଲେ ନିର୍ବାଚନ କିଛିମାସ ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣରୁ ଲଲ ଅଦୃଶ୍ୟ ହୋଇଗଲେ । ଏଣୁ ଲଲଙ୍କୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ବିଜେଡ଼ି ବିଧାୟକ ଅଶୋକ ବଳଙ୍କ ସ୍ଥାନରେ ବବିଙ୍କ ମାଆ ସନ୍ଧ୍ୟାରାଣୀଙ୍କୁ ପ୍ରାର୍ଥି କରିଥିଲା । ଦୀର୍ଘମାସ କୋରେଇରେ ବୁଲି ସମର୍ଥକ ଯୋଗାଡ଼ରେ ଲାଗିପଡ଼ିଥିବା ଲଲ ସ୍ୱାସ୍ଥ୍ୟ ସମସ୍ୟା ଭିତରେ ବଡ଼ ମାଆଙ୍କ ନିର୍ବାଚନ ପ୍ରଚାର ଏବଂ ପରିଚାଳନା ମଙ୍ଗ ଧରିଥିଲେ । ବିଜେଡ଼ିର ପରାଜୟ ପରେ କୋରେଇରେ ଗୋଟିଏ ଚର୍ଚ୍ଚା ଆରମ୍ଭ ହୋଇଥିଲା, ଦାସ ପରିବାରକୁ କୋରେଇ ମତଦାତା ପାନେ ନେଇ ବିଦା କରିଦେଲେ । ଦାସ ପରିବାରକୁ କୋରେଇ ଭୋଟର ବିଦା କରିଦେଲେ ଏକଥା ସ’ତ, ହେଲେ ଦାସ ପରିବାର କୋରେଇକୁ ବାଏ ବାଏ କରି ନଥିବା ଗଲା କିଛି ଦିନ ଭିତରେ ଲଲଙ୍କ ବାରମ୍ବାର ଆଗମନ ସ୍ପଷ୍ଟ କରି ଦେଉଛି । ହାରିବା ପରେ ପରେ ଲଲ ସଠିପୁରରେ ଏକ ସମୀକ୍ଷା ବୈଠକ କରିଥିଲେ । ସମୀକ୍ଷା ବୈଠକରେ କୋରେଇ ବ୍ଲକର ୨୮ ପଞ୍ଚାୟତର ପ୍ରତିନିଧି ଯୋଗ ଦେଇ ନିର୍ବାଚନ ପରାଜୟର କାରଣ ବଖାଣି ପର ଉପରେ ଦୋଷାଲଦାଲଦି ହୋଇଥିଲେ । ସମୀକ୍ଷା ବୈଠକରେ ଉପସ୍ଥିତ ଲଲ ପରାଜୟକୁ ଭୁଲି ଲୋକଙ୍କ ସହଯୋଡ଼ି ହୋଇ ରହିବାକୁ ପରାମର୍ଶ ଦେଇଥିଲେ । ସନ୍ଧ୍ୟାରାଣୀ କେବଳ ପ୍ରାର୍ଥି ହୋଇଥିଲେ ହେଁ ଯଦି ସେ ବିଜୟୀ ହୋଇଥାନ୍ତେ, ତେବେ ଲଲ ହିଁ ସବୁକିଛି ୁବଝିଥାନ୍ତେ । ସେହି କ୍ରମରେ ପରାଜୟ ପରେ ଏବେ ଲଲ ହାରିବାର କାରଣ ଖୋଜିବା ସହ ଆଗାମି ଭବିଷ୍ୟତ ରାଜନୈତିକ ଲକ୍ଷ୍ୟ ହେଉ ବା କୋରେଇବାସୀଙ୍କ ଋଣ ସୁଝିବା ହେଉ ହାରିବା ପରେ ବି ହାର୍ ମାନି ନାହାନ୍ତି । ଫଳାଫଳ ଘୋଷଣା ପରେ ଏକାଧିକ ସ୍ଥାନକୁ ଆସି ନିଜର ଉପସ୍ଥିତିକୁ ଜାହିର କରୁଛନ୍ତି ଲଲ । ଗଲାକିଛିଦିନ ଭିତରେ କୋରେଇ ବ୍ଲକର କିଛି ପଞ୍ଚାୟତରେ ମୃତୁ୍ୟ-ଅପମୃତୁ୍ୟ ଭଳି ଘଟଣା ଘଟିଛି । ଦୁଖଦ ଖବର ପାଇବା ପରେ ଲଲ ପରିବାର ପାଖରେ ପହଁଚି ସମବେଦନା ଜଣାଇଛନ୍ତି । ଯେଉଁ ମାନଙ୍କ ପାଖରେ ଲଲ ପହଁଚିଛନ୍ତି । ସେମାନେ ବିଜେଡ଼ିକୁ ଭୋଟ ଦେଇଛନତି କି ନାହିଁ ତାହା ନଦେଖି ସଦ୍ୟ ପରାଜୟ ସ୍ୱାଦ ଚାଖିବା ଭିତରେ ସେମାନଙ୍କ ପାଖରେ ପହଁଚି ଦାସ ପରିବାରକୁ କୋରେଇବାସୀ ବିଦା କରିଥାଇ ପାରନ୍ତି, ସେମାନେ କିନ୍ତୁ କୋରେଇରୁ ବିଦାୟ ନେଇ ନାହାନ୍ତି ବୋଲି ଏକ ବାର୍ତା ଦେବାକୁ ଚାହିଁ ନାହାନ୍ତି ତ? କୋରେଇବାସୀ ଲଲଙ୍କ ଏଭଳି ଅଭିଯାନକୁ କେତେଦୂର ଗ୍ରହଣ କରୁଛନ୍ତି, ତାହା ବେଳ ଦେଖିବାର ଅଛି ।