ଆଗାମୀ ବର୍ଷ ବିକାଶର ବର୍ଷ: ହିମାଂଶୁ
ଧର୍ମଶାଳା : ବର୍ଷକ ଭିତରେ ଯଦି ମୋର କିଛି ଭୁଲ ରହିଯାଇ ଥାଏ ତେବେ କ୍ଷମା କରିଦେବେ । ଧର୍ମଶାଳା ନିର୍ବାଚନମଣ୍ଡଳୀର ବିକାଶ ଧାରାକୁ ଆଗେଇ ନେବା ମୋର ପ୍ରଥମ କର୍ତ୍ତର୍ବ୍ୟ । ଆଗାମୀ ବର୍ଷ ଧର୍ମଶାଳା ବିକାଶର ବର୍ଷ ହେବ । ବିଧାୟକ ହେବାର ଏକବର୍ଷ ପୂର୍ତ୍ତି ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ତାଙ୍କ ରିପୋର୍ଟ କାର୍ଡ ପ୍ରଦାନ ପୂର୍ବକ ବାର୍ତ୍ତାରେ ଏହା ପ୍ରକାଶ କରିଛନ୍ତି ।
ଧର୍ମଶାଳାବାସୀ ତାଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରି ବିଜୟର ମୁକୁଟ ପିନ୍ଧାଇଛନ୍ତି ସେଥିପାଇଁ ହିମାଂଶୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରାଣଥିବା ପର୍ଯ୍ୟନ୍ତ ଧର୍ମଶାଳାବାସୀଙ୍କ ପାଇଁ ସେବା ଜାରି ରହିବ ବୋଲି ବାର୍ତ୍ତା ଦେଇଛନ୍ତି । ବିକାଶର ଚିଠା ସମ୍ପର୍କରେ ଉପସ୍ଥାପନ କରି କହିଛନ୍ତି ଯେ, ନୂତନ ସରକାର ଆସିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ୩୨କୋଟି ୨୦ଲକ୍ଷ ୯୫ହଜାରର ନୂତନ ଟେଣ୍ଡର ହୋଇଛି । କ୍ଷୁଦ୍ର ଜଳସେଚନ ବିଭାଗର ୪କୋଟି ୧୧ଲକ୍ଷ ୪୯ହଜାର ଟଙ୍କା, ଜଳ ସେଚନ ବିଭାଗର ୭ କୋଟି ୫୧ଲକ୍ଷ ୯୮ହଜାର ଟଙ୍କା ଓ ପୂର୍ତ୍ତ ବିଭାଗର ୧୫କୋଟି ୬ଲକ୍ଷ ଟଙ୍କା ମୋଟ ପାଖାପାଖି ୬୦କୋଟି ଟଙ୍କାର ଟେଣ୍ଡର ହୋଇସାରିଛି । ଯାହା ନଭେମ୍ବର ସୁଦ୍ଧା କାର୍ଯ୍ୟ ଆରମ୍ଭ ହେବ ।
ଧର୍ମଶାଳା ଅଞ୍ଚଳରେ ପାନୀୟ ଜଳ ଯୋଗଇ ଦେବା ଲାଗି ୫ଶହରୁ ଅଧିକ ନଳକୂପ ଖନନ ବ୍ୟବସ୍ଥା କରାଯାଇଥିବା ବେଳେ ଖରାଦିନରେ ଘରକୁ ଘର ପାଣି ଯୋଗଇ ଦେବା ଲାଗି ୮୪ଟି ପାଣି ଟ୍ୟାଙ୍କର୍ର ବ୍ୟବସ୍ଥା କରାଯାଇଛି । ବିଗତ ସରକାରରେ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ୩ମାସ ଭିତରେ ଚାଲୁ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜାରକା ସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆର ରୁପାନ୍ତରିକରଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ହାରା ହାରି ୨ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପଡିଆକୁ ବର୍ଦ୍ଧିତ କରାଯାଇ ପାଖାପାଖି ୪୦ଏକର ଜମିରେ ଅଧୁନିକ ପାର୍କ, ୱାଟର ପାର୍କ, ଲାଇବ୍ରେରୀ, ୩ହଜାର ଲୋକ ବସିବା ପାଇଁ ଏକ ଅଡିଟୋରିଅମ ହଲ କରାଯିବ । ସେହିପରି ଏଠି ରାମମନ୍ଦିର ପ୍ରତିଷ୍ଠା କରାଯିବା ସହ ଯବାନ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ପାଇଁ ଏକ ହଲ ରହିବ । ରୋଟାରୀ, ଇନରହୁଇଲ କ୍ଲବ ଗୃହର ବ୍ୟବସ୍ଥା କରାଯିବ । ପ୍ରଥମ ପର୍ଯ୍ୟାୟରେ ୩ଟି ପଞ୍ଚାୟତରେ ଷ୍ଟାଡିୟମ ନିର୍ମାଣ କରାଯିବ । କବାଟବନ୍ଧ ପ୍ରାଥମିକ ଚିକିସôାଳୟକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବିଧାୟକ ସୂଚନା ଦେଇଛନ୍ତି ।