ବାଇକ ଦୁର୍ଘଟଣାରେ ଜଣେ ମୃତ

ବ୍ରହ୍ମବରଦା : ସୋମବାର ଅପରାହ୍ନରେ ବରୀ ଥାନା ଅଧିନ ବରୀ ମାଉଣ୍ଡ ନିକଟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଗୋଟିଏ ପରିବାରରୁ ଜଣେ ମୃତ୍ୟୁ ବରଣ  କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇ କଟକ  ବଡମେଡିକାଲରେ ଭର୍ତ୍ତୀ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ବ୍ରହ୍ମବରଦା ଥାନା ଅଧିନ ବନ୍ଧଡିହ ପଞ୍ଚାୟତ ୫ନଂ ୱାର୍ଡର ପ୍ରକାଶ ମଲ୍ଲିକ (ଟୁକୁନା) ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ବରୀ ଅଞ୍ଚଳର ସେରପୁର ଠାରେ ଥିବା ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ଟୁକୁନା ସେମାନଙ୍କୁ ଧରି ଘରକୁ ଫେରୁଥିବା ବେଳେ ବରୀ ମାଉଣ୍ଡ ଠାରେ ଏକ ଦୃତଗାମି ଅଜଣା  ଗାଡି ପ୍ରକାଶ ମଲ୍ଲିକଙ୍କ ହିରୋ ହଣ୍ଡା ସ୍ପେଣ୍ଡର ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରକାଶ ମଲ୍ଲିକଙ୍କ ସ୍ତ୍ରୀ ସ୍ୱପ୍ନାରାଣୀ ମଲ୍ଲିକ (୩୮) ମୃତ୍ୟୁବରଣ କରିଥିବାବେଳେ ସ୍ୱାମି ପ୍ରକାଶ ମଲ୍ଲିକ ଓ ପୁଅ ଓମ ସାଇରାମ (୧୦) ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆମ୍ମୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ମେଡିକାଲ ପଠାଇଥିବା ବେଳେ ସେଠାରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଉକ୍ତ ଘଟଣାକୁ ନେଇ ବନ୍ଧଢିଅ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।