ଅଲୋକମାଳାରେ ଝଲସିବ ପୂଜାମଣ୍ଡପ
ାା ପ୍ରଭାନୁ୍ୟଜ୍ ।ା ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠସ୍ଥ ବ୍ୟବସାୟୀକ ପେଣ୍ଠସ୍ଥଳି ଭାବେ ପରିଚିତ ବାଳକାଟିରେ ଗତ ୩୨ ବର୍ଷ ହେବ ଦଶରା ପୂଜା ବିଧିମୁତାବକ ନିତକ୍ରାନ୍ତୀ ଅନୁସାରେ ପାଳନ ହୋଇଆସୁଅଛି । ସରଦେଇପୁର-ନିମାପଡା ମୁଖ୍ୟରାସ୍ତା ବାଳକାଟି ବଜାରରେ ବ୍ୟବସାୟୀ ସଂଘ ପକ୍ଷରୁ ୧୦ ଫୁଟ ଉଚ୍ଚତାର ଗଣେଶ,କାର୍ତ୍ତିକ ପାଶ୍ୱର୍ ଦେବାଦେବୀଙ୍କ ସହିତ ମା’ଙ୍କ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ମୃଣ୍ମୟ ମୂର୍ତ୍ତି ଶୋଭାପାଇବେ । ମା’ଙ୍କ ଏହି ମୂର୍ତିଙ୍କୁ ବାଲିପାଟଣା ଅଞ୍ଚଳର କାଳିଆ ଦାସ ନାମକ ଜଣେ କାରୀଗର ପ୍ରସ୍ତୁତ କରିଛନ୍ତି । ପାଖାପାଖି ୧୫ ରୁ ୨୦ ଦିନ ଲାଗେ ଏହି ମୂର୍ତ୍ତି ତିଆରି କରିବାପାଇଁ । ଏଠାରେ ମୁଖ୍ୟ ଆକର୍ଷଣ କୌଣସି ଏକ ପଶୁର ଶରୀରକୁ ମଇଦାରେ ତିଆରି କରାଯାଇ ବଳି ଦିଆଯାଇଥାଏ । ପ୍ରାୟ ୫କିଲୋ ମଇଦାରେ ଏହା ତିଆରି ହୋଇଥାଏ । ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟମୀରେ ୨ରୁ୩ ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ସେବନ ଏବଂ ନବମୀ ତିଥିରେ କାକରା, ବୁନ୍ଦୀ ଭୋଗ କରାଯାଇ ଭକ୍ତଙ୍କୁ ବଣ୍ଟାଯିବ ବୋଲି ଆୟୋଜକ ମାନେ କହିଛନ୍ତି । ଗତ ଭାଦ୍ରବମାସ ଷଷ୍ଠୀରେ ପୁଣ୍ୟତୋୟା ଭାର୍ଗବୀନଦୀରୁ ମାଟିପୂଜା କରାଯାଇ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ପରେ ଷଷ୍ଠୀପୂଜାରେ ମା’ଙ୍କ ବେଲବରଣୀ ପରେ କଳସୀ ଧରି ପୁଣ୍ୟତୋୟା ଭାର୍ଗବୀ ନଦୀରୁ ଜଳ ଆଣି ରୀତିନୀତି ଅନୁସାରେ ପୂଜା ଆରମ୍ଭ କରାଯାଏ । ପରେ ସପ୍ତମୀଦିନ ଅହୋରାତ୍ର ଶ୍ରୋତୀୟ ବ୍ରାହ୍ମଣଙ୍କ ବେଦ,ମନ୍ତ୍ରରେ ଚଣ୍ଡୀପାଠ କରାଯାଇ ଯଥା ରୀତିନୀତି ଅନୁସାରେ ଦେବୀ ଦୁର୍ଗାଙ୍କୁ ଆହ୍ୱାନ କରାଯିବ । ଚଳିତ ବର୍ଷ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇ ବଜାର ସାରା ଆଲୋକମାଳାରେ ସାଜସଜା ହେବ । ପରେ ମା’ଙ୍କୁ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବିସର୍ଜନ କରାଯିବ । ମା’ଙ୍କ ଏହି ମୃଣ୍ମୟୀ ମୃତିଙ୍କୁ ଦେଖିବାପାଇଁ ଆଖପାଖ ଗ୍ରାମର ପ୍ରବଳ ଭକ୍ତଙ୍କ ଜନସମାଗମ ହୋଇଥାଏ । ଏଥିପାଇଁ ବାଳକାଟି ବଜାର ପୂଜାକମିଟି ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯିବା ସହ କମିସନରେଟ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିଥାନ୍ତି ।