ଭାବରେ ଧୁନ୍ଧି ହୋଇଛି ପୋବଳ ୟୁଜିଏମଇ ବିଦ୍ୟାଳୟ: ୩ ଶିକ୍ଷକରେ ଚାଲିଛି ୮ ଶ୍ରେଣୀ; ଧାରଣା ଚେତାବନୀ 

 ଧର୍ମଶାଳା : ଏହି ବ୍ଲକ ତରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ ପୋବଳ ୟୁଜିଏମଇ ବିଦ୍ୟାଳୟଟି ଯାବତୀୟ ଅଭାବରେ ଧୁନ୍ଧି ହେଉଛି ।  ଏଠି ୮ଗୋଟି ଶ୍ରେଣୀକୁ ମାତ୍ର ୩ ଜଣ ଶିକ୍ଷୟତ୍ରୀ /ଶିକ୍ଷକ ରହିଛନ୍ତି । ଦୁଇଜଣ ଶିକ୍ଷୟତ୍ରୀକୁ ଜଣେ ଡେପ୍ଲୋୟଡ ଶିକ୍ଷକ ସରକାରୀ କାର୍ଯ୍ୟ ସହ ପାଠପଢାଉନ୍ତି । ସ୍କୁଲରେ ୩ଟି ଶ୍ରେଣୀ ଗୃହ ରହିଥିବା ବେଳେ ଗୋଟିଏ ଶ୍ରେଣୀ ଗୃହର ଅଧାରେ ଚାଉଳ ଓ ଅନ୍ୟ ସାମଗ୍ରୀ ରହୁଥିବାରୁ ସେହି ଶ୍ରେଣୀ ଗୃହରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏକାଠି ବସି ପାଠ ପଡୁଛନ୍ତି । ଅନ୍ୟ ଦୁଇଟି ଶ୍ରେଣୀ ଗୃହରେ ଭାଟିକାରୁ ଆରମ୍ଭ କରି ତୃତୀୟ ଓ ଅନ୍ୟ ଗୋଟିଏ ଶ୍ରେଣୀ ଗୃହରେ ଚତୁର୍ଥରୁ ପଞ୍ଚମ ଯାଏ ଛାତ୍ରଛାତ୍ରୀ ଏକାଠି ବସି ପାଠ ପଡୁଛନ୍ତି । ଫଳରେ ଏଠାରେ ଶିକ୍ଷାଦାନ ସମ୍ପୁର୍ଣ୍ଣ ଭୁଶୁଡି ପଡିଥିବା କୁହାଯାଇପାରେ । ଯେଉଁଥି ପାଇଁ ଅଭିଭାବକ ତାଙ୍କ ପିଲାଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟରୁ ମୁହଁ ଫେରେଇ ପିଲାଙ୍କ ଟିସି ନେଇ ଯାଉଛନ୍ତି । ଏଠି ଶିଶୁ ବାଟିକାରୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୯ଗୋଟି ଶ୍ରେଣୀ ଅଛି । ସରକାରଙ୍କ ଶିକ୍ଷା ନୀତି ଅନୁସାରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସର୍ବ ନିମ୍ନ ୨ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ୬ଷ୍ଠ ୭ମ ଏବଂ ଅଷ୍ଟମ ପାଇଁ ୩ଜଣ ଏମିତି ସର୍ବନିମ୍ନ ୫ଜଣ ଶିକ୍ଷକ/ଶିକ୍ଷୟତ୍ରୀ ରହିବା କଥା । ତା ସହିତ ଯେହେତୁ ପୋବଳ ବିଦ୍ୟାଳୟଟି ଏକ ମଧ୍ୟ ଇଂରାଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେଣୁ ଏଠାରେ ଜଣେ ପ୍ରଧାନ ଶିକ୍ଷକ ପଦବୀ ସର୍ବଦା ପୂରଣ ହେବା କଥା । ଉକ୍ତ ବିଦ୍ୟାଳୟରେ ବର୍ତ୍ତମାନ ଥିବା ୨ଜଣ ରେଗୁଲାର ଶିକ୍ଷୟତ୍ରୀ ଏବଂ ଜଣେ ଡେପ୍ଲୋଡ଼ଙ୍କ ମଧ୍ୟରୁ ଜଣେ  ମଧ୍ୟାହ୍ନ ଭୋଜନ ଜଗୁଥିବା ବେଳେ ଆଉ ଜଣେ କାଗଜ ପତ୍ର ଏବଂ ଅନ୍ଲାଇନ କାମରେ ନିୟୋଜିତ ରହୁଛନ୍ତି । ଏଣୁ ପାଠ ପଢା କେମିତି ଚାଲିଥିବ ତାହା ସହଜରେ ଅନୁମାନ କରାଯାଇପାରେ । ଆଉ ଜଣେ ଡେପୁଟେସନରେ ଅଛନ୍ତି ସେ ନିରୁପାୟ କେବଳ ଚୌକିଦାର ସାଜି ପିଲାଙ୍କୁ ଜଗିଥାନ୍ତି । ଏହି ହେଉଛି ଏକ ସର୍ବ ପୁରାତନ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ଶିକ୍ଷା ଧିକାରୀଙ୍କ ଅଧିନରେ ଥିବା ପୋବଳ ୟୁଜିଏମଇ ବିଦ୍ୟାଳୟର ଅସଲି ଚିତ୍ର । କିନ୍ତୁ ଆଶ୍ଚର୍ଯ୍ୟ କେହି ବିଦ୍ୟାଳୟର ସମସ୍ୟା ଦୂର ଦିଗରେ ଉଦ୍ୟମ କରୁ ନାହାନ୍ତି । ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ସମସ୍ୟା ସମ୍ପର୍କ ରେ ଅବଗତ କରିବା ସହ ବିଧାୟକ ହିମାଂଶୁ ଶେଖରଙ୍କୁ ଭେଟି ତାଙ୍କ ଅନୁମୋଦିତ ଚିଠି ବିଇଓଙ୍କୁ ଗତ ୧୦ମଇ ୨୦୨୫ ରେ ପ୍ରଦାନ କରିଥିଲେ । ଅଦ୍ୟାବଧି ୩ମାସ ପୁରିବାକୁ ବସିଥିବାବେଳେ ଶିକ୍ଷା ବିଭାଗର କୁମ୍ଭ ନିଦ୍ରା ଭାଙ୍ଗୁନି । ତୁରନ୍ତ ପୋବଳ ୟୁଜିଏମଇ ବିଦ୍ୟାଳୟର ସମସ୍ୟା ଉପରେ ବିଚାର କରି ଆବଶ୍ୟକତା ଅନୁସାରେ ଶିକ୍ଷକ ଓ ଶ୍ରେଣୀ ଗୃହ ଉପଲବ୍ଧ କରାଇବାକୁ ଗ୍ରାମବାସୀ ପ୍ରଶାସନ, ଶିକ୍ଷା ବିଭାଗ ଓ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ବିଧାୟକଙ୍କୁ ନିବେଦନ କରାଯାଇଛି । ଯଦି ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ଗ୍ରାମବାସୀ୨୦ଅଗଷ୍ଟରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।