ବଡ଼ଦାଣ୍ଡରେ ପ୍ରଶାସନର ଅବ୍ୟବସ୍ଥା ମାରିଦେଲା : ଭକ୍ତ

ବଡ଼ଦାଣ୍ଡରେ ପ୍ରଶାସନର ଅବ୍ୟବସ୍ଥା ମାରିଦେଲା : ଭକ୍ତ

ଖୁସିରେ  ଜଗା ଦର୍ଶନ ପାଇଁ ଆସିଥିଲେ ଭକ୍ତ । କାହିଁ କେତେ ଦୂରରୂ ଛୁଟି ଆସି ଅନିଦ୍ରା ହୋଇ ବଡ଼ଦାଣ୍ଡରେ ପଡି ରହିଥିଲେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ । ଜଗାକୁ  ଟିକେ ରଥରେ ଦେଖିଦେଲେ, ତା’ର ରଥ ଦଉଡି ଟାଣିଦେଲେ ସବୁ ପାପ କ୍ଷୟ ହୋଇଯିବ, ଆତ୍ମା ପବିତ୍ର ହେବ । ସେଥିପାଇଁ  ନିଜର ବୟସ, ରୋଗକୁ ଖାତିର ନକରି ୭୮ ବର୍ଷୀୟ ବ୍ୟକ୍ତି ନିଜ ଶରୀର ଯନ୍ତ୍ରଣାକୁ ପଛ କରି ଚାଲିଆସିଥିଲେ ପୁରୀକୁ  ରଥ ଟାଣିବାକୁ । ହେଲେ ସେ କଣ ଜାଣିଥିଲେ  ଏହି ରଥଯାତ୍ରା ତାଙ୍କ ଜୀବନର ଶେଷ ରଥଯାତ୍ରା ହୋଇଯିବ ବୋଲି !

ପ୍ରଶାସନ ତରଫରୁ ଏତେ ଅବ୍ୟବସ୍ଥା ଥିବ ବୋଲି  ସେ କଣ ଜାଣିଥିଲେ। ଶରଧାବାଲିରେ  ପ୍ରବଳ  ଠେଲାପେଲା ଗହଳି ବଢିଥିଲା । ଆଉ ଏହି ଗହଳିରେ ଚାଲିଯାଇଥିଲା କିଡନୀ କ୍ରନିକ ରୋଗରେ ପିଡିତ ଥିବା ବୃଦ୍ଧଙ୍କ ଜୀବନ  । ଦଳା ଚକଟାରେ  ଖାଲି ଏହି ବୃଦ୍ଧ ନୁହନ୍ତି ବୃଦ୍ଧଙ୍କୁ ମିଶାଇ ଆଉ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି  ।  ଏତେ ଗହଳି ଯେ ଭକ୍ତଙ୍କ ଉପରେ ଭକ୍ତ ପଡିଥିଲେ । ଅଣନିଶ୍ବାସୀ ହୋଇଯାଇଥିଲେ ଲୋକେ । ତଳେ ପଡି  ଛଟପଟ ହେଉଥିଲେ ।  ଠେଲାପେଲାରେ ଛୋଟ ଛୋଟ ପିଲା ତଳେ ପଡିଯାଇଥିଲେ ଆଉ ତାଙ୍କ ଉପରେ ଚଢି ଯାଇଥିଲେ ଲୋକେ । କାହାର ହାତ ଭାଙ୍ଗିଛି ତ କିଏ ରକ୍ତରେ ଜୁଡ଼ୁବୁଡୁ । ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।  ଜଗାକୁ ଦେଖିବାକୁ ତ ଗହଳି ଲାଗିବ ହେଲେ , ସେହି ହିସାବରେ କଣ ପାଇଁ ପ୍ରଶାସନ  ବ୍ୟବସ୍ଥା  କରିନଥିଲା ? ସବୁଠାରୁ  ନିନ୍ଦନୀୟ କଥା ହେଉଛି  ଗହଳିକୁ ନିୟନ୍ତ୍ରଣ କରିବାରେ  ପ୍ରଶାସନ ବିଫଳ ହୋଇଛି ।  

  ପୁଲିସ୍‌ ପ୍ରଶାସନ କଣ କରୁଥିଲା ? ଏବେ ପ୍ରଶ୍ନ ଉଠୁଛି   ପ୍ରଶାସନର ଏତେ  ଢିଲା ବ୍ୟବସ୍ଥା କଣ ପାଇଁ  ?  ସୁରକ୍ଷା ବ୍ୟବସ୍ଥାରେ ଏତେ ତ୍ରୁଟି  କଣ ପାଇଁ ?  ଶରଧାବାଲିରେ ଯେତେବେଳେ ଠେଲାପେଲା ଆରମ୍ଭ ହେଲା ସେହି ସମୟରେ  ସୁରକ୍ଷା କର୍ମୀ କୁଆଡେ ଥିଲେ ?  ଏଭଳି ଅନେ ପ୍ରଶ୍ନ  କରୁଛନ୍ତି  ଆହତ ହୋଇଥିବା ଶ୍ରଦ୍ଧାଳୁ । ଠେଲାପେଲାରୁ ବଞ୍ଚିଯାଇଥିବା ଶ୍ରଦ୍ଧାଳୁ କହୁଛନ୍ତି ପ୍ରଚଣ୍ଡ ଅବ୍ୟବସ୍ଥା ମାରିଦେଲା  ।  ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ଥିଲା ଭୟାନକ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ଏମିତି ଅବ୍ୟବସ୍ଥା ଆମେ ଆମ ଜୀବନରେ ଦେଖିନଥିଲୁ ।