ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ବଡ଼ ଠାକୁର


ଜଗତସିଂହପୁର : ଭକ୍ତ- ଭଗବାନଙ୍କର ଅପୂର୍ବ ମିଳନ । ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ବଡ଼ ଠାକୁର । ଶ୍ରୀକ୍ଷେତ୍ର ସମେତ ସାରା ବ୍ରହ୍ମାଣ୍ଡରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଏହିକ୍ରମରେ ଜଗତସିଂହପୁର ଅନ୍ତର୍ଗତ ପବିତ୍ର ସିଦ୍ଧାଳୟ ପୀଠ ସିଦ୍ଧଳ ଗ୍ରାମରେ ଥିବା ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଅପରାହ୍ନ ୪.୩୦ ମିନିଟ ସମୟରେ ଠାକୁର ରାଜା ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଯୋଗଦେଇ ରଥମାର୍ଜନା ଓ ଛେରାପହଁରା କରି ସମସ୍ତ ରୀତିନୀତି କାର୍ଯ୍ୟ ସମାପନ ପରେ ସର୍ବସାଧାରଣଙ୍କ ଭୋଗଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ଦିର ପରିଚାଳନା ଟ୍ରଷ୍ଟି ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି, ତହସିଲଦାର ଅଜୟ କୁମାର ମହାନ୍ତି, ଆରକ୍ଷୀ ନିରୀକ୍ଷକ ପ୍ରଭାସ କୁମାର ସାହୁ, ଜଗତସିଂହପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ସୀମା ଜେନା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।
ଏରସମା : ଏରସମା ବ୍ଲକ୍ ଅନ୍ତର୍ଗତ ଗଡ଼କୁଜଙ୍ଗ କୁଞ୍ଜବିହାରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି । ପୁରୀ ଜଗନ୍ନାଥଙ୍କ ରଥଟଣା ପରଦିନ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ, ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା । ରାଜା ମହନ୍ତ ଅମୃତ ଦାସ ରଥରେ ଛେରା ପହଁରା ପରେ ଅପରାହ୍ନରେ ରଥ ଟଣାଯାଇଥିଲା । ଅଭୟଚାନ୍ଦ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆଜିର ଉସôବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୀତବାସ ଗୋଛାୟତ, ପାର୍ଥ ସାରଥୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ରଥଟଣା ପର୍ବ ଆରମ୍ଭ ହୋଇ ମାମୁଁ ଘର ପାଖରେ ଅଟକିଥିଲା । ଠାକୁରଙ୍କ ମାମୁଁ ଅମୃତ ଦାସ ୫୬ ଭୋଗ ମହାପ୍ରଭୁଙ୍କ ପାଖରେ ଲଗାଇଥିଲେ । ସନ୍ଧ୍ୟାରେ ରଥ ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚିଛି ଥିଲା । 
ରାଜନଗର : ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଜରିମୂଳରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଉଁଶମୂଳ ବଜାର ନିକଟସ୍ଥ ଜଗନ୍ନାଥ ମନ୍ଦିର ନିକଟରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ନୀତିକାନ୍ତି ପରେ ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଅଜୟକୁମାର ଦେବତା, ନାରାୟଣଚନ୍ଦ୍ର ରାଉତ, କ୍ଷେତ୍ରବାସୀ ରାଉତରାୟ, ବ୍ରହ୍ମାନନ୍ଦ ରାଉତ, ମଙ୍ଗୁଳିଚରଣ ସ୍ୱାଇଁଙ୍କ ସହ କର୍ମକର୍ତ୍ତାମାନେ ୫୦ବର୍ଷରେ ପହଂଚିଥିବା ରଥ ଯାତ୍ରାକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସହାୟତାରେ ଚଡଦିଆ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇଥିଲେ । ଏହି ରଥଯାତ୍ରାରେ ରାଜନଗର ତହସିଲଦାର ଯୀଶୁକ୍ରିଷ୍ଣ ଦାସ, ଅତିରିକ୍ତ ତହସିଲଦାର ସନ୍ଦୀପକୁମାର ଖାଡଙ୍ଗା, ଆଇଆଇସି ନରେଶକୁମାର ସାହୁ, ସରଂପଚ ଚିତରନ ପଣ୍ଡା, ସାମ୍ବାଦିକ ଦୋଳଗୋବିନ୍ଦ ଜେନା, ରତ୍ନାକର ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ । 
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳରେ ଶ୍ରୀ ନୀଳମାଧବ ଜିଯୁଙ୍କ  ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ବେଳତଳ  ମାଉସୀ ମା’ ମନ୍ଦିର ସଦସ୍ୟମାନେ ସରୋଜ ପାଢୀଙ୍କ ନେତୃତ୍ୱରେ ବିଧିମୁତାବକ ନୀଳମାଧବ ଜିଯୁଙ୍କ ମନ୍ଦିର ଆସି ରଥଯାତ୍ରାରେ ଯିବା ପାଇଁ ନିମନ୍ତ୍ରଣ କରିଥିଲେ । ନୀଳମାଧବ ଜିଯୁଙ୍କ ରଥ ସମ୍ମୁଖରେ ବିବେକାନନ୍ଦ ପ୍ରଧାନ ଛେରା ପଂହଁରା କରିଥିବାବେଳେ ସଭାପତି ଲଲିତ ପ୍ରଧାନ, ସନାତନ ବିଶ୍ୱାଳ, କାଉନସିଲର ଗୋପୀବଲ୍ଲବ ନାୟକ, ତ୍ରିଲୋଚନ ପଣ୍ଡା ଉପସ୍ଥିତ ଥିଲେ  । ସେହିପରି ପଟ୍ଟାମୁଣ୍ଡାଇ ବ୍ଳକ ବାଲିପାଟଣା ଗ୍ରାମରେ  ୨୦୧୭ ମସିହାରେ ପ୍ରତିଷ୍ଠା କରାଯାଇଥିବା ଭବ୍ୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରତି ବର୍ଷ ପରି ଚଳିତବର୍ଷ ପ୍ରଭୁଙ୍କ ରଥ ଯାତ୍ରା ଯୋଗୁଁ ସମଗ୍ର ବାଲିପାଟଣା ଗାଁ ଚଳଚଞ୍ଚଳ ହୋଇପଡିଛି ।  ବିଶିଷ୍ଟ ସମାଜସେବୀ ଜଗଦୀଶ ପ୍ରସାଦ ନାୟକ ସୁଶୋଭିତ ପାଲିଙ୍କିରେ ବସି ଭବ୍ୟ ଶୋଭାଯାତ୍ରାରେ ଆସି ରଥ ସମ୍ମୁଖରେ ଯଥାବିଧି ଛେରାପଂହଁରା କରିବା ପରେ ବିଧିବଦ୍ଧ ଭାବେ ରଥଯାତ୍ରା ଆରମ୍ଭ ହୋଇଥିଲା । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ମୁଖ୍ୟ ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ବକ୍ତାରପୁର ମାଉସୀ ମା’ ମନ୍ଦିର ସଦସ୍ୟମାନେ ସଭାପତି ପ୍ରଫେସର ଅର୍ଜୁନ ନାୟକଙ୍କ ନେତୃତ୍ୱରେ ବିଧିମୁତାବକ ପତିତପାବନ ମନ୍ଦିର ଆସି ରଥଯାତ୍ରାରେ ଯିବା ପାଇଁ ନିମନ୍ତ୍ରଣ କରିଥିଲେ । ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରଭୁଙ୍କ ରଥ ସମ୍ମୁଖରେ ଛେରା ପଂହଁରା କରିଥିବାବେଳେ ସମ୍ପାଦକ ନରହରି ଲେଙ୍କା, ଇଂ ତ୍ରିଲୋଚନ ସୂତାର, ଇଂ ତପନ ପାତ୍ର,  ଶୁକଦେବ ସ୍ୱାଇଁ, ଇଶ୍ୱର ଲେଙ୍କା ପ୍ରମୁଖ ବହୁ ସଦସ୍ୟ ସହଯୋଗ କରି ରଥ ଯାତ୍ରା ଯଥାବିଧି ଆରମ୍ଭ କରିଥିଲେ ।
ଭଦ୍ରକ : ଭଦ୍ରକ ଦେବଭୂମୀ ଗବସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହାସମାରୋହରେ ଅଞ୍ଚଳବାସୀଙ୍କ ସହଯୋଗରେ ପାଳନ କରାଯାଇଛି । ସକାଳର ନୀତିକାନ୍ତୀ ଯଥା ଦ୍ୱାର ଫିଟା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ, ରଥ ସଂସ୍କାର ଓ ଧ୍ୱଜା ରୋପଣ, ବଡ ସିଂହାର ବେଶ ଇତ୍ୟାଦି ସମାପନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଘଂଟା, ମୃଦଙ୍ଗ, କର୍ତ୍ତାଳ, ହରିବୋଲ ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶରେ ରଥାରୂଢ଼ କରାଯାଇଥିଲା । ଏହି ରଥଯାତ୍ରାର ପରମ୍ପରା ମୁତାବକ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ ପୂଜାଅର୍ଚ୍ଚନା ପୂର୍ବକ ରଥରେ ବିଦ୍ୟମାନ ଦିଅଁଙ୍କୁ ଆଳତୀ କରି ଛେରା ପହଁରା କରିଥିଲେ । ଦେବଭୂମୀ ଗବସାହିରୁ ଦିଅଁମାନେ ରଥାରୁଢ଼ ହୋଇ ମୋଟେଲ ଛକ ସାଳନ୍ଦୀ ହସ୍ପିଟାଲ ପରିସରରେ ଥିବା ମାଉସୀ ମନ୍ଦିରକୁ ଯାତ୍ରା କରିଥିଲେ । ପଥ ମଧ୍ୟରେ ଥିବା ଗୟାଧର ପଣ୍ଡାଙ୍କ ବାସଭବନ ନିକଟରେ ମନ୍ଦିରର ପୂଜକ କାଳିଆ ନନା ମାଉସୀ ଘର ପୋଡ଼ପିଠା ଲାଗି କରିଥିଲେ । ସାଳନ୍ଦୀ ହସ୍ପିଟାଲସ୍ଥିତ ମାଉସୀ ମନ୍ଦିର ନିକଟରେ କାନିକା ଭୋଗ ଲାଗିହେବା ପରେ, ଦିଅଁମାନଙ୍କୁ ମନ୍ଦିରକୁ  ପହଣ୍ଡି କରାଯାଇଥିଲା । 
ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବେତନଟୀ ଓ ବଡ଼ସାହି ରାସ୍ତାର ଉଠାଣି ନିକଟରେ ହୋଇଥିବା ନବ ନିର୍ମିତ ପ୍ରଭୁ ଜଗନ୍ନାଥ ମନ୍ଦିର ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଶୁକ୍ରବାର ପୂର୍ବାହ୍ନ ସମୟରେ ମନ୍ଦିରରୁ ପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ତିନି ଠାକୁରଙ୍କର ପହଣ୍ଡି ହୋଇ ରଥକୁ ବିଜେ କରିଥିଲେ । ଅପରାହ୍ନରେ ରଥାରୁଢ଼ ତିନି ଠାକୁରଙ୍କ ରଥକୁ ଛେରା ପଂହଁରା ପର୍ବ ରାଜା ଲାଲସାହେବ ଅମିତ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ଛେରା ପହଁରା ପରେ ରଥଯାତ୍ରା ଆରମ୍ଭ ହୋଇଥିବା ମନ୍ଦିର କମିଟି ଟ୍ରଷ୍ଟର ସଦସ୍ୟ ଦେବରଞ୍ଜନ ସାହୁ ପ୍ରକାଶ କରିଥିଲେ । ମହାପ୍ରଭୁଙ୍କ ଟ୍ରଷ୍ଟରେ ଥିବା ୧୧ଜଣ ସଦସ୍ୟଙ୍କ ସମେତ ସଭାପତି ଯୋଗେଶ୍ୱର ମିଶ୍ର, ସମ୍ପାଦକ ଗୌତମ ବେହେରା, କୋଷାଧ୍ୟକ୍ଷ ଜ୍ୟୋତିଷ ସାହୁଙ୍କ ତତ୍ତ୍ୱାବଧାନରେ ଏହି ବର୍ଷ ରଥ ପରିଚାଳନା କମିଟି ନିର୍ମାଣ କରାଯାଇ ସ୍ନାନ ପୂର୍ଣ୍ଣିମର କାର୍ଯ୍ୟକ୍ରମ ଓ ରଥଯାତ୍ରା କରିବା ପାଇଁ ସମସ୍ତ ଆୟୋଜନ କରାଯାଇଥିଲା । ଚଳିତବର୍ଷ ରଥ ପରିଚାଳନା କମିଟିର ସଭାପତି ବିକାଶ ବେହେରା ଓ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତିଙ୍କ ଦାୟିତ୍ୱରେ ସମସ୍ତ କର୍ମକର୍ତ୍ତା ଚଳଚଞ୍ଚଳ ହୋଇ ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ରଥଯାତ୍ରା ଦେଖିବାକୁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥିଲା । ଘଣ୍ଟଦଳ, ସଂକୀର୍ତନ ଦଳ ଓ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ବେତନଟୀ ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା ।