ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ବିଳମ୍ୱ !

ଏବେ ସରିବନି ଭକ୍ତଙ୍କ ଯନ୍ତ୍ରଣା । ପୁରୀରେ ବିଳମ୍ୱ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା । ବିଧାନସଭାରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ଧାଡି ଦର୍ଶନ ପ୍ରସଙ୍ଗ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶ୍ରୀମନ୍ଦିର ଧାଡି ଦର୍ଶନ ନେଇ ଗୃହରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ, ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ଅଧିକାରୀ ବିବୃତି ଦେଇଛନ୍ତି, ଗତ ଜାନୁୟାରୀ ୨୦ତାରିଖରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମା ଦିଆଯାଇଥିଲା । ବର୍ତ୍ତମାନ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଚାଲୁଛି ନା ନାହିଁ ?
ଯଦି ଚାଲୁନି ତାର କାରଣ କ'ଣ ? କେବେଠାରୁ ଏହି ବ୍ୟବସ୍ଥା ଲାଗୁ ହେବ ? ତାର ଏକ ସଠିକ୍ କାରଣ ଜଣାଇବେ କି ? ଗୃହରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖିଲେ ଆଇନ ମନ୍ତ୍ରୀ । କହିଲେ, ଏଯାଏଁ ଆରମ୍ଭ ହୋଇନି ଧାଡି ଦର୍ଶନ ବ୍ୟବସ୍ଥା । ପରିଚାଳନା କମିଟିର ଅନୁମୋଦନ ଲୋଡା ରହିଛି । ନୂତନ କମିଟି ଗଠନ ହିଁ ରାମ୍ପ ଓ କାଠ ବ୍ୟାରିକେଡ୍ ସଂସ୍ଥାପନକୁ ଅନୁମତି ଦେବ । ଅନୁମୋଦନ ପରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏହି ଧାଡି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପାଇଁ ଶ୍ରୀମନ୍ଦିରର ବିଭିନ୍ନ ସେବାୟତ ନିଯୋଗ ଓ ସେବାୟତ ପ୍ରତିନିଧି ସହ ଆଲୋଚନା ହୋଇଛି ।