ଏଲପିଜି ଯୋଗାଣ ସୁବ୍ୟବସ୍ଥିତ ପାଇଁ ବୈଠକ
ଭୁବନେଶ୍ୱର : ରାଜ୍ୟରେ ଏଲପିଜି ସିଲିଣ୍ଡର ଖାଉଟିମାନଙ୍କୁ ସୁବିଧାରେ ଓ ଠିକଣା ସମୟରେ ପହଞ୍ଚାଇବା ଉପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଗୁରୁତ୍ୱାରୋପ କରିଛି । ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗ୍ୟାସ କମ୍ପାନୀର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା ସହ ଖାଉଟିମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ସେ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ବିଭିନ୍ନ ସ୍ଥାନରେ ୫ କେଜିଆ ସିଲିଣ୍ଡର ବିନା ସୁରକ୍ଷା ଗ୍ୟାରେଣ୍ଟିରେ ବିକ୍ରୟ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଥିବାରୁ ଏହା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ବ୍ୟବଧାନରେ ଗ୍ୟାସ ସିଲିଣ୍ଡରର କଳାବଜାରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଚଢାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଥିଲେ । ଏହି ଅବସରରେ ଇଣ୍ଡିଆନ ଅଏଲ୍ର ମୁଖ୍ୟ ପରିଚାଳକ ନାରୋ ଟଣ୍ଡପ, ଏଚ୍ପିସିଏଲ୍ର ଡେପୁଟି ଜେନେରାଲ୍ ମ୍ୟାନେଜର ଏମ୍ ଶ୍ରୀନିବାସନ୍, ବିପିସିଏଲ୍ର ରାଜ୍ୟ ଶାଖା ମୁଖ୍ୟ ରାଜକୁମାର ସିଂ, ଆଇଓସିଏଲ୍ର ମୁଖ୍ୟ ପରିଚାଳକ କେ. ସି ସେଠ୍ ଏବଂ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସଲାଉଦ୍ଦିନ୍ ଖାନ୍ ଉପସ୍ଥିତ ଥିଲେ ।