କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ: ପୁରୀ ବିମାନବନ୍ଦର ପାଇଁ ଖର୍ଚ୍ଚ ହେବ ୫୬୩୧ କୋଟିି
ଭୁବନେଶ୍ୱର: ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟଯେ, ଶ୍ରୀଜଗନ୍ନାଥ ବିମାନ ବନ୍ଦର ନାମରେ ନାମିତ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପଟି ୫,୬୩୧ କୋଟି ଟଙ୍କା ମୂଲ୍ୟରେ ୧,୧୬୪ ଏକର ଜମିରେ ବିକଶିତ ହେବ । ଏହି ନିର୍ମାଣ କାର୍ଯ୍ୟ ୩ ପର୍ଯ୍ୟାୟରେ ହେବାକୁ ଯାଉଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବା ପରେ ବାର୍ଷିକ ୪୬ ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ପ୍ରଦାନ କରିବ ।
ଏହି ବିମାନ ବନ୍ଦର ଦ୍ୱାରା ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧିହେବା ସହିତ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ଏକ ନୂତନ ଗତି ମିଳିବ ଏବଂ ପବିତ୍ର ପୁରୀ ସହର ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟିଙ୍ଗ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏହାଦ୍ୱାରା ଓଡିଶାରେ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଓ ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆସିପାରିବ । ସୂଚନାଯୋଗ୍ୟଯେ, ରାଜ୍ୟ ସରକାର ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟରେ ରାଜ୍ୟରେ ବ୍ୟାପକ ଭିତ୍ତିଭୂମିର ବିକାଶ ସହିତ ଶିଳ୍ପ ବିକାଶ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । ରାଜ୍ୟରେ ବିଭିନ୍ନ ବିମାନ ଚଳାଚଳ ଭିତ୍ତିଭୂମିର ସୁଦୃଢୀକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ପୁରୀ ସହିତ ପାରାଦୀପରେ ମଧ୍ୟ ଏକ ନୂଆ ବିମାନ ବନ୍ଦର କରିବାର ଯୋଜନା ରହିଛି । ପୁରୀ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ଆହୁରି ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକ ଓଡିଶା ଆସିବାର ସୁଯୋଗ ପାଇବେ ଓ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛ ।