ଆଗୁଆ ଆସିବ ମୌସୁମୀ


 ଭୁବନେଶ୍ୱର: ଏଥର ଆଗୁଆ ଆସିବ ମୌସୁମୀ  । ସାଧାରଣତଃ ମେ’ ୨୦ ବେଳକୁ ମୌସୁମୀ ଆଣ୍ଡାମାନ ଛୁଇଁଥାଏ  । କିନ୍ତୁ ଏଥର ମେ’ ୧୩ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁବ  । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି  ।
ଆଜି ଆଇଏମଡ଼ି ପକ୍ଷରୁ ମୌସୁମୀ ଆଗମନ ନେଇ ସୂଚନା ଦିଆଯାଇଛି  । ଆସନ୍ତା ସପ୍ତାହକ ମଧ୍ୟରେ ଅର୍ଥାତ୍ ମେ’ ୧୩ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳ ଓ ନିକୋବର ଛୁଇଁବାର ସମ୍ଭାବନା ରହିଛି  । ପ୍ରଥମେ ମୌସୁମୀ ଆଣ୍ଡାମାନ ଛୁଇଁବା ପରେ କେରଳ ଆଡ଼କୁ ଗତି କରେ  । ଆଣ୍ଡାମାନକୁ ଆସିବାର ପ୍ରାୟ ୧୫ ଦିନ ପରେ ମୌସୁମୀ କେରଳରେ ପହଁଚିଥାଏ  । ସାଧାରଣତଃ ମେ’ ୨୦ରେ ମୌସୁମୀ ଆଣ୍ଡାମାନ ଛୁଇଁବା ସହ ଜୁନ୍ ପ୍ରଥମ ସପ୍ତାହରେ କେରଳରେ ପ୍ରଥମ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ  । ଚଳିତ ଥର ଏହା ଆଣ୍ଡାମାନକୁ ସପ୍ତାହକ ପୂର୍ବରୁ ଆସୁଥିଲେବି କେରଳ କେବେ ଛୁଇଁବ ସେନେଇ ଏଯାବତ୍ କିଛି ଆକଳନ କରାଯାଇନାହିଁ  ।
କେତେକ ମଡ଼େଲରେ ହୋଇଥିବା ଆକଳନ ଅନୁଯାୟୀ, ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ  । ଯାହାକୁ ଦକ୍ଷିଣ ମିଅାଁମାର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି  । ସାଧାରଣତଃ ଆଣ୍ଡାମାନ ସାଗରକୁ ଆସିବା ପୂର୍ବରୁ ମୌସୁମୀ ମିଅାଁମାରରେ ପହଁଚିଥାଏ  । ମେ’ ୧୬ରୁ ୨୦ ମଧ୍ୟରେ ମିଅାଁମାରରେ ପହଁଚିବ ବୋଲି ସେଠାକାର ପାଣିପାଗ ବିଭାଗ ସୂଚନା ଦେଇଛି  । ସେହିପରି ମେ’ ୧୩ରୁ ଦକ୍ଷିଣ-ପଶ୍ଚିମ ବାୟୁ ଦକ୍ଷିଣ ଓ ପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରିବ  । ଉତ୍ତର-ପଶ୍ଚିମ ଭାରତରେ ବି ଏକ ଅନୁକୂଳ ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ମେ’ ୫ ମଧ୍ୟରେ ଦେଶରେ ସ୍ୱାଭାବିକ ଠାରୁ ୧୦% କମ୍ ବର୍ଷା ହୋଇଛି  । ତେବେ କେନ୍ଦ୍ରୀୟ ଭାରତରେ ଏହି ସମୟରେ ୪୬% ଅଧିକ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି  । ଉତ୍ତର-ପଶ୍ଚିମ ଭାରତରେ ୨୮% କମ୍ ଓ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ୨୯% କମ୍ ବର୍ଷା ହୋଇଛି  ।