ପାନୀୟଜଳ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
କବାଟବନ୍ଧ: ଯାଜପୁର ଜିଲାପାଳ ପି.ଅନ୍ୱେଷା ରେଡି ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତର ବାଲିକୁଦିଆ ଠାରେ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିଥିଲେ । ୪ବର୍ଷ ପୂର୍ବେ ଅର୍ଥାତ ୨୦୨୦ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଅବଧି ଶେଷ ହେବାର ଅନେକ ଦିନ ପରେ ମଧ୍ୟ କାର୍ଯ୍ୟ ଶେଷ ହୋଇପାରୁନାହିଁ । ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟଜଳ ଅପେକ୍ଷାରେ ୪ବର୍ଷ ବିତିଗଲାଣି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୪୫ଟି ପଂଚାୟତର ୪୭୭୬୫ପରିବାରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ । ୨ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଏହି ପ୍ରକଳ୍ପ ଆରମ୍ଭର ୨ବର୍ଷ ମଧ୍ୟରେ ଠିକା ସଂସ୍ଥା ପକ୍ଷରୁ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରିବା ପାଇଁ ଚୁକ୍ତି କରାଯାଇଥିଲା । ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ହେଲେ ଅଦ୍ୟାବଦ୍ଧି ଶେଷ ହୋଇପାରିନାହିଁ । ଅଦ୍ୟାବଧି ବିଦୁ୍ୟତ ସଂଯୋଗ ହୋଇନଥିବାରୁ ଡିଜି ମାଧ୍ୟମରେ ମଟର ଚଲାଇ ଜିଲାପାଳ ପରୀକ୍ଷା କରିଥିଲେ । ଅପରପକ୍ଷେ ପ୍ରକଳ୍ପ ନିର୍ମାଣ ପୂର୍ବରୁ ସ୍ଥାନୀୟ ଗ୍ରାମବାସୀଙ୍କ ରହିଥିବା ଦାବି ଅଦ୍ୟାବଧି ପୂରଣ ହୋଇନଥିବାରୁ ବିଦୁ୍ୟତ ସଂଯୋଗ ପାଇଁ ସଂସ୍ଥା ପକ୍ଷରୁ ଗଛ କଟାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଜିଲାପାଳଙ୍କ ଆପୋଷ ଆଲୋଚନା ମାଧ୍ୟ୍ୟମରେ ସମାଧାନ କରାଯାଇଛି । ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥା ମେଗା ଇଂଜିନିୟର ଏଣ୍ଡ ଇନ୍ଫ୍ରାଷ୍ଟ୍ରକଚର ଲିମିଟେଡ଼ ନାମକ ଠିକା ସଂସ୍ଥା ଅଧିକାରୀ ସରକାର ତଥା ଜିଲା ପ୍ରଶାସନକୁ ଭୁଲ ତଥ୍ୟ ଦେଇ କାର୍ଯ୍ୟ ବିଳମ୍ବ କରିବାରୁ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଜିଲାପାଳଙ୍କ ସମେତ ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ, ଧର୍ମଶାଳା ବିଡ଼ିଓ ଜ୍ୟୋତ୍ରୀମୟୀ କର, ଆରଡବ୍ଲୁ୍ୟଏସ୍ଏସ୍ର ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ମାର୍ଥା ସହିତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ପରିଦର୍ଶନରେ ସାମିଲ ଥିଲେ ।