ପୁରୀ ରେଳଷ୍ଟେସନର  ନାମ ବଦଳାଇବାକୁ ଦାବି

  ପୁରୀ : ନୂତନ ରୂପ ନେଉଛି ପୁରୀ ରେଳ ଷ୍ଟେସନ । କୋଟି କୋଟି ଟଙ୍କା ବ୍ୟୟରେ ରେଳଷ୍ଟେସନର ନବୀକରଣ କରାଯାଉଛି । ମାତ୍ର ପୁରୀ ରେଳଷ୍ଟେସନର ନାମକରଣ ଅଦ୍ୟାବଧି ହୋଇନାହିଁ । ଜଗନ୍ନାଥ ସେନା ପକ୍ଷରୁ ପୁରୀ ରେଳଷ୍ଟେସନର ନୂତନ ନାମ କରଣ ଶ୍ରୀଜଗନ୍ନାଥ ଧାମ ପୁରୀ ରେଳଷ୍ଟେସନ କରାଯିବା ପାଇଁ ଦାବି କରାଯାଇଛି । ଏ ସଂକ୍ରାନ୍ତରେ ଜଗନ୍ନାଥ ସେନାର ରାଷ୍ଟ୍ରୀୟ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦେ୍ଦଶ୍ୟରେ ପୁରୀ ଷ୍ଟେସନ ମାଷ୍ଟରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜଗନ୍ନାଥ ସେନା ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଦାବିପତ୍ରରେ ମୋଗଲସରାଇ ଓ ଆହ୍ଲାବାଦ ଷ୍ଟେସନର ନାମ ଶ୍ୟାମାପ୍ରସାଦ ମୁଖାର୍ଜୀ ଟର୍ମିନାଲ ଓ ପ୍ରୟାଗରାଜ ଷ୍ଟେସନ ଯଦି ରଖାଯାଇପାରୁଛି ତେବେ ପୁରୀ ରେଳଷ୍ଟେସନର ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ରେଳଷ୍ଟେସନ କାହିଁକି ରଖା ନ ଯିବ ବୋଲି ପ୍ରଶ୍ନ କରାଯାଇଛି । ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଏ ବାବଦରେ ରେଳମନ୍ତ୍ରୀଙ୍କ ସହିତ ବାରମ୍ବାର ସାକ୍ଷାତ ଆଲୋଚନା କରାଯାଇଛି । ପୁରୀର ସାଂସଦ, ପୂର୍ବତନ ବିଧାୟକଙ୍କୁ ନେଇ ରେଳଭବନରେ ମଧ୍ୟ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରାଯାଇଛି । ମାତ୍ର ସେ ଉଦାସୀନ ମନୋଭାବ ପୋଷଣ କରୁଛନ୍ତି ।  ଆଜି ଯଦି ନାମକରଣ କରାନଯିବ ଆଗକୁ ଆଉ ହୋଇପାରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବାକୁ ଥିବାରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ନିବେଦନ କରିଛନ୍ତି ।