ପୁରୀ ଯିବା ମନା, କାହିଁକି ଜାଣନ୍ତୁ

puri shreemandir

ପୁରୀ ଯିବା ମନା, କାହିଁକି ଜାଣନ୍ତୁ

ଭୁବନେଶ୍ୱର : ବାତ୍ୟା ବେଳେ ଉଦ୍ଧାର ଓ ରିଲିଫ ପାଇଁ ଆସିବ ହେଲିକପ୍ଟର  । ସେହିପରି ପୁରୀରେ ବାତ୍ୟାର ପ୍ରଭାବ ବେଶୀ ଅନୁଭୂତ ହେବ  । ତେଣୁ ପୁରୀରେ ଥିବା ଭକ୍ତମାନେ ୨୩ ପୂର୍ବରୁ ପୁରୀ ଛାଡ଼ିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି  ।  

ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ମୁକାବିଲା ପାଇଁ ସରକାର ସବୁପ୍ରକାରର ପଦକ୍ଷେପ ନେଉଛନ୍ତି  । ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି  । ଏହାସହିତ ଆସନ୍ତାକାଲିଠୁ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନଯିବେ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି  । ଆଉ ଯେଉଁମାନେ ପୁରୀର ବାସିନ୍ଦା ନୁହଁନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର କହିଛନ୍ତି  ।

 ସେହିପରି ପୁରୀରେ ଥିବା ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସେ କହିଛନ୍ତି  । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଜିଠୁ ଓଡ୍ରାଫ ଟିମକୁ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାକୁ ପଠାଇ ଦିଆଯାଇଛି  । ସେମାନେ ଜିଲ୍ଲା ମୁଖ୍ୟାଳୟ ଓ ପ୍ରମୁଖ ସ୍ଥାନମାନଙ୍କରେ ଆଲର୍ଟ ରହିବେ  । ସେହିପରି ଓଡିଶାରେ ଥିବା ଏନଡିଆରଏଫ ଟିମକୁ ମଧ୍ୟ ଆସନ୍ତାକାଲିଠୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ପଠାଯିବ  । ବାତ୍ୟା ସ୍ଥିତିର ମୁକାବିଲା ପାଇଁ ଅଧିକ ଏନଡିଆରଏଫ୍‌ ଟିମ୍‌ ଓ ହେଲିକପ୍ଟର ଯୋଗାଇ ଦେବାକୁ କେନ୍ଦ୍ର ସରକାର ସମ୍ମତି ଦେଇଛନ୍ତି  । ୨୩ ସୁଦ୍ଧା ଓଡିଶାକୁ ଏହା ମିଳିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି  ।

ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଯେଉଁ ଜିଲ୍ଲାପାଳମାନଙ୍କର ଅଭିଜ୍ଞତା ରହିଛି ସେମାନଙ୍କୁ ନିଜ ନିଜର ପୂର୍ବ ସ୍ଥାନକୁ ଯାଇ କାର୍ଯ୍ୟ କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି  । ବାତ୍ୟା ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଜିଲ୍ଲାପାଳମାନେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ୍‌ ଖୋଲି ପରିସ୍ଥିତି ଉପରେ ନଜର ରଖିବେ  । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସରକାରୀ ଛୁଟି ଆଦିର ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି  ।