୬ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ, ଓଡିଶାକୁ ମୋଦୀ ସରକାରଙ୍କ ଭେଟି

ଦେଶରେ ୮ଟି ନୂଆ ରେଳ ପ୍ରକଳ୍ପ ପାଇଁ ସିସିଇଏ ବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ ଓଡ଼ିଶା ପାଇଁ ଖୁସି ଖବର ଆଣିଦେଇଛି । ୮ଟି ପ୍ରକଳ୍ପ ମଧ୍ୟରୁ ଓଡ଼ିଶା ପାଇଁ ୬ଟି ପ୍ରକଳ୍ପ ରହିଛି । ୨୦୩୦-୨୦୩୧ ସୁଦ୍ଧା ଶେଷ ହେବାକୁ ଥିବା ଏହି ନୂତନ ଲାଇନ୍ ପ୍ରକଳ୍ପଗୁଡ଼ିକ ନିର୍ମାଣ କାଳରେ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏଥିସହ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଓ ଶିଳ୍ପରେ ସହାୟକ ହେବ ବୋଲି କୁହାଯାଉଛି ।
ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ୬ଟି ପ୍ରକଳ୍ପ ମିଳିବା ପରେ ରେଳମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସରେ କଥା ହୋଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଗସ୍ତ ସମୟରେ ରେଳମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାକୁ ମୁଖ୍ୟମନ୍ତ୍ରୀ ମନେପକାଇଛନ୍ତି । ଭିସିରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନୂଆ ପ୍ରକଳ୍ପ ଓଡ଼ିଶାର ବିକାଶଧାରାକୁ ଆଗକୁ ନେବ । କଳାହାଣ୍ଡି, ନବରଙ୍ଗପୁର, ମାଲାକାନଗିରି, କେନ୍ଦୁଝର, ମୟୁରଭଞ୍ଜ ଆଦି ଅଞ୍ଚଳରେ ଲାଭବାନ ହେବ। ତେବେ ପୂର୍ବଦୋୟ ଯୋଜନାରେ ଭାରତ ସରକାର ଓଡ଼ିଶାରେ ରେଳ ନେଟୱାର୍କ ସୁଦୃଢ କରିବାକୁ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ୬ଟି ନୂଆ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୧୫ହଜାର କୋଟି ଟଙ୍କାର ୬ଟି ନୂଆ ପ୍ରକଳ୍ପ ଓଡ଼ିଶା ପରିବହନକୁ ନୂଆ ଦିଶା ଦେବ ବୋଲି କହିଛନ୍ତି ମୋହନ ମାଝୀ। ଅନ୍ୟପଟେ ବିଜେଡି କଟାକ୍ଷ କରି କହିଛି ୭ବର୍ଷ ପୂର୍ବେ ବଜେଟ ଅନୁମୋଦିତ ପ୍ରକଳ୍ପକୁ ଏବେ ପ୍ରଚାର କରାଯାଉଛି ।