ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

 ନବରଙ୍ଗପୁର/ରାଇଘର : ନବରଙ୍ଗପୁର   ଜିଲ୍ଲାରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଇଘର ପୁଲିସ ମଧ୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ସ୍ଥାନୀୟ ବ୍ଲକର ବିଭିନ୍ନ ଦଣ୍ଡକାରଣ୍ୟ (ଡିଏନକେ) ଗ୍ରାମ ଗୁଡ଼ିକରୁ ପ୍ରାୟ ୫୯ ଜଣ (ପରିବାର ମୁଖ୍ୟ)ଙ୍କ ନାମ ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇବା ପରେ ସ୍ଥାନୀୟ ପୁଲିସ ତତ୍ପରତା ପ୍ରକାଶ କରିଛି  । ଉକ୍ତ ତାଲିକା  ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଦଶ ଜଣଙ୍କୁ ପୁଲିସ ଥାନାରେ ଡକାଇ ସେମାନଙ୍କ ପରିବାରର ସମ୍ପୂର୍ଣ୍ଣ ପରିଚୟ ତଥ୍ୟ ପ୍ରମାଣ ସହ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଥିବା ସହ ତାଙ୍କୁ ପଚରା ଉଚରା କରି ଛାଡ଼ି ଦେଇଥିବା ଜଣା ପଡ଼ିଛି ।
ସୂଚନା ଅନୁଯାୟୀ, ୧୯୭୧ ମସିହା ପୂର୍ବରୁ ବାଙ୍ଗଲାଦେଶରୁ ହାତୀବେନା, ପାଉରବେଳା, ସୋନପୁର ଏବଂ ରାଇଘର ଆଦି ଗ୍ରାମରେ ଆସି ରହି ଆସୁଥିବା ବେଳେ ସେଠାକାର କିଛି ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କୁ ପ୍ରଶୟ ଦେଇ ଆସୁଛନ୍ତି । ବର୍ତ୍ତମାନ ୧୩ ପରିବାରର ମୁଖ୍ୟଙ୍କ ନାମ ପ୍ରକାଶ ପାଇଛି । ସ୍ଥାନୀୟ ବ୍ଲକର ପ୍ରାୟ ସମସ୍ତ ଡିଏନ୍କେ ଗ୍ରାମ ଗୁଡ଼ିକରେ କିଛି କିଛି ଅନୁପ୍ରବେଶକାରୀ ନିଜ ପରିବାର ସହିତ ରହିଥିବା ତାଲିକା ମାଧ୍ୟମରେ ସରକାର ସେମାନଙ୍କୁ ଚିହ୍ନଟ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଶେଷ ସୂତ୍ରରୁ ସେମାନଙ୍କ ନାମ ସଂଗ୍ରହ କରି ତାଲିକାରେ ପ୍ରକାଶ କରିଛି । ରାଇଘର ବ୍ଲକରେ ପ୍ରଶାସନ ପକ୍ଷରୁ ପ୍ରାୟ ୫୯ ଗୋଟି ପରିବାର ମୁଖ୍ୟଙ୍କ ନାମକୁ ନେଇ ତାଲିକା ପ୍ରସ୍ତୁତି କରିବା ଶହ ଯାଞ୍ଚ ପାଇଁ ସ୍ଥାନୀୟ ଥାନାରେ ପ୍ରଦାନ କରିଛି । ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଆସିଥିବା ଏହି ତାଲିକାକୁ ନେଇ ଅନୁପ୍ରବେଶକାରୀ ନିଜ ନିଜ ଦୂର ସମ୍ପର୍କୀୟଙ୍କ ସହାୟତାରେ ବିନା ସରକାରୀ ସ୍ୱୀକୃତିରେ ଆସି ନବରଙ୍ଗପୁର ଜିଲ୍ଲାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ରାଇଘର ବ୍ଲକରେ ଏହାର ସଂଖ୍ୟା ଅଧିକ ରହିଛି  । ଅନୁପ୍ରବେଶକାରୀମାନେ ନିଜ ନିଜ ପରିବାର ସହିତ ବ୍ଲକର ବିଭିନ୍ନ ବଙ୍ଗାଳି ଗ୍ରାମରେ ବସବାସ କରୁଛନ୍ତି । ସ୍ଥାନୀୟ ପୁଲିସ କିଭଳି ଗୁରୁତ୍ୱ ଦେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି  ।