ଭୁଶୁଡ଼ିଲା ରେଳ ଟନେଲ୍ : ଖୋର୍ଦ୍ଧା-ବଲାଙ୍ଗୀର ୪ ନମ୍ବର ଟନେଲରେ ୩୦ ମିଟର ଗର୍ତ୍ତ
ଭୁବନେଶ୍ୱର : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଆଢ଼େÿଣିଗଡ଼ ଠାରେ ନିର୍ମାଣାଧୀନ ରେଳ ଟନେଲ୍ ଭୁଶୁଡ଼ିପଡ଼ିଛି । ଫଳରେ ୩୦ ମିଟରର ଏକ ଗର୍ତ୍ତ ସୃଷ୍ଟିହୋଇଛି । ତେବେ କୌଣସି ଶ୍ରମିକ ଆହତ ହୋଇନାହାନ୍ତି । କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ ।
ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ର ନିର୍ମାଣ କାମ ନେଇ ପଶ୍ଚିମ ଓଡିଶା ସମେତ ଫୁଲବାଣୀ, ଗଂଜାମ ଓ ନୟାଗଡବାସୀ ଉସôାହିତ ଥିବା ବେଳେ ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଆଢ଼େଣିଗଡ ପଞ୍ଚାୟତ ଅଧୀନ କଖାରୁଫାଳ ନିକଟ ଜଙ୍ଗଲ ଭିତରେ ଏହି ଅଘଟଣ ହୋଇଛି । ଖାଲିଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଏହା ଲମ୍ବା ଟନେଲ୍ ନୁହେଁ ବରଂ ଓଡ଼ିଶାର ଏହା ସବୁଠୁ ବଡ଼ ଲମ୍ବା ଟନେଲ୍ । ଆଢ଼େÿଣିଗଡ଼ରୁ ଚାରିଛକ ପର୍ଯ୍ୟନ୍ତ ଥିବା ଏହି ଟନେଲର ଦୈର୍ଘ୍ୟ ହେଉଛି ୪୧୮୫ ମିଟର । ଆଜି ଏହି ନିର୍ମାଣାଧୀନ ଟନେଲର ଏକ ଅଂଶ ଭୁଷୁଡ଼ିଯାଇଛି । ଫଳରେ ୩୦ ମିଟର ଲମ୍ବାର ଗର୍ତ୍ତ ସୃଷ୍ଟିହୋଇଛି । ଯାହାକୁ ନେଇ ଟନେଲ ନିର୍ମାଣ ଦାୟିତ୍ୱ ନେଇଥିବା କମ୍ପାନୀର ଗୁଣାତ୍ମକ ମାନ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି । ନିକଟରେ ଏହି ଟନେଲର ବ୍ରେକଥ୍ରୋ ସେଲିବ୍ରେସନ୍ ହୋଇଥିଲା । କିନ୍ତୁ ଟନେଲ ଭୁଷୁଡ଼ି ଯିବା ପରେ ସାଧାରଣରେ ଏହାର ସ୍ଥାୟୀତ୍ୱ, ସୁରକ୍ଷା ଓ ଗୁଣାତ୍ମକମାନକୁ ନେଇ ପ୍ରଶ୍ନ ସୃଷ୍ଟିହୋଇଛି । ଅପରପକ୍ଷରେ ଏହି ଟନେଲ ଭୁଷୁଡ଼ିବା ଘଟଣାକୁ ପୂର୍ବତଟ ରେଳପଥ ସ୍ପଷ୍ଟ କରିଥିବାବେଳେ ଭିତରେ ଶ୍ରମିକ ନଥିଲେବୋଲି କୁହାଯାଇଛି । ସୂଚନାଯୋଗ୍ୟଯେ, ଏହି ଟନେଲ୍ ବୌଦ୍ଧ ଜିଲ୍ଲାର ଆଢେଣିଗଡ଼-ଚାରିଛକ ଷ୍ଟେସନ ମଧ୍ୟରେ ଅବସ୍ଥିତ । ଏହି ଟନେଲ୍ କେବଳ ଏହି ପ୍ରକଳ୍ପରେ ନୁହେଁ, ବରଂ ସମଗ୍ର ଓଡ଼ିଶାରେ ସୁଦୀର୍ଘ ରେଳ ସୁଡଙ୍ଗ ଭାବେ ଇତିହାସ ରଚିଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଥିଲା । ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ୍ ନିୟୋଜିତ କରାଯାଇଥିଲା । ଯାହା ପୂର୍ବ ଘାଟର ଆହ୍ୱାନପୂର୍ଣ୍ଣ ଏବଂ ଦୁର୍ଗମ ଭୂଖଣ୍ଡରେ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି । ଖୋର୍ଦ୍ଧା ରୋଡ୍ - ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମୁଦାୟ ଦୈର୍ଘ୍ୟ ୩୦୧ କିଲୋମିଟର ହୋଇଥିବାବେଳେ ୭୫ କିଲୋମିଟର ଦୈର୍ଘ୍ୟ ମଧ୍ୟରେ ସାତଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ । ଏହି ସମସ୍ତ ସୁଡ଼ଙ୍ଗ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବସ୍ଥିତ । ଏହି ପ୍ରକଳ୍ପର ଗୋଟିଏପଟେ ଖୋର୍ଦ୍ଧା ରୋଡ଼ରୁ ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ଅନ୍ୟ ପଟେ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୨୨୬ କିମି ଅଂଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅବଶିଷ୍ଟ ୭୫ କିମି ଅଂଶରେ ଥିବା ୭ଟି ଟନେଲ୍ କାର୍ଯ୍ୟ ଜାରିରହିଛି ।