କଟକର ୧୩ ଥାନା ଅଞ୍ଚଳରେ ୩୬ ଘଣ୍ଟିଆ କର୍ଫ୍ୟୁ

କଟକର ୧୩ ଥାନା ଅଞ୍ଚଳରେ ୩୬ ଘଣ୍ଟିଆ କର୍ଫ୍ୟୁ

କଟକ, ୫ା୧୦ : କଟକ ସହରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିଯିବାର ଆଶଙ୍କା ରହିଛି । ଏହାକୁ ଆଖିଆଗରେ ରଖି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କଟକର ୧୩ ଥାନା ଅଞ୍ଚଳରେ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତା ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲଗା ଯାଇଥିବାବେଳେ ପରିସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ୍‌ କମିଶନର ସୁରେଶ ସିଂହ ଦେବଦତ୍ତ କହିଛନ୍ତି ।

  • ଦରଘା ବଜାରରେ ରାଲି ଅଟକାଇଲା ପୁଲିସ
  • ବିଶୃଙ୍ଖଳାକାରୀଙ୍କ ଉପରେ ଲାଠିଚାର୍ଜ
  • ପୁଲିସର ଫ୍ଲାଗମାର୍ଚ୍ଚ, ଅର୍ଦ୍ଧ ସାମରିକ ବଳ ମୁତୟନ
  • ବିଶୃଙ୍ଖଳାକାରୀଙ୍କୁ ଡିଜିଙ୍କ କଡ଼ା ଚେତାବନୀ
  • ଶାନ୍ତି ପାଇଁ ସୋଫିଆଙ୍କ ନିବେଦନ

ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡ଼ିଏ ଫେଜ ୨, ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଜଗତପୁର, ବୟାଳିଶମୌଜା, ସଦର ଥାନା, ବାଦାମବାଡ଼ି, ମାଲଗୋଦାମ ଆଦି ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି । ଆଜିର ଆକ୍ରମଣରେ ୨୫ ପୁଲିସ୍‌ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଅଛନ୍ତି । କର୍ଫ୍ୟୁରୁ ଅତ୍ୟାବଶ୍ୟକୀୟ ଓ ମେଡ଼ିକାଲ ସେବାକୁ ବାଦ୍‌ ଦିଆଯାଇଛି । ବିଶୃଙ୍ଖଳାକାରୀଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବ ବୋଲି ପୁଲିସ କମିଶନର ଚେତାବନୀ ଦେଇଛନ୍ତି । କଟକ ସହର ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ଅପରପକ୍ଷରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆୟୋଜିତ ରାଲି ବେଳେ ଉତ୍ତେଜନା ପ୍ରକାଶ ପାଇଛି । ବିନା ଅନୁମତିରେ ଶୋଭାଯାତ୍ରା କରାଯାଉଥିବାରୁ ପୁଲିସ୍‌ ଅଟକାଇବାରୁ ଅନେକ ସମୟ ଧରି ଉତ୍ତେଜନା ପରିଲକ୍ଷିତ ହୋଇଥିଲା ।

ସୂଚନାଯୋଗ୍ୟ, ଭସାଣି ଶୋଭାଯାତ୍ରାବେଳେ ଆକ୍ରମଣ ଘଟଣାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର କଟକ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ସମର୍ଥନ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ରବିବାର ଦିନ ଏକ ବିଶାଳ ରାଲି ବାହାରିଥିଲା । ଏହି ରାଲି ସ୍ଥାନୀୟ ବିଦ୍ୟାଧରପୁର ଠାରୁ ବାହାରି ନୂଆବଜାର, ପୋତାପୋଖରୀ, ଚାଉଳିଆଗଞ୍ଚ, ଓଏମପି ଛକ, କଲେଜ ଛକ, ରାଣୀହାଟ, ବଜ୍ରକବାଟି ରୋଡ଼, ଦୋଳମୁଣ୍ଡେଇ, ବାଦାମବାଡ଼ି ଛକରେ ପହଞ୍ଚିବା ପରେ ୟୁଟର୍ଣ୍ଣ ନେଇ ଦୋଳମୁଣ୍ଡେଇ, ହରିପୁର, ହାତୀପୋଖରୀ ଦେଇ ଦରଘା ବଜାର ଠାରେ ପହଞ୍ôଚଥିଲା । ରାଲିରେ ପ୍ରାୟ ୧ ହଜାରରୁ ଅଧିକ ବାଇକ ସାମିଲ ହୋଇଥିଲା। ତେବେ ଶୋଭାଯାତ୍ରା ଯୋଗୁଁ ବିଶୃଙ୍ଖଳିତ ପରିସ୍ଥିତି ଉପୁଜିବା ଆଶଙ୍କା କରି ପୋଲିସ ରାଲିକୁ ଅଟକାଇଥିଲା । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।କଟକ ସହରରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ବିକ୍ଷୋଭକାରୀଙ୍କୁ ଦମନ କରିବା ପାଇଁ ପୁଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା। ଭାଇଚାରାର ସହର କଟକରେ ଶାନ୍ତି ଫେରାଇ ଆଣିବାକୁ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ କଟକରେ ଶାନ୍ତି ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି । କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତିଯେ, ଦୁର୍ଗାପୂଜା ଶୋଭାଯାତ୍ରା ସମୟରେ ଯେଉଁମାନେ ଏଭଳି ଘଟଣା ଘଟାଇଛନ୍ତି, ସେମାନେ ସମାଜ ବିରୋଧି। ସିସିଟିଭି ଫୁଟେଜ ଆଧାରରେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ମୋକିମ ଦାବି କରିଛନ୍ତି । କଟକରେ ଶାନ୍ତି ଫେରାଇ ଆଣିବା ପାଇଁ ସେ ସହରବାସୀଙ୍କୁ ନିବେଦନ କରିଛନ୍ତି । ସେହିପରି ଓଡ଼ିଶା ୱାକଫ ବୋଡର଼୍ର ପୂର୍ବତନ ଅଧ୍ୟକ୍ଷ ସୟଦ ଏକ୍ରାମ ହୋସେନ ମଧ୍ୟ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଡିଜି ଘଟଣା ସ୍ଥଳରେ ପହଁଞ୍ଚି କିପରି ଶାନ୍ତି ଫେରି ଆସିବ ସେ ନେଇ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏହାଛଡ଼ା ଅର୍ଦ୍ଧସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି ।  କମିଶନରେଟ ପୁଲିସ ପକ୍ଷରୁ ରବିବାର ଦିନ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଭସାଣି ଦିନ ମେଢ଼ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଯାଉଥିବା ବେଳେ ଦରଘା ବଜାର ସ୍ଥିତ ହାତୀପୋଖରୀଠାରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ଲୋକ ଶୋଭାଯାତ୍ରାକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାର ପ୍ରତିବାଦ କରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆସନ୍ତା ସୋମବାର ଦିନ କଟକ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ବେଳେ ଶାନ୍ତି ଶୃଙ୍ଖଳା ଏବଂ କୌଣସି ଅଘଟଣ ଯେପରି ନଘଟେ, ଏହାକୁ ଦୃଷ୍ଟିରେ ରଖି ରବିବାର କମିଶନରେଟ ପୁଲିସ ପକ୍ଷରୁ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ସ୍ଥାନୀୟ ଦରଘାବଜାର ଥାନା ନିକଟରୁ ଏହି ଫ୍ଲାଗମାର୍ଚ୍ଚ ବାହାରି କଦମରସୁଲ, ଦରଘାବଜାର, ନିମସାହି, ଝୋଲାସାହି, କାଠଗଡ଼ା ସାହି ପରିକ୍ରମା କରି ଦରଘା ବଜାର ଥାନା ନକଟରେ ଶେଷ ହୋଇଥିଲା । ଏହି ଫ୍ଲାଗ ମାର୍ଚ୍ଚରେ ଅତିରିକ୍ତ ପୋଲିସ ଡେପୁଟି କମିଶନର ପ୍ରକାଶ ଚନ୍ଦ୍ର ପାଲ ଏବଂ ଏସସିପି ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ସାମିଲ ହୋଇଥିଲେ ।